ବେଙ୍ଗାଲୁରୁ, ୩୦/୦୪ :ଆଇପିଏଲର ୪୨ତମ ଲିଗ୍ ମୁକାବିଲାରେ ଗୁରୁବାର ଗୁଜୁରାଟ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ । ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଗୁଜୁରାଟ ବିଜୟଧାରା ଜାରି ରଖିବା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ଟପ୍ ପୋଜିସନରେ ପହଁଚିପାରେ ଆରସିବି

ବେଙ୍ଗାଲୁରୁ ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବାର ସୁଯୋଗ ରହିଛି । ୧୨ ପଏଣ୍ଟ ଅର୍ଜନ କରି ସାରିଥିବା ବେଙ୍ଗାଲୁରୁ ମୁକାବିଲା ଜିତିଲେ ଟେବୁଲ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇ ପାରିବ । ଗତ ୨୪ ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।

ଗୁରୁବାର ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଗୁଜୁରାଟ ଶୃଙ୍ଖଳିତ ବୋଲିଂ କରି ବେଙ୍ଗାଲୁରୁ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଠା କରିବ । ଦଳର ଭାଗ୍ୟ ମୁଖ୍ୟତଃ ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମସମ୍ମଦ ସିରାଜଙ୍କ ବୋଲିଂ ଉପରେ ନିର୍ଭର କରିବ । ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଚମତ୍କାର ଫର୍ମରେ ରହିଥିବା ବେଙ୍ଗାଲୁରୁ ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି ।

Also Read :- MI vs SRH: ୨୪୩ ରନ କରି ବି ହାରିଲା ମୁମ୍ବାଇ, SRHର ଷଷ୍ଠ ବିଜୟ

ଗୁଜରାଟ ପକ୍ଷରୁ ଶୁଭମନ ଗିଲଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଇତି ମଧ୍ୟରେ ୩୩୦ ରନ ସଂଗ୍ରହ କରିସାରିଛନ୍ତି । ସେହିପରି ସୁଦର୍ଶନଙ୍କୁ ମଧ୍ୟ ଶାନ୍ତ ରଖିବାକୁ ବେଙ୍ଗାଲୁରୁ ରଣନୀତି ପ୍ରସ୍ତୁତ କରିବ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ରଜତ ପାତିଦାରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ ।