ଚେନ୍ନାଇ, ୦୫/୦୪ : ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ୍ ବେଙ୍ଗାଲୁରୁ ଦମଦାର୍ ବିଜୟ ହାସଲ କରିଛି । ବେଙ୍ଗାଲୁରୁ ଦେଇଥିବା ୨୫୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାରେ ଚେନ୍ନାଇ ବିଫଳ ହୋଇଛି । ଦଳ ୧୯.୪ ଓଭରରେ ୨୦୭ ରନରେ ଅଲ୍ ଆଉଟ୍ ହୋଇଯାଇଛି । ଫଳରେ ସିଏସକେ ବିଜୟଠୁ ୪୩ ରନ୍ ଦୂରରେ ରହିଯାଇଛି ।

ବେଙ୍ଗାଲୁରୁର ଦମଦାର୍ ବ୍ୟାଟିଂ

ଆରସିବିର ଟପ୍ ଅର୍ଡରଠୁ ନେଇ ମଧ୍ୟକ୍ରମ ବ୍ୟାଟର ସମସ୍ତେ ଧୂଆଁଧାର ବ୍ୟାଟିଂ କରିଥିଲେ। ବିଶେଷ କରି ଅଧିନାୟକ ରଜତ ପାଟିଦାର ୧୯ ବଲରୁ ୪୮ ରନ ଓ ଟିମ୍ ଡେଭିଡ୍ ୨୫ ବଲରୁ ୭୦ ରନର ବିଧ୍ଵଂସୀ ଇନିଂସ ଖେଳିଥିଲେ। ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଆରସିବି ପକ୍ଷରୁ ଓପନିଂରେ ୩୭ ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଫିଲିପ ସଲ୍ଟ। କୋହଲି ୨୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଫିଲିପ ସଲ୍ଟ ୨ୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ଫିଲିପ ସଲ୍ଟ ୩୦ ବଲରୁ ୩ ଚୌକା ଓ ୨ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ।

ମଧ୍ୟକ୍ରମରେ ଦେବଦତ୍ତ ପାଡିକଲ ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପାଡିକଲ ୨୯ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୫୦ ରନ କରିଥିଲେ। ପାଟିଦାର ୧୯ ବଲରୁ ୧ ଚୌକା ଓ ୬ ଛକା ସହାୟତାରେ ୪୮ ରନ ଓ ଟିମ୍ ଡେଭିଡ୍ ମାତ୍ର ୨୫ ବଲରୁ ୩ ଚୌକା ଓ ୮ ଛକା ସହ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୫୦ ରନ କରିଥିଲା।

ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ

୨୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । ଋତୁରାଜ ଗାଏକଓ୍ୱାଡ୍ ଏବଂ ଆୟୁଷ ମାତ୍ରେ ସଅଳ ଆଉଟ୍ ହୋଇଥିଲେ । ସଞ୍ଜୁ ସାମସନ୍ ମଧ୍ୟ କିଛି କରିସ୍ମା କରିପାରିନଥିଲେ । ତେବେ ସରଫରାଜ୍ ଖାନ୍ ବିସ୍ଫୋରକ ପାଳି ଖେଳି ଅର୍ଧଶତକ ହାସଲ କରିଥିଲେ । ସେ ୨୫ ବଲରୁ ୫୦ ରନ୍ କରିଥିଲେ । ସେହିପରି ଶିବମ ଦୁବେ ୧୩ ବଲରୁ ୧୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଶାନ୍ତ ବୀର ଏବଂ ଜେମି ଓଭରଟନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ବିଜୟ ପାଇଁ ଯଥେଷ୍ଟ୍ ନଥିଲା । ଓଭରଟନ୍ ୧୬ ବଲରୁ ୩୭ ରନ୍ କରିଥିଲେ । ବୀରଙ୍କ ବ୍ୟାଟରୁ ୪୩ ରନ୍ ବାହାରିଥିଲା । ଅନସୋଲ୍ କମ୍ବୋଜ ୧୯ ରନ୍ କରିଥିଲେ । ସେହିପରି ଦଳର ଲୋୟର ଏଣ୍ଡ୍ ବ୍ୟାଟର ଆଉଟ୍ ହେଲା ପରେ ୨୦୭ ରନରେ ଟିମ୍ ରନରେ ସୀମିତ ରହିଯାଇଥିଲା ।

ଆରସିବି ପକ୍ଷରୁ ଭୁବନେଶ୍ୱର କୁମାର ତିନୋଟି ଶିକାର କରିଥିଲେ । କୃଣାଳ ପାଣ୍ଡ୍ୟା, ଅଭିନନ୍ଦନ ସିଂ ଏବଂ ଜ୍ୟାକବ୍ ଡଫି ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ସୂର୍ଯ୍ୟାଂଶ ଶର୍ମା ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।