CSK vs RCB IPL 2026: ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଛକା-ଚୌକା ବର୍ଷା। ଆଇପିଏଲ୍ ୨୦୨୬ର ୧୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୩ ଓ୍ଵିକେଟ୍ ୨୫୦ ରନର ବିଶାଳ ସ୍କୋର କରିଛି। ଟପ୍ ଅର୍ଡରଠୁ ନେଇ ମଧ୍ୟକ୍ରମ ବ୍ୟାଟର ସମସ୍ତେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ବିଶେଷ କରି ଅଧିନାୟକ ରଜତ ପାଟିଦାର ୧୯ ବଲରୁ ୪୮ ରନ ଓ ଟିମ୍ ଡେଭିଡ୍ ୨୫ ବଲରୁ ୭୦ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଆଉ ଚେନ୍ନାଇ ଆଗରେ ରହିଛି ୨୫୧ ରନର ବିଜୟ ଲକ୍ଷ୍ୟ।

ଏହା ପୂର୍ବରୁ ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ। ଆରସିବି ପକ୍ଷରୁ ଓପନିଂରେ ୩୭ ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଫିଲିପ ସଲ୍ଟ। କୋହଲି ୨୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଫିଲିପ ସଲ୍ଟ ୨ୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ଫିଲିପ ସଲ୍ଟ ୩୦ ବଲରୁ ୩ ଚୌକା ଓ ୨ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ।

ମଧ୍ୟକ୍ରମରେ ଦେବଦତ୍ତ ପାଡିକଲ ନିଜର ଫର୍ମ ବଜାୟ ରଖି ଆଉ ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପାଡିକଲ ୨୯ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୫୦ ରନ କରିଥିଲେ। ଟପ୍ ଅର୍ଡର ବ୍ୟାଟରଙ୍କ ଦ୍ଵାରା ମିଳିଥିବା ଦମଦାର ଆରମ୍ଭକୁ ସଠିକ୍ ଢଙ୍ଗରେ ସମାପ୍ତ କରିଥିଲେ ଅଧିନାୟକ ରଜତ ପାଟିଦାର ଓ ଟିମ୍ ଡେଭିଡ। ଉଭୟ କ୍ରିଜକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଚେନ୍ନାଇ ବୋଲରଙ୍କୁ ପ୍ରହାର କରି ଛକା-ଚୌକା ବର୍ଷା କରିଥିଲେ। ପାଟିଦାର ୧୯ ବଲରୁ ୧ ଚୌକା ଓ ୬ ଛକା ସହାୟତାରେ ୪୮ ରନ ଓ ଟିମ୍ ଡେଭିଡ୍ ମାତ୍ର ୨୫ ବଲରୁ ୩ ଚୌକା ଓ ୮ ଛକା ସହ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୫୦  ରନ କରିଥିଲା।