ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ର ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଫାଇନାଲ୍ ମ୍ୟାଚରେ ୨୦୨୨ର ଚାମ୍ପିଅନ ଗୁଜରାଟ ଟାଇଟନ୍ସକୁ ସହଜରେ ୫ ଓ୍ଵିକେଟ୍ ହରାଇ ଲଗାତାର ଦ୍ଵିତୀୟ ଟ୍ରଫି ଜିତିଛି। ୨୦୨୫ରେ ପଞ୍ଜାବକୁ ହରାଇ ଗୁଜରାଟ ପ୍ରଥମ ଥର ଟ୍ରଫି ଜିତିଥିଲା। ବୋଲରଙ୍କ ଶାଣିତ ବୋଲିଂ ପରେ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ରଜତ ପାଟିଦାର ନିଜ ନେତୃତ୍ଵରେ ଆରସିବିକୁ ପୁଣି ଥରେ ଚାମ୍ପିଅନ କରାଇଛନ୍ତି। ଅନ୍ୟପଟେ ଗୁଜରାଟର ଦ୍ଵିତୀୟ ଟ୍ରଫି ଜିତିବାର ସ୍ଵପ୍ନ ଚୂରମାର ହୋଇଛି। କ୍ରମାଗତ ଦୁଇଟି ଟ୍ରଫି ଜିତିବାରେ ଆରସିବି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ସହ ବରାବର ହୋଇଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଓ୍ଵାଶିଂଟନ ସୁନ୍ଦରଙ୍କ ଅପରାଜିତ ୫୦ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ୧୮ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ଚାମ୍ପିଅନ ହୋଇଛି। ବିରାଟ କୋହଲି ୭୫ ରନର ଇନିଂସ ଖେଳି ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ବେଙ୍ଗାଲୁରୁ ପକ୍ଷରୁ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ଭୁବନେଶ୍ଵର କୁମାର, ଜୋଶ ହାଜେଲଉଡ ଓ ରଶିଖ ସଲାମ ଡାର।

Also Read:ଏସିଆନ୍ ଗେମ୍ସ କ୍ରିକେଟ୍ ପାଇଁ ଭାରତର ସମ୍ଭାବ୍ୟ ଦଳ ଘୋଷଣା: ବାଦ୍ ପଡ଼ିଲେ ଗିଲ୍ ଓ ସୂର୍ଯ୍ୟକୁମାର, ୧୪ ବର୍ଷୀୟ ବୈଭବଙ୍କୁ ସୁଯୋଗ

୧୫୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବିକୁ ଧୂଆଁଧାର ଆରମ୍ଭ ଦେଇଥିଲେ। ବିରାଟ କୋହଲି ଓ ଭେଙ୍କଟେଶ ଆୟର ୨୭ ବଲରେ ୬୨ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ଭେଙ୍କଟେଶ ୧୬ ବଲରୁ ୪ ଚୌକା ଓ ୨ ଛକା ସହ ୩୨ ରନ କରି ଆଉଟ୍ ହୋଇଥିଲେ। ଦେବଦତ୍ତ ପାଡିକଲ ଏକ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ରଶିଦ ଖାନ ନବମ ଓଭରରେ ଦୁଇଟି ଓ୍ଵିକେଟ୍ ନେଇ ମ୍ୟାଚକୁ ରୋଚକ କରିବାକୁ ଚେଷ୍ଟା କରିଥିଲେ। ଅଧିନାୟକ ରଜତ ପାଟିଦାର(୧୫ ରନ) ଓ କୃଣାଲ ପାଣ୍ଡ୍ୟା(୧ ରନ) ପାଭିଲିୟନ ଫେରିଥିଲେ।

ହେଲେ ବିରାଟ କୋହଲି ଗୋଟିଏ ପଟୁ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ। ଟିମ୍ ଡେଭିଡ କୋହଲିଙ୍କୁ ଉତ୍ତମ ସହଯୋଗ ଦେଇଥିଲେ। ଡେଭିଡ୍ ୨୪ ରନ କରି ଆଉଟ୍ ହେବା ବେଳକୁ ଆରସିବି ବିଜୟର ନିକଟତର ହୋଇ ସାରିଥିଲା। ବିଜୟ ଔପଚାରିକତା ପୂରା କରିଥିଲେ କୋହଲି। ଛକା ମାରି କୋହଲି ନିଜ ଟିମକୁ କ୍ରମାଗତ ଦ୍ଵିତୀୟ ଥର ଚାମ୍ପିଅନ କରାଇଛନ୍ତି। କୋହଲି ୪୨ ବଲରୁ ୯ ଚୌକା ଓ ୩ ଛକା ସହ ଅପରାଜିତ ୭୫ ରନ କରିଛନ୍ତି। ଜିତେଶ ଶର୍ମା ୧୧ ରନ କରି ଅପରାଜିତ ଥିଲେ।

Also Read: ଆଇପିଏଲ୍ରୁ ବଲିଉଡ୍ ତାରକାଙ୍କ କୋଟି କୋଟି ଟଙ୍କାର ରୋଜଗାର: ଶାହରୁଖ, ଜୁହି ଓ ପ୍ରୀତି ଜିଣ୍ଟାଙ୍କ ରୋଜଗାରର ପୂରା ରିପୋର୍ଟ

ଗୁଜରାଟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟର ଆରମ୍ଭ ଅତ୍ୟନ୍ତ ନିରାଶଜନକ ଥିଲା। ଫାଇନାଲ୍ ମ୍ୟାଚରେ ଯେଉଁଭଳି ପ୍ରଦର୍ଶନ ଆଶା କରାଯାଉଥିଲା, ସେମିତି ପ୍ରଦର୍ଶନ କରି ପାରିନ ଥିଲେ। ସାଇ ସୁଦର୍ଶନ(୧୨ ରନ) ଓ ଅଧିନାୟକ ଶୁଭମନ ଗିଲ୍(୧୦ ରନ) ନିରାଶ କରିଥିଲେ। ପଜୁଣି ନିଶାନ୍ତ ସିନ୍ଧୁ ୨୦ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଜୋସ୍ ବଟଲର(୧୯ ରନ) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ।

ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ପାର୍ଶ୍ଵରେ କ୍ରିଜରେ ଜମି ଦଳର ଇନିଂସ ସମ୍ଭାଳିଥିଲେ। ସେ ଅପରାଜିତ ୫୦ ରନର ଇନିଂସ ଖେଳିବାରୁ ଗୁଜୁରାଟ ୧୫୫ ରନର ସମ୍ମାନଜନକ ସ୍କୋର କରି ପାରିଛି। ଅର୍ଶଦ ଖାନ ୧୫ ରନ କରିଥିବା ବେଳେ ରାହୁଲ ତେଓ୍ଵତିଆ, ଜାସନ ହୋଲଡର ଓ ରଶିଦ ଖାନ ପ୍ରତ୍ୟେକ ୭ ରନ ଲେଖାଏଁ କରିଥିଲେ। ବୋଲିଂରେ ଆରସିବି ପକ୍ଷରୁ ଭୁବନେଶ୍ଵର କୁମାର ଓ ଜୋଶ ହାଜେଲଉଡ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରଶିଖ ସଲାମ ଡାର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।