କେନ୍ଦୁଝର: ଦୀପାବଳି ଅବସରରେ ଓଡ଼ିଶାବାସୀଙ୍କ ସହ କେନ୍ଦୁଝରବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ୧୧୦୩ କୋଟି ଟଙ୍କା ବ୍ୟୟରେ ୩୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ଧରଣୀଧର ମେଡିକାଲ କଲେଜରେ କର୍କଟ ରୋଗ ସ୍କ୍ରିନିଂ ୟୁନିଟ୍, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ମଡ୍ୟୁଲାର ଅପରେସନ ଥିଏଟର ସମେତ ବିଭିନ୍ନ ସୁବିଧାର ଉଦଘାଟନ କରିଛନ୍ତି। ଏଥିସହ ଡେଣ୍ଟାଲ ଓ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ସହ କେନ୍ଦୁଝରବାସୀଙ୍କ ପାଇଁ ୧୯ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।

ସେହିପରି ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ନୂତନ ଏକାଡେମିକ୍ କୋଠା ଓ ହଷ୍ଟେଲ ଉଦଘାଟନ କରିବା ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମାଳିଗାଁଠାରେ ଟେକ୍ ବିଜନେସ୍ ପାର୍କର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରି ୨୦୨୮ ଶେଷ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ୨୭ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ ୯୫୨ଟି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

Also Read: ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାକରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ଲକ୍ଷ୍ୟ

ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଟେକ୍ ବିଜନେସ୍ ପାର୍କ ଓ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କୁ ନିଜ ଜିଲ୍ଲାରେ ରୋଜଗାର ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଓ ପ୍ରକଳ୍ପକୁ ନେଇ କେନ୍ଦୁଝରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।