ନୂଆଦିଲ୍ଲୀ: ୨୦୧୬ ମସିହାରେ ବିମୁଦ୍ରୀକରଣ ପରେ ମାର୍କେଟରେ ଟଙ୍କାର ପ୍ରବାହ ଜାରି ରଖିବା ପାଇଁ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୂଆ ନୋଟ ଜାରି କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏଥିରେ ଦୁର୍ନୀତି ଅଧିକ ହେବ ବୋଲି ଦାବି ହେବା ପରେ ସରକାର ଧୀରେ ଧୀରେ ଏହି ନୋଟ ଚାପିବା ବନ୍ଦ କରି ଦେଇଥିଲେ। ଏବଂ ଏହାକୁ ପ୍ରଚଳନରୁ ବାଦ ଦିଆଯାଇଥିଲା। ତେବେ ଲୋକଙ୍କୁ ଯେମିତି ଅସୁବିଧା ନହୁଏ, ସେଥିପାଇଁ ଏହି ନୋଟ ଯାହା ପାଖରେ ଅଛି ନିକଟସ୍ଥ ବ୍ୟାଙ୍କରେ ଜମା ଦେବାକୁ କହିଥିଲେ ସରକାର। ଲୋକେ ତାହା ମଧ୍ୟ କଲେ। ସମୟ ସମୟରେ ଆର୍ବିଆଇ ୨୦୦୦ ଟଙ୍କିଆ ନୋଟ୍ ଜମା ନେଇ ଅପଡେଟ ସୂଚନା ବି ଦେଉଥିଲା।

ହେଲେ ଏବେ ଆର୍‌ବିଆଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଏକ ନୂଆ ବାର୍ତ୍ତା ଜାରି କରିଛି। ଯାହାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଯାଇଛି। ହୁଏତ ଆର୍ବିଆଇ ଏ ନେଇ ବଡ଼ ଘୋଷଣା କରିପାରେ ବୋଲି କୁହାଯାଉଛି।

ବିମୁଦ୍ରୀକରଣ ପରେ ବନ୍ଦ ହେଲା ପୁରୁଣା ନୋଟ୍

ବିମୁଦ୍ରୀକରଣ ପରେ ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୂଆ ନୋଟ ବଜାରକୁ ଆସିଥିଲା। ବର୍ତ୍ତମାନ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନରେ ଥିବାବେଳେ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇ ଦିଆଯାଇଛି। ଫଳରେ ବଜାରରେ ଏହି ନୋଟକୁ ସାଧାରଣ କାରବାରରେ ଆଉ ଗ୍ରହଣ କରାଯାଉ ନାହିଁ।

Also read- କମିବ ଭାରତର ଅଭିବୃଦ୍ଧି, ଯୁଦ୍ଧ ପାଇଁ ସତର୍କ କରାଇଦେଲା ଆଇଏମଏଫ୍

ଏବେ ଆରବିଆଇ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛି ଯେ, ଯଦି କାହା ପାଖରେ ୨୦୦୦ ଟଙ୍କିଆ ନୋଟ ରହିଛି, ତେବେ ସେମାନେ ଏହାକୁ ବଦଳାଇ ପାରିବେ। ଆରିବଆଇ କିଛି ଏମିତ ସୂଚନା ଲେଖିଛି "ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଏହି ସୂଚନା ଆପଣଙ୍କ ପାଇଁ।"

୨୦୦୦ ଟଙ୍କିଆ ନୋଟ ଏବେ ବି ବୈଧ ମୁଦ୍ରା (Legal Tender) ରହିଛି।

ଦେଶର RBIର ୧୯ଟି ଇସ୍ୟୁ ଅଫିସକୁ  ଯାଇ ଏହି ନୋଟକୁ ବଦଳାଇ ପାରିବେ। ଯଦି ଆପଣ ଅଫିସକୁ ଯାଇପାରୁ ନାହାନ୍ତି, ତେବେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟକୁ RBI ର ଯେକୌଣସି ଇସ୍ୟୁ ଅଫିସକୁ ପଠାଇ ନିଜ ବ୍ୟାଙ୍କ ଆକାଉଣ୍ଟରେ ସେହି ଟଙ୍କା ଜମା କରାଇପାରିବେ।

ଏଭଳି ସୂଚନା ପାଇଁ ନିୟମିତ ଭାବେ ଅପଡେଟ୍ ଦେଖିବାକୁ ଏବଂ ଅଧିକ ବିବରଣୀ ପାଇଁ ଆରବିଆଇର ୱେବସାଇଟ୍ ଯାଞ୍ଚ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପରାମର୍ଶ ଦେଇଛି। ତେଣୁ ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ରହିଛି, ତେବେ ଏହାକୁ ଅକାମୀ ବୋଲି ଭାବନ୍ତୁ ନାହିଁ। RBIର ନିର୍ଦ୍ଦେଶ ଅନୁଯାୟୀ ଆପଣ ସହଜରେ ଏହାକୁ ବଦଳାଇ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ।

ଆଉ କେତେ ଦିନ ପର୍ଯ୍ୟନ୍ତ ଏହି ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ରହିବ ସେ ନେଇ ଆର୍‌ବିଆଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ। ତେବେ କେନ୍ଦ୍ରୀୟ ବ୍ୟାଙ୍କର ଏହି ପୋଷ୍ଟ ପରେ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଖୁବଶୀଘ୍ର ସମାପ୍ତ ହୋଇଯାଇପାରେ ବୋଲି କୁହାଯାଉଛି। ତେଣୁ ଯଦି ଆପଣଙ୍କ ପାଖରେ ଭୁଲ ବଶତଃ ୨୦୦୦ ଟଙ୍କିଆ ନୋଟ୍ ରହିଯାଇଛି, ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ।