ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୧୯୯୪ ମସିହା ବିହାର ଗୋପାଲଗଞ୍ଜର ତତ୍କାଳୀନ ଜିଲ୍ଲାଧିକାରୀ ଜି.କୃଷ୍ଣେୟାଙ୍କ ହତ୍ୟା ଅପରାଧୀ ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରି ସମୟ ପୂର୍ବରୁ ଜେଲରୁ ମୁକ୍ତି ଲାଗି ବିହାର ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ଆନନ୍ଦ ମୋହନଙ୍କୁ ମାସକ ମଧ୍ୟରେ ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଆଜୀବନ କାରାଦଣ୍ଡାଦେଶର ବାକି ଦଣ୍ଡ ଭୋଗିପାରିବେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ଶିଲୁ ନାଗୁଙ୍କ ପୀଠ ମୃତ ଆଇଏଏସ୍ ଅଧିକାରୀ କୃଷ୍ଣେୟାଙ୍କ ପତ୍ନୀ ଉମା କୃଷ୍ଣେୟାଙ୍କ ପକ୍ଷରୁ ବିହାର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନର ସମାଧାନ କରି ଏହି ରାୟ ଦେଇଛନ୍ତି।

ପୀଠ ବିହାର ସରକାରଙ୍କ ୨୦୨୩ର ସେହି ରାୟକୁ ରଦ୍ଦ କରିଦେଇଛନ୍ତି ଯେଉଁଥିରେ ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରି ଜେଲରୁ ମୁକ୍ତ କରିଦେଇଥିଲେ। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ଦୋଷୀ ଆନନ୍ଦ ମୋହନଙ୍କୁ ଦଣ୍ଡରେ ରିହାତି ଦେବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଆଇନ ଦୃଷ୍ଟିରେ ଅନୁଚିତ ଓ ତିଷ୍ଠିବା ଯୋଗ୍ୟ ନୁହେଁ। ସୁପ୍ରିମକୋର୍ଟ ଏଥି ପାଇଁ ଜେଲ ନିୟମାବଳୀରେ କରାଯାଇଥିବା ଏପ୍ରିଲ୨୦୨୩ ସଂଶୋଧନକୁ ମଧ୍ୟ ରଦ୍ଦ କରିଦେଇଛନ୍ତି। ଏଥିରେ ଡ୍ୟୁଟିରେ ମୁତୟନ ଲୋକସେବକ/ସରକାରୀ କର୍ମଚାରୀଙ୍କ ହତ୍ୟାକୁ ସେହି ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଥିଲା ଯେଉଁଥିରେ ଦଣ୍ଡ କୋହଳ କରି ସମୟ ପୂର୍ବରୁ ଜେଲରୁ ମୁକ୍ତି ମିଳିପାରୁନଥିଲା।

୧୯୯୪ ମସିହାରେ ବିହାରର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣେୟାଙ୍କ ହତ୍ୟା ଆନନ୍ଦ ମୋହନଙ୍କ ନେତୃତ୍ୱରେ ଭିଡ ଦ୍ୱାରା କରାଯାଇଥିଲା। ଏହି ମାମଲାରେ ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଥିଲା। ତେବେ ବିହାର ସରକାର ଜେଲ ନିୟମାବଳୀ ସଂଶୋଧନ କରି ୧୪ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଆନନ୍ଦ ମୋହନଙ୍କୁ ୨୪ ଏପ୍ରିଲ ୨୦୨୩ରେ ଜେଲରୁ ମୁକାଳି ଦେଇଥିଲେ। ପୀଠ ରାୟରେ କହିଛନ୍ତି ଯେ ଦଣ୍ଡ କୋହଳ ନିଷ୍ପତ୍ତି ପୂର୍ବରୁ ପୀଡ଼ିତଙ୍କୁ ତାଙ୍କ ପକ୍ଷ ରଖିବାକୁ ଦିଆଯିବାର ଥିଲା। ତେବେ ପୀଡିତଙ୍କ ଆପତ୍ତିକୁ ଭିଟୋ (ଅନ୍ତିମ ରୋକ) ମନେ କରାଯାଇ ପାରିବନି। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ବିହାର ସରକାରଙ୍କ ଦ୍ୱାରା ଏପ୍ରିଲ ୨୦୨୩ରେ ଦଣ୍ଡକୋହଳ ନୀତିରେ କରିଥିବା ସଂଶୋଧନ ଅସାମ୍ବିଧାନିକ ଥିଲା, ଯେଉଁଥିରେ ଲୋକସେବକଙ୍କ ହତ୍ୟା ଲାଗି ଆଜୀବନ ଜେଲଦଣ୍ଡାଦେଶ ପ୍ରାପ୍ତ ଅପରାଧୀକୁ ଦଣ୍ଡ କୋହଳର ସୁବିଧା ଦିଆଗଲା।

ପୀଠ କହିଛନ୍ତି ଯେ ସଂଶୋଧନ ବିନା କୌଣସି ସ୍ପଷ୍ଟ ଉଦ୍ଦେଶ୍ୟରେ ଅଚାନକ ନିଆଯାଇଥିବା ପଦକ୍ଷେପ ଥିଲା। ଏଥି ପାଇଁ ଏହି ସଂଶୋଧନ ଅନୁଚ୍ଛେଦର ୧୪ ଓ ୨୧କୁ ଉଲ୍ଲଂଘନ କରୁଥିବା କହିଛନ୍ତି। ରାୟରେ କୁହାଯାଇଛି ଯେ ଦଣ୍ଡକୋହଳ ନୀତି ଅନୁସାରେ ଯେଉଁମାନେ ଡ୍ୟୁଟିରେ ମୁତୟନ ଲୋକସେବକଙ୍କ ହତ୍ୟାର ଦୋଷୀ ସେମାନେ ସେ ପର୍ଯ୍ୟନ୍ତ ମୁକ୍ତିର ପାତ୍ର ନୁହନ୍ତି ଯେଉଁ ପର୍ଯ୍ୟନ୍ତ ସେମାନେ ମୋଟ ଦଣ୍ଡର ୨୦ ବର୍ଷ ଜେଲରେ ନ ବିତାଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏପ୍ରିଲ ୨୦୨୩ ଦଣ୍ଡକୋହଳ ନୀତିରେ ସଂଶୋଧନ କରି ଏହି ରୋକକୁ ହଟାଇ ଦେଇଛନ୍ତି। ଫଳରେ ଆନନ୍ଦ ମୋହନଙ୍କ ମୁକ୍ତିର ରାସ୍ତା ଉନ୍ମୁକ୍ତ ହୋଇଯାଇଥିଲା।