ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ଭିତରେ ଦୀପ ଜାଳିଲେ । ଶଙ୍ଖ ଫୁଙ୍କି କଲେ ପୂଜାର୍ଚ୍ଚନା । ଜଣେ ଯାତ୍ରୀଙ୍କ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ରେଳବାଇ ।

ଭାଇରାଲ୍ ଭିଡିଓରେ ବ୍ୟକ୍ତି ଜଣକ ଏସି ଟ୍ରେନ୍ କୋଚ୍ ଭିତରେ ବସି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ଯାତ୍ରୀ ଜଣକ କଳା ଧୋତି ପିନ୍ଧିଥିବା ବେଳେ ତାଙ୍କ ଶରୀରରେ ବିଭୂତି ଲାଗିଛି । ତାଙ୍କ ସାମ୍ନାରେ ଥିବା ଏକ ଛୋଟ ଟେବୁଲ୍ ଉପରେ ଦେବାଦେବୀଙ୍କ ଫଟୋ, ଫୁଲ, ପୂଜା ସାମଗ୍ରୀ ଓ ଜଳୁଥିବା ଦୀପ ରହିଛି । ଟ୍ରେନ୍ ଚାଲୁଥିବା ସମୟରେ ସେ ଶଙ୍ଖ ଫୁଙ୍କିବା ସହ ଆଳତି କରୁଛନ୍ତି ।

ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ଚିନ୍ତା ପ୍ରକାଶ କରିବା ସହ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଧାର୍ମିକ ଆସ୍ଥା ବ୍ୟକ୍ତିଗତ ବିଷୟ ହୋଇଥିଲେ ମଧ୍ୟ ଏକ ବନ୍ଦ ଟ୍ରେନ୍ କୋଚ୍ ଭିତରେ ଜଳନ୍ତା ଦୀପ ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି ।

ଭାଇରାଲ୍ ଭିଡିଓ ଉପରେ ଭାରତୀୟ ରେଳବାଇର ପ୍ରତିକ୍ରିୟା ଆସିଛି । ରେଲୱେ ସେବା ଆକାଉଣ୍ଟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଆବଶ୍ୟକ ତଥ୍ୟ ମଗାଯାଇଛି । ଏଥିପାଇଁ ଯାତ୍ରାର ତାରିଖ ଓ ସମୟ, ଟ୍ରେନ୍ ନମ୍ବର, ପିଏନଆର୍ କିମ୍ବା ୟୁଟିଏସ୍ ନମ୍ବର ଏବଂ ମୋବାଇଲ୍ ନମ୍ବର ଦେବାକୁ କୁହାଯାଇଛି । ଏହି ତଥ୍ୟ ମିଳିବା ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ ।

 

ଏଥିସହ ଟ୍ରେନ୍ ଭିତରେ ଅଗ୍ନିକାଣ୍ଡର ଆଶଙ୍କା ସୃଷ୍ଟି କରୁଥିବା କୌଣସି କାର୍ଯ୍ୟକଳାପ ଦେଖିଲେ ଯାତ୍ରୀମାନେ ଅଭିଯୋଗ କରିବାକୁ ରେଳବାଇ ପରାମର୍ଶ ଦେଇଛି । ଏଥିପାଇଁ ରେଲମଦଦ୍ ପୋର୍ଟାଲ୍ କିମ୍ବା ୧୩୯ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିହେବ ।

ଏହି ଘଟଣାକୁ ନେଇ କିଛି ସୋସିଆଲ ମିଡିଆ ୟୁଜର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ କିଛି ଲୋକ ଟ୍ରେନ୍ ଭିତରେ ରେଳ କର୍ମଚାରୀଙ୍କ ଉପସ୍ଥିତି ଓ ଏଭଳି କାର୍ଯ୍ୟକୁ କାହିଁକି ରୋକାଗଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।