ନୂଆଦିଲ୍ଲୀ,|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଜାରି ରହିଛି ଅଶାନ୍ତ ବାତାବରଣ। ଏହାର ପ୍ରଭାବ ଘରୋଇ ଅର୍ଥବ୍ୟବସ୍ଥାରେ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମଏଫ୍) ଭାରତର ଅଭିବୃଦ୍ଧି ଅନୁମାନକୁ ଖସାଇ ଦେଇଛି। ଚଳିତ ଆର୍ଥିକବର୍ଷ ଦେଶର ଅର୍ଥବ୍ୟବସ୍ଥା ୬.୪% ଅଭିବୃଦ୍ଧି ନେଇ ବଢ଼ିବ ବୋଲି ଏହା ସଂଶୋଧିତ ଅନୁମାନ କରିଛି। ଏହାର ପୂର୍ବ ଅନୁମାନ ଥିଲା ୬.୫%।

ତେବେ ଆସନ୍ତା ଆର୍ଥିକବର୍ଷ ପାଇଁ ଆଇଏମଏଫ୍ ଭାରତର ଅଭିବୃଦ୍ଧି ଅନୁମାନକୁ ୦.୨% ବଢ଼ାଇ ୬.୭% କରିଛି। ୬.୪% ଅଭିବୃଦ୍ଧି ସହିତ ଭାରତ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ରହିବ ବୋଲି ଆଇଏମଏଫ୍ ପ୍ରକାଶ କରିଛି। ମଜଭୁତ ଘରୋଇ ଚାହିଦା ଏବଂ ସେବା କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଏହା ସମ୍ଭବ ହେବ ବୋଲି ଆଇଏମଏଫ୍ କହିଛି।

ତେବେ ୨୦୨୬ ପାଇଁ ବିଶ୍ୱ ଅଭିବୃଦ୍ଧି ଅନୁମାନକୁ ୩.୦%କୁ ଖସାଇଛି ଆଇଏମଏଫ୍। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବିଶ୍ଵ ଅର୍ଥବ୍ୟବସ୍ଥାରେ କଳାବାଦଲ ସୃଷ୍ଟି କରିଥିବା ଏହା ପ୍ରକାଶ କରିଛି। ଆଇଏମଏଫ୍ ଅନୁସାରେ, ଯୁଦ୍ଧ ସତ୍ତ୍ୱେ ବିଶ୍ଵ ଅର୍ଥବ୍ୟବସ୍ଥା ଏକ ବଡ଼ ଧରଣର ମାନ୍ଦାବସ୍ଥାକୁ ଏଡ଼ାଇପାରିଛି। ପ୍ରଯୁକ୍ତି ଶିଳ୍ପ ସହ ଜଡ଼ିତ ମଜଭୁତ ଚାହିଦା ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ସଂକୁଚିତ ଶକ୍ତି ଯୋଗାଣର ପ୍ରଭାବକୁ କମାଇବାରେ ସହାୟକ ହୋଇଛି। ୨୦୨୭ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ୩.୪%କୁ ସୁଧୁରିବ ବୋଲି ଆଇଏମଏଫ୍ ପ୍ରକାଶ କରିଛି।

୨୦୨୬ ପାଇଁ ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ଅନୁମାନକୁ ଏହା ୨.୩% ରେ ସ୍ଥିର ରଖିଛି । ୨୦୨୭ରେ ଆମେରିକା ଅର୍ଥବ୍ୟବସ୍ଥା ୨.୨% କୁ ବଢ଼ିବ ବୋଲି ଆଇଏମଏଫ୍ ଅନୁମାନ କରିଛି। ୟୁରୋପ ପାଇଁ ଏହା ଚଳିତ ବର୍ଷ ପାଇଁ ଅଭିବୃଦ୍ଧି ଅନୁମାନକୁ ୦.୯% କୁ ଖସାଇଛି। ଏପ୍ରିଲରେ ଏଥିପାଇଁ ୧.୧% ପୂର୍ବାନୁମାନ କରାଯାଇଥିଲା। ୨୦୨୭ରେ ୟୁରୋପର ଅଭିବୃଦ୍ଧି ୧.୨% ରହିବ ବୋଲି ଆଇଏମଏଫ୍ ଆକଳନ କରିଛି। ୨୦୨୬ରେ ଚୀନର ଆର୍ଥିକ ବିକାଶ ହାର ଅନୁମାନକୁ ୪.୬%କୁ ବଢ଼ାଇଛି ଆଇଏମଏଫ୍। ଏପ୍ରିଲରେ ଏଥିପାଇଁ ୪.୪% ପୂର୍ବାନୁମାନ କରାଯାଇଥିଲା। ସେହିଭଳି ୨୦୨୭ ପାଇଁ ଚୀନ୍ର ଅଭିବୃଦ୍ଧି ଅନୁମାନକୁ ୪.୦%ରୁ ୪.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି ।