ତିରୁପତି: ଚେନ୍ନାଇର ଭକ୍ତ ବର୍ଦ୍ଧମାନ ଜୈନ ଓ ତାଙ୍କ ପତ୍ନୀ ରାଧିକା ଜୈନ ୨୬ ନଭେମ୍ବର ଗୁରୁବାର ତିରୁମାଲା ମନ୍ଦିରକୁ ୧୨୧ କେଜି ସ୍ୱର୍ଣ୍ଣ ଆଭୂଷଣ ଓ ୨୦୮ କୋଟି ଟଙ୍କା ମୂଲ୍ୟର ହୀରା ଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁଙ୍କ ଉପସ୍ଥିତିରେ ଦେଇଥିବା ଦାନରେ ୯ଟି ସେଟ୍ ରେ ୪୬ ପ୍ରକାରର ଆଭୂଷଣ ରହିଛି। ଏହି ସବୁ ଆଭୂଷଣରେ ଶ୍ରୀୱାରୀ ମୁକୁଟ, ପଦ୍ମ ପାଦାଲୁ (ପାଦର ଆଭୂଷଣ) ସମେତ ୨୩୮.୨ କ୍ୟାରେଟ ହୀରା ସହିତ ଅନ୍ୟ ଆଭୂଷଣ ରହିଛି। ଏହାକୁ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ଇତିହାସରେ କୌଣସି ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦିଆଯାଇଥିବା ସବୁଠୁ ବଡ଼ ଭେଟି ବୋଲି କୁହାଯାଉଛି।

କୁହାଯାଇଛି ଚେନ୍ନାଇର ଜୈନ ଦମ୍ପତ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଉପସ୍ଥିତିରେ ଶ୍ରୀୱାରୀଙ୍କୁ ୧୨୧ କେଜି ସୁନା ଦାନ କରିଛନ୍ତି। ଟିଟିଡି ସୂତ୍ର ଅନୁସାରେ ଦାନ କରାଯାଇଥିବା ରତ୍ନ ଓ ଆଭୂଷଣରେ ଶ୍ରୀୱାରୀଙ୍କୁ ଦିଆଯାଇଥିବା ସ୍ୱର୍ଣ୍ଣାଭୂଷଣର ଓଜନ ୧୦୬ କେଜି। ସେହିପରି ଦେବୀ ଶ୍ରୀ ପଦ୍ମାବତୀ ଅମ୍ମାବରୁଙ୍କୁ ୧୫ କେଜି ଓଜନର ପୋଷାକ ଭେଟି ଚଢାଯାଇଛି। ଏହି ଭବ୍ୟ ଉପହାରରେ ସୁନାର ବାଘ-ନଖ, ବିଭିନ୍ନ ପ୍ରକାରର ଚେନ, ମୁକୁଟ, ପଦ୍ମପାଦ, କମରବନ୍ଧ, ହାତ ଲାଗି ଆବରଣ, ଶଙ୍କ ଓ ଚକ୍ର ଚିହ୍ନ ସହ ଅନ୍ୟ ପାରମ୍ପରିକ ଆଭୂଷଣ ରହିଛି।

ଏହି ସବୁ ଆଭୂଷଣକୁ ଆଗମ ଶାସ୍ତ୍ର ପରମ୍ପରା ଓ ଟିଟିଡିଙ୍କ ନିର୍ଦ୍ଦେଶାନୁସାର ତିଆରି କରାଯାଇଥିଲା। ଟିଟିଡି ନିକଟରେ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ପାଖାପାଖି ୧୧ ଟନରୁ ଅଧିକ ସୁନା ଅଛି। ଭଗବାନ ଭେଙ୍କଟେଶ୍ୱରଙ୍କୁ ଏତେ ବିପୁଳ ସ୍ୱର୍ଣ୍ଣ ଉପହାର ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଜୈନ ଦମ୍ପତ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି। କହିଛନ୍ତି ସ୍ୱର୍ଣ୍ଣାଭୂଷଣ ସହ ବହୁମୂଲ୍ୟ ହୀରା ମଧ୍ୟ ଭେଟି ଦେଇଛନ୍ତି, ଯାହାର ମୋଟ ମୂଲ୍ୟ ୨୦୬ କୋଟି ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଡି ପକ୍ଷରୁ ୫ ହଜାର ମନ୍ଦିର ନିର୍ମାଣ କରାଯିବ। ସବୁ ମନ୍ଦିରରେ ଅନ୍ନ ପ୍ରସାଦମ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଏକ୍ସେସ ହେଲଥ କେୟାର ଓ ଏସିୟାନ ଚେନ୍ନାଇ ଇଞ୍ଜିନିୟରିଂର ସଂସ୍ଥାପକ ଜୈନ ୧୯ ଜାନୁୟାରୀ ୨୦୨୫ରେ ତିରୁମାଲା ମନ୍ଦିରକୁ ୬ କୋଟି ଟଙ୍କା ଦାନ କରିଥିଲେ। ମେ ୧୬ ତାରିଖରେ ଟିଟିଡିକୁ ଇଲେକ୍ଟ୍ରିକ୍ ବସ୍ ଦାନ କରିଥିବା ବେଳେ ଏହା ପୂର୍ବରୁ ଟିଟିଡିକୁ ୧ କୋଟି ଟଙ୍କା ମୁଦ୍ରା ଜମା କରିପାରିବା ଭଳି ମେସିନ ଉପହାର ଦେଇଥିଲେ।