ରାୟଗଡ଼ା : ରାୟଗଡ଼ାରେ ରିପିଟ୍ ହୋଇଛି ବାଲିଅନ୍ତା ବର୍ବରତା । ଭିଡ଼ ହିଂସାର ଶିକାର ହୋଇଛନ୍ତି ଜଣେ ଯୁବତୀ । କେବଳ ଗୋଟେ ସଂଦେହକୁ ନେଇ ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ସର୍ବ ସମ୍ମୁଖରେ ତାଙ୍କୁ ବିବସ୍ତ୍ର କରି ମାଡ଼ ମରାଯାଇଛି । ଘଟଣା ସମୟରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାକୁ ସମ୍ପୂର୍ଣ୍ଣ ଦେଖାଇବା ଆମ ପକ୍ଷେ ସମ୍ଭବ ନୁହେଁ । ସବୁ ସୀମା ଟପିଛି, ଜଣେ ଯୁବତୀଙ୍କ ପ୍ରତି, ଜଣେ ମହିଳାଙ୍କ ପ୍ରତି ଏଭଳି ଅମାନୁଷିକ କାଣ୍ଡ । ଘଟଣା ଥିଲା କିଛି ଏମିତି … ଗତକାଲି ରାତି ପ୍ରାୟ ୮ଟା ହେବ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଂଚଳର ଏକ ଏନଜିଓରେ କାମ କରୁଥିବା ଦିଲ୍ଲୀ ଆଜାଦପୁରର ଯୁବତୀ ଓ ତାଙ୍କ ସହକର୍ମୀ ତଥା ସୁରତ ଅଂଚଳର ଜଣେ ଯୁବକ କୌଣସି କାମରେ ସ୍କୁଟରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଯାଉଥିଲେ । ଗୁଗଲ ମ୍ୟାପ୍ ଦେଖି ସେମାନେ ଯାଉଥିବା ବେଳେ ଭୁଲ୍ରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ପସିଯାଇଥିଲେ । ସେମାନେ ହିନ୍ଦିରେ କଥା ହେଉଥିବାର ଦେଖି କିଛି ଲୋକ ସଂଦେହରେ ସେମାନଙ୍କୁ ପିଲା ଚୋର ଭାବି ଗୋଡ଼ାଇଥିଲେ । ପ୍ରାୟ ୧୨ କିଲୋମିଟର ଗୋଡ଼ାଇବା ପରେ କଲ୍ୟାଣସିଂହପୁର ସାଇରାମନଗରରେ ସେମାନଙ୍କୁ ଘେରି ଯାଇଥିଲେ ଶତାଧିକ ଲୋକ । ଆଉ ଲୋକଙ୍କ ଭିଡ଼ ଭିତରୁ କିଛି ଲୋକ ଉଭୟଙ୍କ ଉପରେ ଆରମ୍ଭ କରିଦେଇଥିଲେ ଆକ୍ରମଣ । ଏମିତିକି ଯୁବତୀଙ୍କୁ ମାଡ଼ ମାରିବା ସହ ପୋଷାକ ଚିରି ବିବସ୍ତ୍ର କରିଦେଇଥିଲେ । କିଛି ଲୋକ ସଂପୃକ୍ତ ଯୁବତୀ ଓ ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପାରିନଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ବହୁ କଷ୍ଟରେ ଉତ୍ୟକ୍ତ ଲୋକଙ୍କ କବଳରୁ ଆହତ ଯୁବକ-ଯୁବତୀଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଏହା ପରେ ବି ଡାକ୍ତରଖାନାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ କିଛି ଲୋକ । ଫଳରେ ଡାକ୍ତରଖାନାରେ ଏକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ରାୟଗଡ଼ା ଏସପି ଓ SDPO ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ତିନି ତିନିଟି ମାମଲା ରୁଜୁ ହୋଇଛି । ପ୍ରଥମତଃ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ଭଙ୍ଗାରୁଜାକୁ ନେଇ ଡାକ୍ତରଖାନା ପକ୍ଷରୁ ଏକ ମାମଲା ହୋଇଛି । ସେହିଭଳି ପୋଲିସ କର୍ମୀଙ୍କୁ ଠେଲାପେଲା,ଧକ୍ମା ମୁକି ନେଇ ମଧ୍ୟ ଏକ ମାମଲା ହୋଇଛି । ଘଟଣାରେ ତଦନ୍ତ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସପି ।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବର୍ବରତା ପରେ ରାୟଗଡ଼ାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା । କେବଳ ଗୋଟେ ସଂଦେହରେ ଜଣେ ଯୁବତୀଙ୍କୁ ଯେଉଁଭଳି ଭାବେ ଭିଡ଼ ଭିତରେ ଆକ୍ରମଣ ଓ ଅତ୍ୟାଚାର କରାଯାଇଛି ତାକୁ କେବେ ବି ଗ୍ରହଣ କରିପାରିବନି ସଭ୍ୟ ସମାଜ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି ।

Also Read- iPhone କିଣିବା ପରେ ସାଙ୍ଗ ହୋଇ ମଦ ପିଇଲେ, ଟଙ୍କା ପାଇଁ ଗଣ୍ଡଗୋଳ କଲେ