ନୂଆଦିଲ୍ଲୀ ୨୬।୦୬; ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗୁରୁବାର ବିଳମ୍ବିତ ରାତିରେ ରାମଗଡ଼-ବୋକାରୋ ମୁଖ୍ୟ ରାସ୍ତାର ଟ୍ରକ୍-ପିକଅପ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଯାହାଫଳରେ ୭ ଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା ଏବଂ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ।  ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାମଗଡ଼ ସଦର ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚିର RIMS କୁ ରେଫର କରାଯାଇଥିଲା। ସମସ୍ତ ମୃତକ ଏକ ମେଲୋଡି ପାର୍ଟିର ସଦସ୍ୟ ଥିଲେ ଏବଂ ମହରମ୍ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରି ନିଜ ଗାଁକୁ ଫେରୁଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍ ଟ୍ରକ୍ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା।

ଟ୍ରକ୍ ଜବତ କରିଛି ପୋଲିସ୍

ପୋଲିସ୍ ଟ୍ରକ୍ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ଟ୍ରକ୍ ଡ୍ରାଇଭର ଫେରାର୍ ଥିବା ଜଣାପଡ଼ିଛି। ସମସ୍ତ ମୃତକଙ୍କ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ। ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ, ନିୟନ୍ତ୍ରଣହୀନ ଟ୍ରକ୍ ସେମାନଙ୍କ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଇଥିଲା। ଘଟଣା ପରେ, ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନର ଲମ୍ବା ଧାଡ଼ି ଲାଗି ରହିଥିଲା। ପରେ ଗ୍ରାମବାସୀମାନେ କ୍ଷତିପୂରଣ ଏବଂ ଦ୍ରୁତଗାମୀ ଯାନବାହାନକୁ ରୋକିବା ପାଇଁ ପଦକ୍ଷେପ ଦାବି କରି ପ୍ରତିବାଦ କରିଥିଲେ।