ମୁମ୍ଵାଇ ୦୨।୦୪; ଶେଷରେ ସେହି ଦିନ ଆସିଗଲା । ଯେଉଁଥିପାଇଁ ସମସ୍ତଙ୍କ ଅପେକ୍ଷା ଥିଲା। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ରାମାୟଣର ଟିଜର ରିଲିଜ୍ ହୋଇଛି। ଭକ୍ତି ଏବଂ ଭାବପ୍ରବଣତାରେ ପରିପୂର୍ଣ୍ଣ ‘ରାମାୟଣ’ର ଏହି ପ୍ରଥମ ଝଲକ ଦେଖି ଲୋକମାନେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି। ୨ ମିନିଟ୍ ୩୮ ସେକେଣ୍ଡର ଟିଜରରେ ରଣବୀର କପୁରଙ୍କୁ ଭଗବାନ ରାମ ଭାବରେ ତାଙ୍କର ସ୍ୱର୍ଗୀୟ ଅବତାରରେ ଏକ ଝଲକ ଦେଖିବାକୁ ମିଳିଛି। ହନୁମାନ ଜୟନ୍ତୀର ପବିତ୍ର ଅବସରରେ ରାମାୟଣର ଏପରି ଏକ ଚମତ୍କାର ଝଲକ ଦେଖି ଲୋକ ଉତ୍ସାହିତ ହୋଇଯାଇଛନ୍ତି।

'ରାମାୟଣ' ଟିଜର ରିଲିଜ୍

ଏହି ୨ ମିନିଟ୍ ୩୮ ସେକେଣ୍ଡର ଭିଡିଓ ଦର୍ଶକଙ୍କୁ କିମିଆ କରିଛି। ଟିଜରରେ ରଣବୀର କପୁରଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତାଙ୍କ ମୁହଁ ପ୍ରକାଶ କରାଯାଇନାହିଁ। ସନି ଦେଓଲଙ୍କ କଣ୍ଠସ୍ୱର "ରାମ" ବୋଲି ଡାକୁଥିବାର ଶୁଣିବାକୁ ମିଳୁଛି। କେବଳ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ରବି ଦୁବେ ଏବଂ ସୀତା ଭୂମିକାରେ ଅଭିନୟ କରୁଥିବା ସାଇ ପଲ୍ଲବୀଙ୍କ ଅସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି। ଟିଜରର ଶେଷରେ, ରାବଣ ଭୂମିକାରେ ୟଶଙ୍କ ଏକ ଝଲକ ପ୍ରଶଂସକଙ୍କ ମନକୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ ପୌରାଣିକ କାହାଣୀ ‘ରାମାୟଣ’ର ଗାଥାକୁ ଆଧୁନିକ ସିନେମାଟିକ୍ ସହିତ ଉପସ୍ଥାପିତ କରାଯାଇଥିଲା। ଭିଡିଓର ଆରମ୍ଭରୁ ରଣବୀର କପୁରଙ୍କୁ ଧନୁ ଧରିଥିବା ଯୋଦ୍ଧା ଭାବରେ ଦେଖାଯାଉଛି। ଯେତେବେଳେ କି ରାବଣ ଭୂମିକାରେ ୟଶଙ୍କ ଲୁକ୍ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି।  ତାଙ୍କର ଆକର୍ଷଣୀୟ ଶରୀର, କଳା ପୋଷାକ ପିନ୍ଧିବା ସହ ମୁଣ୍ଡରେ ଥିବା ମୁକୁଟ ପଛରୁ ଦମଦାର ଭାବେରେ ଚାଲୁଥିବା ନଜର ଆସିଛନ୍ତି। ସବୁଠାରୁ ବଡ କଥା ଟିଜରରେ ୟଶଙ୍କ ମୁହଁ ଦେଖାଯାଇନାହିଁ। ପ୍ରଶଂସକମାନେ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ଆକର୍ଷିତ ହୋଇଛନ୍ତି। 

ଟିଜରରେ ରାମ ଭୂମିକାରେ ରଣବୀର କପୁରଙ୍କ ବୀରତ୍ୱ ପ୍ରଦର୍ଶନ କରାଯାଇଥିବା ବେଳେ, ୟଶଙ୍କ ଝଲକ ଇଣ୍ଟରନେଟରେ ପ୍ରଶଂସକମାନଙ୍କ ହୃଦୟ ଜିତିଛି। ଜଣେ ଲେଖିଛନ୍ତି, "ଯଶଙ୍କ ଏଣ୍ଟ୍ରି ମୋତେ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ଜଣେ ଲେଖିଛନ୍ତି, "ଏହି ଫିଲ୍ମ ବିଶ୍ୱବ୍ୟାପୀ ହିଟ୍ ହେବାକୁ ଯାଉଛି। ଅନ୍ୟ ଜଣେ ଲେଖିଛନ୍ତି ଏହି ସବୁ ଷ୍ଟାରକାଷ୍ଟଙ୍କ ବିଷୟରେ କିଛି କହିପାରିବିନି...। ସମ୍ପୂର୍ଣ୍ଣ ଭିଡିଓରେ ଉଚ୍ଚସ୍ତରୀୟ VFX ବ୍ୟବହାର କରାଯାଇଛି। ଯାହାର ପ୍ରତ୍ୟେକ ଫ୍ରେମରେ ଉଚ୍ଚକୋଟିର କାମ ଦେଖିବାକୁ ମିଳିଛି।  ଅନେକ ଲୋକ ଫିଲ୍ମରେ ଏଆଇ ଟେକନୋଲୋଜିକୁ ନେଇ ଭୁରିଭୁରି ପ୍ରଶଂସା କରିଛନ୍ତି । ସେମାନେ ଫିଲ୍ମକୁ ହଲିଉଡ୍ ଲେବଲ ସହ ତୁଳନା କରିଛନ୍ତି ।  ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର ଦୀପାବଳୀରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଫିଲ୍ମର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଯେ ଟ୍ରେଲର ଏହାର ଷ୍ଟାର କାଷ୍ଟର ଆହୁରି ଝଲକ ପ୍ରଦାନ କରିବ।

ଦମଦାର VFX ଏବଂ ସଙ୍ଗୀତ

ଏହି ଟିଜରରେ ଦମଦାର ଭିଏଫଏକ୍ସ (VFX) ଦେଖିବାକୁ ମିଳିଛି। ଓସ୍କାର ବିଜେତା କମ୍ପାନୀ ଡିଏନଇଜି (DNEG) ଏହାର ଭିଜୁଆଲ୍ ଉପରେ କାମ କରିଥିବା ବେଳେ ଏହାକୁ ଭାରତର ସବୁଠାରୁ ବଡ଼ ତଥା ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବିଶ୍ୱସ୍ତରୀୟ ସଙ୍ଗୀତକାର ହାନସ୍ ଜିମର (Hans Zimmer) ଏବଂ ଭାରତର ଗର୍ବ ଏଆର୍ ରହମାନ (AR Rahman) ମିଳିତ ଭାବେ ତୁଲାଉଛନ୍ତି। ଲସ୍ ଆଞ୍ଜେଲସ୍ ଏବଂ ମୁମ୍ବାଇରେ ଏକ ସ୍ୱତନ୍ତ୍ର ଇଭେଣ୍ଟ ମାଧ୍ୟମରେ ଏହି ଟିଜରକୁ ପ୍ରଦର୍ଶିତ କରାଯାଇଥିଲା।

ଚରିତ୍ର ଏବଂ ଷ୍ଟାର କାଷ୍ଟ

ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ମାତା ସୀତାଙ୍କ ଭୂମିକାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ସୁପରଷ୍ଟାର ୟଶ ନଜର ଆସିବେ। ସେହିପରି ପ୍ରଭୁ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲ ଏବଂ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଅଭିନୟ କରୁଛନ୍ତି। ନିଜ ଚରିତ୍ର ସମ୍ପର୍କରେ ରଣବୀର କହିଛନ୍ତି ଯେ, "ମୁଁ ପ୍ରଭୁ ରାମଙ୍କୁ ଉପସ୍ଥାପନ କରିବାକୁ ନୁହେଁ, ବରଂ ତାଙ୍କ ଠାରୁ ଶିଖିବାକୁ ଆସିଛି। ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ"।

Also Read-