ଅଯୋଧ୍ୟା : ରାମ ମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବଡ଼ ଖବର ସାମ୍ନାକୁ ଆସୁଛି। ସୋମବାର ଅନୁଷ୍ଠିତ ରାମମନ୍ଦିର ଟ୍ରଷ୍ଟ ବୈଠକରେ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଡ. ଅନିଲ କୁମାର ମିଶ୍ରଙ୍କ ଇସ୍ତଫା ମଞ୍ଜୁର ହୋଇଛି। ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଦୁଇ ପଦାଧିକାରୀଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ହୋଇଛି। ଦାନ ଚୋରି ମାମଲା ସାମ୍ନାକୁ ଆସିବା ପରେ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିଲା। ମାମଲାର ଏସଆଇଟି ଯାଞ୍ଚ ଆଦେଶ ଦିଆଯିବା ପରେ ଚମ୍ପତ ରାୟ ଓ ଅନିଲ ମିଶ୍ର ନିଜନିଜ ପଦବୀରୁ ଇସ୍ତଫା ଦେଇଥିଲେ, ଯାହାକୁ ଆଜି ସ୍ୱୀକାର କରାଯାଇଛି।

ଟ୍ରଷ୍ଟ ବୈଠକରେ ଦାନ ଚୋରି ଯୋଗୁ ସାରା ଦେଶରେ ମନ୍ଦିର ବଦନାମ ହୋଇଥିବା କୁହାଯାଇଥିଲା। ତେବେ ଦିନେନ୍ଦ୍ର ଦାସ କହିଥିଲେ ଯେ ପ୍ରଥମେ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ବିଚାର ହେଉ। ପରେ ଆପଣମାନେ ନିଜନିଜ ବିଷୟ ରଖିବେ ତା ଉପରେ ମଧ୍ୟ ଚର୍ଚ୍ଚା ହେବ। ଏହି ବୈଠକରେ ଗୋପାଳ ରାଓ ମଧ୍ୟ ସାମିଲ ହେବାକୁ ଚେଷ୍ଟା କରିଥିଲେ। ତେବେ ସଦସ୍ୟମାନେ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ। ଟ୍ରଷ୍ଟ ବୈଠକରେ ଏ କଥା ନେଇ ମଧ୍ୟ ଚର୍ଚ୍ଚା ହୋଇଛି ଯେ ବର୍ତ୍ତମାନ ଲାଗି ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ ମନ୍ଦିର ଦାୟିତ୍ୱ ନେବାକୁ ପଡିବ।

ଟ୍ରଷ୍ଟରେ ଚମ୍ପତ ରାୟଙ୍କ ଭୂମିକା ସାଧାରଣ ସମ୍ପାଦକର ଥିଲା। ବୈଠକରେ ଏ କଥା ମଧ୍ୟ ରଖା ଯାଇଥିଲା ଯେ ମନ୍ଦିରରେ ଯେତେ ବି ନୂଆ ନିଯୁକ୍ତି ହୋଇଛି ତାହା ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଦ୍ୱାରା ହୋଇଥିଲା। ତେବେ ବୈଠରେ ସାମିଲ ସ୍ୱାମୀ ପରମାନନ୍ଦ ଗିରି କହିଥିଲେ ଯେ ଧର୍ମ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଯେତେବେଳେ ଲୋକେ ଆସ୍ଥାର ସହ ଯୋଡି ହୁଅନ୍ତି ସେତେବେଳେ ଛୋଟଛୋଟ କଥାର ମଧ୍ୟ ଖିଆଲ ରଖିବା ଜରୁରି ହୋଇଥାଏ। ଦାନ ଚୋରିର ଯେଉଁ ଅଭିଯୋଗ ହେଉଛି ଏଥିରେ ପୁରା ଦେଶ ଆହତ ଓ ଏଥି ଯୋଗୁ ବଦନାମୀ ମଧ୍ୟ ହେଉଛି।