ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସଂପ୍ରତି ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ଟ୍ରଷ୍ଟର ଢାଞ୍ଚା ଏବଂ ପଦ ପଦବୀକୁ ନେଇ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଅନୁମାନ ଅନୁଯାୟୀ, ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କ ଟ୍ରଷ୍ଟକୁ ପ୍ରତ୍ୟାବର୍ତ୍ତନ ଘଟିନି, ମାତ୍ର ଟ୍ରଷ୍ଟର ନୂଆ ସଦସ୍ୟ ଚୟନରେ ଚମ୍ପତଙ୍କ ସାଂଗଠନିକ ଛାପ ଦେଖିବାକୁ ମିଳିଛି। ରାମ ମନ୍ଦିର ଆନ୍ଦୋଳନରେ ବିଶ୍ଵ ହିନ୍ଦୁ ପରିଷଦ ଆରମ୍ଭରୁ ସେ ପ୍ରମୁଖ ଭୂମିକା ନିଭାଇ ଆସିଛନ୍ତି। ଏହି ପୃଷ୍ଠ ଭୂମିରେ ଟ୍ରଷ୍ଟର ମହାସଚିବ ରୂପେ ଚମ୍ପତ ରାୟ ସଂଘ ପରିବାରର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ଚେଷ୍ଟା କରି ଆସିଛନ୍ତି।

ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ପରେ ଚମ୍ପତ ରାୟଙ୍କୁ ମହାସଚିବ ପଦରୁ ହଟିବାକୁ ପଡ଼ିଥିଲା। ତଥାପି ଟ୍ରଷ୍ଟରୁ ଦୂରରେ ରହି ବି ସଂଗଠନରେ ତାଙ୍କ ଭୂମିକା ଓ ପ୍ରଭାବକୁ ନେଇ ଚର୍ଚ୍ଚା ଜାରି ରହିଛି। ନୂଆ ଟ୍ରଷ୍ଟି ମଧ୍ୟରେ ଅଶୋକ ସିଂଘଲ ଫାଉଣ୍ଡେସନର ସଂସ୍ଥାପକ ଟ୍ରଷ୍ଟି ମହେଶ ଭାଗଚନ୍ଦକା ଓ ରାମ ମନ୍ଦିର ମୋକଦ୍ଦମା ସହ ଜଡିତ ଆଇନଜୀବୀ ମଦନମୋହନ ପାଣ୍ଡେଙ୍କ ନାଁ ରହିବା ଚମ୍ପତଙ୍କ ପ୍ରଭାବ ସହ ଯୋଡ଼ି କି ଦେଖା ଯାଉଛି।

Also Read: ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO, 'ଅପରେସନ୍ ସିନ୍ଦୂର'ରେ ଥିଲା ବଡ଼ ଭୂମିକା

ଦିଲ୍ଲୀର ଉଦ୍ୟୋଗପତି ମହେଶ ଭାଗଚନ୍ଦକା ଅଶୋକ ସିଂଘଲ ଫାଉଣ୍ଡେସନର ସ୍ଥାପନା କରିଥିଲେ। ଚମ୍ପତ ରାୟ ମଧ୍ୟ ଏହାର ଆଜୀବନ ଟ୍ରଷ୍ଟି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଜଡ଼ିତ ବଡ଼ ବଡ଼ ଆୟୋଜନରେ ଭାଗଚନ୍ଦକାଙ୍କ ସକ୍ରିୟତା ରହିଛି। ଏହି ପରି ମଦନମୋହନ ପାଣ୍ଡେ ରାମ ମନ୍ଦିର ମୋକଦ୍ଦମାରେ ଆଡଭୋକେଟ୍ ଭାବେ ଦାୟିତ୍ଵ ତୁଲାଇ ଆସିଥିଲେ। ଉଭୟ ଚମ୍ପତ ରାୟଙ୍କ ନିକଟତର।

ଚମ୍ପତ ରାୟଙ୍କ ଛାୟା": ଏହି ପରିବର୍ତ୍ତନରେ ତାଙ୍କର କ’ଣ ପ୍ରଭାବ ରହିଛି ? ଟ୍ରଷ୍ଟରୁ ଓହରିଯାଇଥିଲେ ବି ବର୍ତ୍ତମାନ ହୋଇଥିବା ନୂଆ ନିଯୁକ୍ତିରେ ଚମ୍ପତ ରାୟ ଏବଂ VHP ର ରଣନୀତିକ ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି।

Also Read: ବର୍ଷକର ଆୟ ୨୩୭ କୋଟି, ଖର୍ଚ୍ଚ ୯୧ କୋଟି ଟଙ୍କା... ଜାଣନ୍ତୁ ରାମ ମନ୍ଦିର ଟ୍ରଷ୍ଟ ଖାତାରେ କେତେ ଟଙ୍କା ଅଛି

ପସନ୍ଦର ବ୍ୟକ୍ତିଙ୍କୁ ଦାୟିତ୍ୱ

ଚମ୍ପତ ରାୟଙ୍କ ସ୍ଥାନରେ ଯେଉଁ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କୁ ନୂଆ ମହାସଚିବ କରାଯାଇଛି, ସେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ ଏବଂ ଚମ୍ପତ ରାୟଙ୍କ ସହ ଦୀର୍ଘ ଦିନ ଧରି ଘନିଷ୍ଠ ଭାବେ କାମ କରିଆସୁଛନ୍ତି। ରାୟଙ୍କ ହଟାଯିବା ପରେ ଯେପରି ସଂଘ କିମ୍ବା VHP ର ପ୍ରଭାବ କମିବ ନାହିଁ, ସେଥିପାଇଁ ସଂଗଠନର ପସନ୍ଦମୁତାବକ ବ୍ୟକ୍ତିମାନଙ୍କୁ ହିଁ ନୂଆ କୋଷାଧ୍ୟକ୍ଷ (ମହେଶ ଭାଗଚାନ୍ଦକା) ଓ ଟ୍ରଷ୍ଟି ଭାବେ ଗ୍ରହଣ କରାଯାଇଛି। ଚମ୍ପତ ରାୟ ପ୍ରତ୍ୟକ୍ଷରେ ପଦବୀରେ ନାହାନ୍ତି ସତ, କିନ୍ତୁ ତାଙ୍କ କାର୍ଯ୍ୟକାଳରେ ନିଆଯାଇଥିବା ନୀତିଗତ ନିଷ୍ପତ୍ତିଗୁଡ଼ିକୁ ବଜାୟ ରଖିବା ସହ ବିରୋଧୀଙ୍କ ଆକ୍ରମଣରୁ ଟ୍ରଷ୍ଟକୁ ବଞ୍ଚାଇବା ପାଇଁ ଏହି 'ପରଦା ପଛର ରଣନୀତି' ପ୍ରସ୍ତୁତ କରାଯାଇଛି।