ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମାରେ ଭାଇଭଉଣୀ ଏକାଠି ହୋଇଥିଲେ । ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଥିଲା ଭଉଣୀ । କିନ୍ତୁ ସବୁକିଛି ନିମିଷକରେ ଧୂଳିସାତ ହୋଇଗଲା । ଭାଇ-ଭଉଣୀ ଏକାଠି ଫେରିବା ବେଳେ ଜଗି ବସିଥିଲା ଯମ । ଫରିଦାବାଦରେ ଶନିବାର ସକାଳେ ବସ୍ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ୪ ଭାଇଭଉଣୀଙ୍କ ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ ଫର୍ଚ୍ୟୁନର କାର । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭଉଣୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଖୀ ବାନ୍ଧିବା ଏବଂ ପର୍ବ ପାଳନ କରିବା ପାଇଁ ୪ ଭାଇଭଉଣୀ ଅଖିଳେଶଙ୍କ ଘରେ ଏକାଠି ହୋଇଥିଲେ। ରାତିସାରା ଖୁସି ମନାଇବା ପରେ ସକାଳେ ଅନ୍ୟ ୩ ଜଣ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଅଖିଳେଶ ତାଙ୍କ ଭାଇଭଉଣୀଙ୍କୁ ଛାଡ଼ିବା ପାଇଁ ନିକଟସ୍ଥ ବସ୍ ଷ୍ଟପକୁ ଯାଇଥିଲେ। ସେଠାରେ ୧୦-୧୫ ମିନିଟ୍ ଅପେକ୍ଷା କରିବା ପରେ ଏକ ଦ୍ରୁତଗାମୀ ଫର୍ଚ୍ୟୁନର ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଅଖିଳେଶ ଏବଂ ଅବଧେଶଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ସରୋଜ ରାତି ପ୍ରାୟ ୯:୩୦ରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଭଉଣୀ ରାଜକୁମାରୀ ଫରିଦାବାଦର SSB ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଦୁର୍ଘଟଣା ପରେ ଗାଡ଼ି ଚାଳକ ଫରାର ହୋଇଯାଇଛି। ପୁଲିସ BNS ସେକ୍ସନ ୨୮୧, ୧୨୫A ଏବଂ ୧୦୬(୧) ଅଧୀନରେ ମାମଲା ରୁଜୁ କରି ଚାଳକକୁ ଖୋଜୁଛି। ଉକ୍ତ ଗାଡ଼ିଟି ଏକ ଘରୋଇ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ମୃତକମାନେ ମୂଳତଃ ଉତ୍ତର ପ୍ରଦେଶର ଆମେଠି ଜିଲ୍ଲା ଖରକପୁରର ହୋଇଥିବା ବେଳେ ଅବଧେଶ, ସରୋଜ ଓ ରାଜକୁମାରୀ ପଲୱାଲର କୁଲେନାରେ ରହୁଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ନିୟମିତ ଭାବରେ ଗାଡ଼ିଗୁଡ଼ିକ ଅତ୍ୟଧିକ ବେଗରେ ଯାତାୟାତ କରିଥାନ୍ତି। ଦୁର୍ଘଟଣା ସ୍ଥଳରେ ଥିବା ସିସିଟିଭି (CCTV) କ୍ୟାମେରାଗୁଡ଼ିକ ଅଚଳ ଥିବାରୁ ପୁଲିସ ପାଇଁ ଅଭିଯୁକ୍ତ ଚାଳକକୁ ଚିହ୍ନଟ କରିବା ଏକ ବଡ଼ ଆହ୍ୱାନ ପାଲଟିଛି।