ମୁମ୍ଵାଇ ୨୬।୦୮; ବଲିଉଡ୍ ଅଭିନେତ୍ରୀ କୃତି ସେନନଙ୍କ ରକ୍ଷାବନ୍ଧନ ବିଜ୍ଞାପନକୁ ନେଇ ବିବାଦ ଏବେ ରାଜନୀତି ଓ ସିନେମା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜ୍ଞାପନରେ କୃତିଙ୍କ ପୋଷାକକୁ ନେଇ ଆପତ୍ତି ଉଠିବା ପରେ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କୁ ସମାଲୋଚନା କରିଥିଲେ। ଏହାପରେ କୃତି ସେନନ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ଏହି ବିବାଦ ଉପରେ ପ୍ରତିକ୍ରିୟା ରଖିଥିଲେ। କୃତି କହିଥିଲେ, ପର୍ବପର୍ବାଣୀର ସୌନ୍ଦର୍ଯ୍ୟ କେବଳ ପୋଷାକରେ ନୁହେଁ, ବରଂ ଏହା ସହ ଜଡ଼ିତ ଭାବନା ଓ ପରମ୍ପରାରେ ରହିଥାଏ ।

ଜଣେ ମହିଳା କ’ଣ ପିନ୍ଧିବେ, ତାହାକୁ ନେଇ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ ନୁହେଁ ବୋଲି ସେ ମତ ରଖିଥିଲେ । କୃତିଙ୍କ ଏହି ପୋଷ୍ଟକୁ ନେଇ ଏବେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃତିଙ୍କ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରି ତାଙ୍କୁ ସମର୍ଥନ କରିଛନ୍ତି । ମହିଳା କ’ଣ ପିନ୍ଧିବେ, କ’ଣ କରିବେ ଏବଂ କେଉଁଠି ଯିବେ-ଏହା ତାଙ୍କର ନିଜସ୍ୱ ପସନ୍ଦ ବୋଲି ରାହୁଲ କହିଛନ୍ତି । ଏଥିସହ ମହିଳାଙ୍କ ସ୍ୱାଧୀନତାକୁ ନେଇ ତାଙ୍କୁ ଟ୍ରୋଲ୍ କରିବା ବନ୍ଦ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ, କଙ୍ଗନା ରଣାୱତ କୃତିଙ୍କ ରକ୍ଷାବନ୍ଧନ ବିଜ୍ଞାପନରେ ପିନ୍ଧିଥିବା ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିଲେ। ରକ୍ଷାବନ୍ଧନ ଭଳି ପାରମ୍ପରିକ ପର୍ବରେ ଏଭଳି ପୋଷାକର ଆବଶ୍ୟକତା କ’ଣ ବୋଲି କଙ୍ଗନା ପ୍ରଶ୍ନ କରିଥିଲେ । ତାଙ୍କ ମତାମତ ପରେ ସୋସିଆଲ୍ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ତୀବ୍ର ବିତର୍କ ଆରମ୍ଭ ହୋଇଛି । ତେବେ ଏହି ବିବାଦ ଏବେ କେବଳ ଏକ ବିଜ୍ଞାପନକୁ ନେଇ ନାହିଁ। ମହିଳାଙ୍କ ପୋଷାକ, ବ୍ୟକ୍ତିଗତ ସ୍ୱାଧୀନତା, ପରମ୍ପରା ଓ ସଂସ୍କୃତିକୁ କେମିତି ଦେଖାଯିବ-ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧୀଙ୍କ ସମର୍ଥନ ପରେ ଏହି ମାମଲା ଆହୁରି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।