ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମୀର ଖାନ୍ ଆସନ୍ତା ଜୁଲାଇ ୫ ତାରିଖରେ ବାନ୍ଧବୀ ଗୌରୀ ସ୍ପ୍ରାଟ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା। ଏହା ହେଉଛି ଆମୀରଙ୍କ ତୃତୀୟ ବିବାହ । ଏମିତିରେ ଆମୀରଙ୍କ ବୟସ ଓ ତାଙ୍କର ତୃତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ସମାଲୋଚନା ଜାରି ରହିଛି। ଆଉ ଏସବୁ ଭିତରେ ବଲିଉଡର ଭେଟେରାନ ଅଭିନେତ୍ରୀ ରାକ୍ଷୀ ଗୁଲଜାର ଆମୀରଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି ଯେ, ବିବାହର ଖୁସି ସହିତ ବୟସର କୌଣସି ସମ୍ବନ୍ଧ ନାହିଁ। ବୟସ କେବେ ବି କାହାର ଖୁସିରେ ପ୍ରତିବନ୍ଧକ ସାଜିବା ଉଚିତ ନୁହେଁ।

'ଅଧିକ ବୟସରେ ବିବାହ ଭୁଲ୍ ନୁହେଁ'

ନିକଟରେ ଏକ ସାକ୍ଷାତକାରରେ ରାକ୍ଷୀ ନିଜ ଜୀବନର ଉଦାହରଣ ଦେଇ କହିଛନ୍ତି ଯେ, ସେ ଯେତେବେଳେ ପ୍ରସିଦ୍ଧ ଗୀତିକାର ତଥା ଚଳଚ୍ଚିତ୍ର ନିର୍ମାତା ଗୁଲଜାରଙ୍କୁ ବିବାହ କରିଥିଲେ, ସେତେବେଳେ ଗୁଲଜାରଙ୍କୁ ପ୍ରାୟ ୪୦ ବର୍ଷ ବୟସ ହୋଇଥିଲା। ଏହା ସହିତ ସେ ହଲିଉଡ ତାରକା ରବର୍ଟ ଡି ନିରୋଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି, ଯିଏ ବୟସ୍କ ଅବସ୍ଥାରେ ନିଜର ଭଲପାଇବା ପାଇଛନ୍ତି ଏବଂ ପରିବାର ଗଠନ କରିଛନ୍ତି। ରାକ୍ଷୀ ପ୍ରଶ୍ନ କରିଛନ୍ତି, "୬୦ ବର୍ଷ ବୟସରେ ବିବାହ କରିବାରେ ଭୁଲ୍ କଣ ଅଛି?"

Also Read: ଅମିତାଭ ବଚ୍ଚନଙ୍କ ଫିଲ୍ମ ଉପରେ ବ୍ୟାନ ଲଗାଇଥିଲା ଏହି ଦେଶ: ଲୁଚାଛପାରେ ଦେଖୁଥିଲେ ଲୋକେ, ଶେଷରେ...

ଆମୀରଙ୍କୁ କଲେ ପ୍ରଶଂସା:

ରାକ୍ଷୀ କହିଛନ୍ତି ଯେ, ସେ ଆମୀରଙ୍କ ସହ କାମ କରିନାହାନ୍ତି କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଦିନର ଖବର ରଖନ୍ତି ନାହିଁ। କିନ୍ତୁ ଆମୀର ଜଣେ ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି। ବିବାହ ବିଚ୍ଛେଦ ପରେ ମଧ୍ୟ ସେ ନିଜର ପୂର୍ବତନ ପତ୍ନୀ ରୀନା ଦତ୍ତ ଏବଂ କିରଣ ରାଓଙ୍କ ସହ ଯେପରି ସୁସମ୍ପର୍କ ବଜାୟ ରଖିଛନ୍ତି, ତାହା ପ୍ରଶଂସନୀୟ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନିଜର ୬୦ତମ ଜନ୍ମଦିନ ଅବସରରେ ଆମୀର ଖାନ ଗୌରୀଙ୍କ ସହ ସମ୍ପର୍କ ନେଇ ଖୁଲାସା କରିଥିଲେ। ନିକଟରେ ସେ ନିଜର ବିବାହ କଥା ମଧ୍ୟ ଘୋଷଣା କରିଥିଲେ। ଜୁଲାଇ ୫ରେ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟତର ବନ୍ଧୁ ସାମିଲ ହେବେ ବୋଲି ଜଣାପଡ଼ିଛି।