ନୋଏଡା: ପୂର୍ବତନ ଦିଲ୍ଲୀ ମୁଖ୍ୟ ସଚିବ ତଥା ୧୯୭୫ ବ୍ୟାଚର ଆଇଏଏସ୍ ଅଧିକାରୀ ରାକେଶ ମେହତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୬ ତାରିଖରେ ନୋଏଡାର ସେକ୍ଟର-୮୨ସ୍ଥିତ କେନ୍ଦ୍ରୀୟ ବିହାର-୨ ସୋସାଇଟିରେ ଥିବା ନିଜ ଫ୍ଲାଟ୍ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫ୍ଲାଟ୍ରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ରାକେଶ ମେହତାଙ୍କ ବୟସ ପ୍ରାୟ ୭୪ରୁ ୭୫ ବର୍ଷ ବୋଲି କୁହାଯାଉଛି। ଜୀବନର ଶେଷ ସମୟରେ ରାକେଶ କାହିଁକି ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନ ଉଠିଛି।

ପୋଲିସ ସୂଚନା ଅନୁଯାୟୀ ଘଟଣା ସମ୍ପର୍କରେ ୧୧୨ ନମ୍ବରକୁ କଲ୍ କରି ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ଫେଜ୍-୨ ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ରାକେଶ ମେହତାଙ୍କ ଫ୍ଲାଟର କବାଟ ଭିତରୁ ବନ୍ଦ ଥିଲା। ପୋଲିସ କବାଟ ଭାଙ୍ଗି ଘର ଭିତରୁ ତାଙ୍କ ତାଙ୍କ ମୃତଦେହ ଉଦ୍ଧାର କରିଛି।

ମିଳିଲା କଥିତ ସୁଇସାଇଡ୍ ନୋଟ୍

ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିବା ପୋଲିସ କହିଛି। ଏଥିରେ ରାକେଶ ମେହତା ନିଜର କିଛି ମାନସିକ ଏବଂ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ତେବେ ନୋଟ୍ର ସତ୍ୟତା ଏବଂ ଏହାର ସମସ୍ତ ବିଷୟବସ୍ତୁ ତଦନ୍ତର ଅଂଶ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଫ୍ଲାଟ୍ର ଯାଞ୍ଚ କରିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସମୟରେ ମେହତାଙ୍କ ପତ୍ନୀ ସୁମନ୍ତି ମେହତା ଡେରାଡୁନ୍ରେ ପୁଅଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ସ୍ୱାମୀଙ୍କୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ଉତ୍ତର ନମିଳିବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା। ପୋଷ୍ଟମର୍ଟମ୍ ପରେ ରାକେଶ ମେହତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସୋମବାର ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

୨୦୧୦ କମନୱେଲଥ୍ ଗେମ୍ସ ସମୟରେ ଥିଲେ ଦିଲ୍ଲୀ ମୁଖ୍ୟ ସଚିବ

ରାକେଶ ମେହତା ୨୦୦୭ରୁ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ କାର୍ଯ୍ୟକାଳରେ ସେ ଏହି ଦାୟିତ୍ୱରେ ଥିଲେ। ବିଶେଷକରି ୨୦୧୦ କମନୱେଲଥ୍ ଗେମ୍ସର ପ୍ରସ୍ତୁତି ଏବଂ ଆୟୋଜନ ସମୟରେ ଦିଲ୍ଲୀ ପ୍ରଶାସନର ଶୀର୍ଷ ଅଧିକାରୀ ଭାବେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେହି ସମୟରେ ରାଜଧାନୀରେ ଅନେକ ବଡ଼ ଭିତ୍ତିଭୂମି ଏବଂ ନାଗରିକ ସୁବିଧା ସମ୍ପର୍କିତ ପ୍ରକଳ୍ପ ଚାଲିଥିଲା।

ନିଜର ଦୀର୍ଘ ପ୍ରଶାସନିକ କ୍ୟାରିୟରରେ ମେହତା ଦିଲ୍ଲୀ ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ସେ ଦିଲ୍ଲୀ ମହାନଗର ନିଗମର କମିଶନର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପୂର୍ବତନ ସହକର୍ମୀମାନଙ୍କ ଅନୁଯାୟୀ, ପରିବହନ, ବିଦ୍ୟୁତ ଏବଂ ନାଗରିକ ଭିତ୍ତିଭୂମି ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ତଦାରଖ କରିଥିଲେ ସେ।