ମୁମ୍ବାଇ: ବହୁ ପ୍ରତିକ୍ଷିତ ହିନ୍ଦୀ ଚଳଚ୍ଚିତ୍ର '୩ ଇଡିଅଟ୍ସ' (3 Idiots)ର ସିକ୍ୱେଲକୁ ନେଇ ଚାଲିଥିବା ଚର୍ଚ୍ଚା ଉପରୁ ପରଦା ହଟାଇଛନ୍ତି ନିର୍ଦ୍ଦେଶକ ରାଜକୁମାର ହିରାନୀ। ଫିଲ୍ମର ଦ୍ୱିତୀୟ ଭାଗ ନିର୍ମାଣ ହେବା ନେଇ ସେ ସ୍ପଷ୍ଟ କରିବା ସହ ଏହାର ସ୍କ୍ରିପ୍ଟ କାମ ଚାଲୁ ରହିଥିବା ସୂଚନା ଦେଇଛନ୍ତି। ଏହାସହ ଚଳଚ୍ଚିତ୍ରର କାଷ୍ଟ (Cast)ରେ କୌଣସି ନୂଆ କଳାକାର ସାମିଲ ହେବା ଗୁଜବକୁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।

ନିକଟରେ ଅଭିନେତା ଆମିର ଖାନ '୩ ଇଡିଅଟ୍ସ' ସିକ୍ୱେଲର ପ୍ରସ୍ତୁତି ବିଷୟରେ ସୂଚନା ଦେବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଏପରିକି ଆମିର ଖାନ, ଆର ମାଧବନ ଓ ଶର୍ମନ ଜୋଶୀଙ୍କ ସହ 'ଚତୁର୍ଥ ଇଡିଅଟ୍ସ' ଭାବେ ଅଭିନେତା ଭିକି କୌଶଲ ଏହି ଫିଲ୍ମରେ ଏଣ୍ଟ୍ରି କରିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ହେଲେ ନିର୍ଦ୍ଦେଶକ ହିରାନୀ ଏହି ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ।

କେଉଁ ପର୍ଯ୍ୟାୟରେ ଅଛି ସ୍କ୍ରିପ୍ଟ କାମ?

'ଇଣ୍ଡିଆ ଟୁଡେ' ସହ ଆଲୋଚନା ବେଳେ ରାଜକୁମାର ହିରାନୀ କହିଛନ୍ତି "ଆମିର ଫିଲ୍ମର ପ୍ରଥମ ଏକ ଡ୍ରାଫ୍ଟ ପଢ଼ିଥିଲେ, ଯେଉଁଥିରେ ଫିଲ୍ମ ମୋଟାମୋଟି ଆଇଡିଆ ଥିଲା। ବୋଧହୁଏ ସେ କୌଣସି ଗଣମାଧ୍ୟମ ସାକ୍ଷାତକାରରେ ଏହା ବିଷୟରେ କହିଥାଇପାରନ୍ତି। କିନ୍ତୁ ଆମେ ଏବେ ବି ଏହାର ଲେଖାଲେଖି ପ୍ରକ୍ରିୟାରେ ଅଛୁ, କାରଣ ଆମେ ନିଜେ ମଧ୍ୟ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛୁ।"

'୪ ଇଡିଅଟ୍ସ 'ନାଁକୁ ନେଇ ଗୁଜବ ଖଣ୍ଡନ

ଫିଲ୍ମର ନାଁ '୪ ଇଡିଅଟ୍ସ' (4 Idiots) ରଖାଯିବା ନେଇ ଯେଉଁ ଗୁଜବ ହେଉଛି ତା ଉପରେ ମଧ୍ୟ ହିରାନୀ ସ୍ପଷ୍ଟ କରିଛନ୍ତି। ସେ ହସି ହସି କହିଛନ୍ତି, "ମୁଁ ବି ଜାଣିବାକୁ ପାଇଛି ଯେ ଏହାର ନାଁ '୪ ଇଡିଅଟ୍ସ' ରଖାଯାଇଛି। କିନ୍ତୁ ସେହି ନାଁ ମୁଁ ରଖି ନାହିଁ, ଗଣମାଧ୍ୟମ ନିଜେ ଏହାକୁ ତିଆରି କରିଛି। ସତ କହିବାକୁ ଗଲେ, ଏଥିରେ କୌଣସି ଚତୁର୍ଥ ଇଡିଅଟ୍ସ ନାହାନ୍ତି, ଏହା କେବଳ '୩ ଇଡିଅଟ୍ସ'। ଏବଂ ଏହି କାହାଣୀ ୨୦ ବର୍ଷ ପରର ଅଟେ, ଯେଉଁଟି ସିନେମାଟି ଶେଷ ହୋଇଥିଲା।"

Also read- Sunil Grover: ଲଗଜୁରୀ ହୋଟଲେ ଛାଡ଼ି ଗଙ୍ଗାକୂଳରେ ବେଡସିଟ ପାରି ଶୋଇଲେ ସୁନୀଲ ଗ୍ରୋଭର: ଭିଡିଓ ଭାଇରାଲ ପରେ ଲୋକେ କହିଲେ…

ଆମିର ଖାନ ଦେଇଥିଲେ ସଙ୍କେତ

୨୦୦୯ର ଏହି ସୁପରହିଟ୍ ଫିଲ୍ମର ସିକ୍ୱେଲକୁ ନେଇ ପୂର୍ବରୁ ଆମିର ଖାନ ମଧ୍ୟ ସଙ୍କେତ ଦେଇଥିଲେ। ରାଜକୁମାର ହିରାନୀ ଏକ କାହାଣୀର ଆଇଡିଆ ନେଇ ତାଙ୍କ ପାଖକୁ ଆସିଥିଲେ ଏବଂ ନିଜର ପ୍ରିୟ ଚରିତ୍ରମାନଙ୍କୁ ପୁଣି ବଡ଼ ପରଦାକୁ ଫେରାଇ ଆଣିବା ପାଇଁ ସମସ୍ତେ ଉତ୍ସୁକ ଥିବା ସେ କହିଥିଲେ। ଏହି ଫିଲ୍ମରେ ରାଞ୍ଚୋ, ଫରହାନ ଓ ରାଜୁଙ୍କ ୨୦ ବର୍ଷ ପରର ଜୀବନ କାହାଣୀ ଦେଖିବାକୁ ମିଳିବ। ତେବେ କାହାଣୀଟି ଦର୍ଶକଙ୍କ ମନକୁ ଛୁଇଁଲା ଭଳି ସମ୍ପୂର୍ଣ୍ଣ ଯୋଗ୍ୟ ନହେବା ପର୍ଯ୍ୟନ୍ତ ଟିମ୍ କୌଣସି ତରବରିଆ ପଦକ୍ଷେପ ନେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ଆମିର ଖାନ, ଆର ମାଧବନ ଏବଂ ଶର୍ମନ ଜୋଶୀଙ୍କ ମୁଖ୍ୟ ଅଭିନୀତ '୩ ଇଡିଅଟ୍ସ' ଆଜି ବି ହିନ୍ଦୀ ସିନେମା ଜଗତର ସବୁଠାରୁ ବଡ଼ ବ୍ଲକବଷ୍ଟର ମଧ୍ୟରୁ ଅନ୍ୟତମ ଅଟେ। ଏଥିରେ କରୀନା କପୁର ଖାନ, ବୋମାନ ଇରାନୀ, ମୋନା ସିଂ ଏବଂ ଅଲ୍ଲୀ ଫଜଲଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।