ନୂଆଦିଲ୍ଲୀ: ଆକ୍ଟର କମେଡିଆନ ସୁନୀଲ ଗ୍ରୋଭରଙ୍କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା। ଲଗଜୁରୀ ଲାଇଫ ଛାଡ଼ି ଋଷିକେଶର ଗଙ୍ଗାକୂଳରେ ଗୋଟେ ବେଡସିଟ ପାରି ଶୋଇଛନ୍ତି ଏହି ଅଭିନେତା। ନା ଅଛନ୍ତି ସୁରକ୍ଷା କର୍ମୀ ନା ଅଛି ଲାଇଟ-କ୍ୟାମେରା। ସାଧାରଣ ଲୋକଙ୍କ ସହିତ ଗଙ୍ଗାକୂଳରେ ବେଡସିଟ ବିଛାଇ ଶୋଇଛନ୍ତି ଭାରତର ଏହି ଷ୍ଟାର କମେଡିଆନ। ଯାହାର ଭିଡିଓ ସେ ନିଜେ ତାଙ୍କର ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଅଭିନେତା, ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ତାଙ୍କର କମେଡି ଏବଂ ଟେଲିଭିଜନରେ ତାଙ୍କର ସବୁଠାରୁ ପ୍ରତିଷ୍ଠିତ ଚରିତ୍ର, ଗୁତ୍ଥି, ଡକ୍ଟର ମଶୁର ଗୁଲାଟି ଓ ରିଙ୍କୁ ଭାବି ପାଇଁ ଖୁବ ଜଣାଶୁଣା। କମେଡି ନାଇଟ୍ସ ୱିଥ୍ କପିଲ ଏବଂ ଦି କପିଲ ଶର୍ମା ଶୋ ଭଳି ରିୟଲିଟି ଶୋ’ରେ ତାଙ୍କର ଲୋକପ୍ରିୟତା ବ୍ୟତୀତ, ବିଭିନ୍ନ ସେଲିବ୍ରିଟିଙ୍କର ମିମିକ୍ରି ପାଇଁ ବି ତାଙ୍କର ଏକ ବଡ଼ ଫ୍ୟାନ ବେସ ରହିଛି। ଭାରତ ଏବଂ ଜବାନ ଭଳି ଫିଲ୍ମରେ ସେ ସଫଳ ଅଭିନୟ କରି ତାଙ୍କର ଅଭିନୟର ପରାକାଷ୍ଠ ମଧ୍ୟ ଦେଖାଇ ସାରିଛନ୍ତି। ସରଳ ବ୍ୟକ୍ତିତ୍ୱ ପାଇଁ ଉଚ୍ଚ ପ୍ରଶଂସିତ ସୁନୀଲ ଗ୍ରୋଭର ହଠାତ ଏମିତି ଗଙ୍ଗାଘାଟରେ ଶୋଇବା ନେଟିଜେନ୍ସ ପାଇଁ ଚର୍ଚ୍ଚାର ବିଷୟ ପାଲିଟିଛି।

ଶ୍ରଦ୍ଧାଳୁଙ୍କ ସହ ଗଙ୍ଗାଘାଟରେ ଶୋଇଲେ ସୁନୀଲ

ନିକଟରେ ସେ ତାଙ୍କ ସରଳତାର ଆଉ ଏକ ଉଦାହରଣ ଦେଖାଇଛନ୍ତି। ଋଷିକେଶର ତ୍ରିବେଣୀ ଘାଟରେ ସୁନୀଲ ଅନ୍ୟ ଭକ୍ତମାନଙ୍କ ସହିତ ଗଙ୍ଗାକୂଳରେ ବେଡ୍ସିଟ୍ ପାରି ଶୋଇଥିବାର ଦେଖିବାକୁ ମିଳିଛି। ଯାହା ତାଙ୍କ ଫ୍ୟାନ୍କୁ ଆଶ୍ଚର୍ଯ୍ୟ କରିଛି। ଶୁକ୍ରବାର ସୁନୀଲ ଏହାର ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ କରି କରି କ୍ୟାପ୍ସନ ଦେଇଛନ୍ତି ତାରେ ଜମିନ ପର।

ଶୁକ୍ରବାର ଦିନ ସୁନୀଲ ଗ୍ରୋଭର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ରାତିରେ ସୁଟ ହୋଇଥିବା ଏହି ଭିଡିଓରେ ତାଙ୍କୁ ଗଙ୍ଗା ଘାଟରେ ଶୋଇଥିବାର ଦେଖାଯାଇଥିଲା। ଗ୍ରୋଭର ଏକ ବେଡସିଟ୍ ଉପରେ ଶୋଇଥିଲେ। ତାଙ୍କ ସହିତ ଅନେକ ଭକ୍ତ ମଧ୍ୟ ସେହି ଘାଟରେ ଶୋଇଥିବାର ଦେଖିବାକୁ ମିଳିଥିଲା। ସେ ହାଫ୍ ପ୍ୟାଣ୍ଟ ସହିତ ଏକ ଟି-ସାର୍ଟ ପିନ୍ଧିଥିଲେ। ସ୍ପଷ୍ଟ ଭାବରେ ରେକର୍ଡ ହୋଇଥିବା ଭିଡିଓରେ ସେ କ୍ୟାପସନ ଦେଇଥିଲେ "ତାରେ ଜମିନ୍ ପର।" ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ଜୟ କାଳ ମହାକାଳ ଗୀତ ଲଗାଇଥିଲେ।

ଫ୍ୟାନଙ୍କ ପ୍ରତିକ୍ରିୟା

ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଅନେକ ଲୋକ ଦାବି କରିଛନ୍ତି ଯେ ଭିଡିଓଟି ଋଷିକେଶର ତ୍ରିବେଣୀ ଘାଟରେ ସୁଟ୍ କରାଯାଇଛି। ତେବେ ଏହା କେଉଁଠିକାର ଭିଡିଓ ଗ୍ରୋଭର ଏପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

ଇଣ୍ଟରନେଟରେ ଅଧିକାଂଶ ଲୋକ ସୁନୀଲ ଗ୍ରୋଭରଙ୍କୁ ତାଙ୍କର ନମ୍ର ସ୍ୱଭାବ ପାଇଁ ପ୍ରଶଂସା କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୟୁଜର ଲେଖିଛନ୍ତି "ଏତେ ବିଳାସପୂର୍ଣ୍ଣ ଜୀବନ ସତ୍ତ୍ୱେ ଭାରତର ସବୁଠାରୁ ସରଳ ବ୍ୟକ୍ତି ମଧ୍ୟରୁ ଜଣେ।" ସେହିପରି କିଏ ତାଙ୍କୁ ଖୁବ୍ ନମ୍ର ଲୋକ ବୋଲି କହିଥିବା ବେଳେ ଆଉ କେହି ତାଙ୍କର ଏଭଳି ଆଚରଣକୁ ମାନବତା ସ୍ୱଭାବ ବୋଲି କହିଛନ୍ତି।

ଆଉ ଜଣେ ୟୁଜର ଏହା ଉପରେ କମେଣ୍ଟ ଦେଇ ଲେଖିଛନ୍ତି "ଆଇ ଲଭ୍ ୟୁ ସାର୍! ଧନୀମାନେ ରିଲ୍ ପାଇଁ ମଧ୍ୟ ଏଭଳି କରିପାରିବେ ନାହିଁ। ସରଳତା ଏବଂ ସାଧାରଣ ମଧ୍ୟବିତ୍ତ ଶ୍ରେଣୀ ସହିତ ଯୋଡ଼ି ହୋଇ ରହିବା ହିଁ ଆପଣଙ୍କୁ ଆମର ପ୍ରିୟ କରିଛି।"

ସେହିଭଳି କେତେକ ୟୁଜର ସୁନୀଲଙ୍କର ଏହି ପୋଷ୍ଟରେ କମେଣ୍ଟ କରି ତାଙ୍କୁ କଟାକ୍ଷ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି “ ଏ କ୍ୟାମେରା ମ୍ୟାନ ସାଙ୍ଗରେ ନେଇ ଯିବାକୁ ପଡ଼େ କି? ନା ସେଠାରେ ହିଁ ମିଳିଯାଏ।” ଅନ୍ୟଜଣେ ଗ୍ରାହକ ମଧ୍ୟ କଟାକ୍ଷ କରି ଲେଖିଛନ୍ତି “ସୁନୀଲ ଗ୍ରୋଭର ତୁମେ ଠିକ୍ ଅଛ? ତୁମେ ହୋଟେଲରେ ରହିବା ପାଇଁ ସହଜରେ ଟଙ୍କା ଖର୍ଚ୍ଚ କରିପାରିବା, ଏହା ସତ୍ତ୍ୱେ ବି ତୁମେ ରାସ୍ତାକୁ କାହିଁକି ବାଛିଲ ? ମୁଁ ଆଶ୍ଚର୍ଯ୍ୟ… ତୁମେ ପ୍ରକୃତରେ କ'ଣ?”

ଅନ୍ୟ ଜଣେ ଗ୍ରାହକ ଲେଖିଛନ୍ତି "ହରିଦ୍ୱାରରେ ଗଙ୍ଗା ନଦୀ କୂଳରେ ପ୍ରତିଦିନ ହଜାର ହଜାର ଲୋକ ଶୋଇଥାନ୍ତି। କିନ୍ତୁ ଯଦି ଗୋଟିଏ ଷ୍ଟାର୍ ସେଠାରେ ଗୋଟିଏ ଦିନ ପାଇଁ ଶୋଇପଡ଼ନ୍ତି, ତେବେ କିଛି ଲୋକ କୁହନ୍ତି ସେମାନେ ଖୁବ ନମ୍ର। ବାଃ"।