ରାଜକୋଟ: ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ଲୋକପ୍ରିୟ ଡାଏଲଗ୍ ‘ଏକ ମଛର ସାଲା ଆଦମୀକୁ ହିଜଡା ବନା ଦେତା ହୈ’। ୧୯୯୬ରେ ରିଲିଜ୍ ହୋଇଥିବା ଫିଲ୍ମ ୟଶଓ୍ବନ୍ତର ଏହି ଡାଏଲଗ୍ ଏବେ ବି ଲୋକଙ୍କ ଗହଣରେ ଆଦୃତ । କିନ୍ତୁ ଏଠାରେ ଏହି ଡାଏଲଗ୍ ସଂପର୍କରେ କାହିଁକି ଲେଖିଛୁ ବୋଲି ଆପଣ ଭାବୁଥିବେ । ମଛର ବା ମଶାର ଆତଙ୍କକୁ ନେଇ ଏକ ଅବିଶ୍ବସନୀୟ ଖବର ସାମ୍ନାକୁ ଆସିଛି । ଭାରତର ଏମିତି ଗୋଟିଏ ଗାଁ, ଯେଉଁଠି ମଶା ପାଇଁ ମଣିଷ ଅଣନିଶ୍ବାସୀ ହୋଇଗଲାଣି । ମଶା ପାଇଁ ଗାଁରେ ବିବାହ ହୋଇପାରୁନି, ଗୁହାଳରେ ବି ମଶାରି ଟାଣିବାକୁ ପଡ଼ୁଛି । ଘରକୁ କୁଣିଆ ଆସୁଛନ୍ତି ସତ, କିନ୍ତୁ ସଞ୍ଜ ନଇଁଲେ ଗାଁ ଛାଡ଼ି ପଳାଉଛନ୍ତି ।

ଗୁଜରାଟ ସୌରାଷ୍ଟ୍ରର ରାଜକୋଟ ନିକଟରେ ଅବସ୍ଥିତ ଭେଜା ଗାଁ ଲୋକଙ୍କ ଦୁଃଖ କହିଲେ ନସରେ । ବିଚିତ୍ର ସମସ୍ୟାରେ ଯୁଝୁଛନ୍ତି ଗାଁ ଲୋକେ, ସମସ୍ୟା ସାଧାରଣ କିନ୍ତୁ ବିଶ୍ବାସ କରିବା କଷ୍ଟ । ଗ୍ରାମବାସୀଙ୍କ ପାଇଁ ଏହି ଗାଁ ଏବେ ଏକ ନର୍କ ପାଲଟିଛି। ଏହି ଗାଁରେ ମଶା ଆତଙ୍କ ଖେଳାଇଛି, ଫଳରେ ଗାଁର ସାମାଜିକ ପ୍ରତିଷ୍ଠାକୁ ବିପଦରେ ପଡ଼ଛି । ଗାଁରେ ଥିବା ଯୁବପିଢ଼ିଙ୍କ ବାହା ଘର ମଧ୍ୟ ହୋଇପାରୁ ନାହିଁ ।

ରାତି ହେଲେ ଭୟ ବେଶି

ସ୍ଥାନୀୟ ଲୋକଙ୍କ ମତରେ ଗାଁରେ ମଶା ଉପଦ୍ରବ ଏତେ ଭୟଙ୍କର ଯେ, କୌଣସି ଅତିଥି ରାତିରେ ରହିବାକୁ ରାଜି ହେଉନାହାନ୍ତି । ଯଦିଓ କୌଣସି ସମ୍ପର୍କୀୟ ଦିନରେ ଆସୁଛନ୍ତି, ସନ୍ଧ୍ୟା ହେବା ମାତ୍ରେ ଗାଁ ଛାଡ଼ି ପଳାଉଛନ୍ତି । ଏହା ଗାଁର ଯୁବକମାନଙ୍କ ଉପରେ ସବୁଠାରୁ ଗୁରୁତର ପ୍ରଭାବ ପକାଉଛି। ମଶା ଉପଦ୍ରବରେ ଅତିଷ୍ଠ ହୋଇ ପାଖ ଗାଁରୁ ଲୋକମାନେ ସେମାନଙ୍କ ଝିଅମାନଙ୍କୁ ଭେଜା ଗାଁରେ ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ପଶୁଙ୍କ ଅବସ୍ଥା ସଙ୍ଗୀନ

ମଣିଷଙ୍କ କଥା ଭୁଲିଯାଆନ୍ତୁ, ପଶୁମାନଙ୍କର ଅବସ୍ଥା ମଧ୍ୟ ଦୟନୀୟ। ମଶାଙ୍କ ଦାଉରୁ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବା କଷ୍ଟକର ହୋଇପଡ଼ୁଛି । ପଶୁପାଳକମାନଙ୍କୁ ସେମାନଙ୍କ ଘେରା ଉପରେ ବଡ଼ ବଡ଼ ମଶାରି ଟାଣିବାକୁ ପଡ଼ୁଛି । ମଶା କାରଣରୁ ପଶୁମାନେ ଅସୁସ୍ଥ ହେଉଛନ୍ତି, ଏବଂ କ୍ଷୀର ଉତ୍ପାଦନ ହ୍ରାସ ପାଉଛି। ଏଥିରେ ହତାଶ ହୋଇ କିଛି ଲୋକ ସେମାନଙ୍କ ଗାଈ ବିକ୍ରି କରୁଛନ୍ତି ।

ଦୀର୍ଘ ବର୍ଷର ଏ ସମସ୍ୟାଗ୍ରାମବାସୀଙ୍କ ମତରେ ଗାଁର ଆଖପାଖ ଅଞ୍ଚଳରେ ମଇଳା ପାଣି ଜମା ହେଉଥିବାରୁ ମଶାଙ୍କ ଆତଙ୍କ ବଢ଼ିଛି । ଏହି ସମସ୍ୟା ଆଜିର ନୁହେଁ, ଗତ ୭-୮ ବର୍ଷ ଧରି ଗାଁ ଲୋକେ ସମସ୍ୟା ଭୋଗୁଛନ୍ତି । ଲୋକେ ଅଭିଯୋଗ କରିଛନ୍ତି, ପ୍ରଶାସନ ସ୍ଥାୟୀ ସମାଧାନ ଯୋଗାଇବାରେ ବିଫଳ ହେଉଛି । ପ୍ରଶାସନିକ କର୍ମଚାରୀମାନେ କେବଳ ପାଉଡର ଛିଞ୍ଚି ନିଜ କାମ ସାରି ଦେଉଛନ୍ତି । ଅଭିଯୋଗ ହେଲେ, ଗୋଟିଏ ବିଭାଗ ଅନ୍ୟ ବିଭାଗକୁ ଦୋଷ ଠେଲି ଦେଉଛି ।