ନୂଆଦିଲ୍ଲୀ: ୟଙ୍ଗ ଷ୍ଟାର ରଜତ ପାଟିଦାରଙ୍କ ରେକର୍ଡ। ଧୋନି-ରୋହିତଙ୍କ ହେଲେ ସମକକ୍ଷ। ଲଗାତାର ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁକୁ ଦେଲେ ଟାଇଟଲ। ଅହମ୍ମଦାବାଦରେ ଅନୁଷ୍ଠିତ ଆଇପିଏଲ ୨୦୨୬ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦୀର୍ଘ ବର୍ଷ ଧରି ଟାଇଟଲ ଦୌଡରେ ଫେଲ୍ ମାରୁଥିବା RCB, ରଜତ ପାଟିଦାରଙ୍କ ନେତୃତ୍ୱରେ ଦୁଇ ଦୁଇଟା ଟ୍ରଫି ହାସଲ କରିଛି।

୨୦୨୫ରେ ଅହମ୍ମଦାବାଦରେ ପ୍ରଥମ ଥର ପାଇଁ IPL ମୁକୁଟ ଜିତିଥିବା RCB ଠିକ୍ ଏହାର ଗୋଟିଏ ବର୍ଷ ପରେ ପୁଣି ବିଜୟ ମୁକୁଟ ପିନ୍ଧିଛି। ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ ହିଁ ୨୦୨୫ରେ ପ୍ରଥମ ଥର ପାଇଁ IPL ଟ୍ରଫି ଜିତିଥିଲା RCB। ଲଗାତାର ଦ୍ୱିତୀୟ ଥର ପାଇଁ IPL ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି ବେଙ୍ଗାଲୁରୁ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଏକଦା ସେମାନଙ୍କର ପ୍ରାଧାନ୍ୟ ସ୍ଥାପନ କରିଥିଲେ। ଠିକ୍ ସେହିପରି IPL ନିଜର ଦମ ଦେଖାଉଛି ପଟିଦାରଙ୍କ ନେତୃତ୍ୱାଧୀନ RCB ଟିମ୍। ଏହି ବିଜୟ ସହିତ ମୁମ୍ବାଇ ଏବଂ ଚେନ୍ନାଇ ପରି ଏଲିଟ୍ କ୍ଲବରେ ଯୋଗ ଦେଇଛି ବେଙ୍ଗାଲୁରୁ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପରେ ଏହି ସଫଳତା ହାସଲ କରିବାରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ତୃତୀୟ ଫ୍ରାଞ୍ଚାଇଜ୍ ହୋଇଛି।

ଏହି ବିଜୟ ପରେ ପାଟିଦାରଙ୍କୁ ନେଇ ଚର୍ଚ୍ଚା। ସେ ଆଇପିଏଲ ଇତିହାସରେ ଲଗାତାର ଟାଇଟଲ ଜିତିବାରେ ତୃତୀୟ ଅଧିନାୟକ ହୋଇପାରିଛନ୍ତି। MS ଧୋନି ଏବଂ ରୋହିତ ଶର୍ମାଙ୍କ ପରି କିମ୍ବଦନ୍ତୀ ଅଧିନାୟକ ସେମାନଙ୍କ ଦଳକୁ ଲଗାତାର ଦୁଇଟି IPL ଟାଇଟଲ ପାଇଁ ନେତୃତ୍ୱ ଦେଇଛନ୍ତି। ଏମଏସ ଧୋନିଙ୍କ ନେତୃତ୍ୱରେ ୨୦୧୦ ଏବଂ ୨୦୧୧ରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ଆଇପିଏଲ ଚାମ୍ପିଅନ ହୋଇଥିଲା। ସେହିପରି ରୋହିତ ଶର୍ମାଙ୍କ ନେତୃତରେ ୨୦୧୯ ଏବଂ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ରେକର୍ଡ ହାସଲ କରିଥିଲେ। ଅଧିନାୟକ ରଜତ ପାଟିଦାରଙ୍କ ଶାନ୍ତ ଏବଂ ସଂଯମ ନେତୃତ୍ୱ ଗତ ଦୁଇଟି ସିଜିନରେ RCBକୁ ଏକ ନୂଆ ପରିଚୟ ଦେଇଛି।

ସବୁଠୁ ବଡ଼ କଥା ହେଲା- କ୍ୟାପ୍ଟେନ୍ସିକୁ ନେଇ ଅନେକ ଏକ୍ସପେରିମେଣ୍ଟ କରିଛି RCB। ରାହୁଲ ଦ୍ରାବିଡ, କେଭିନ ପିଟରସନ, ଅନିଲ କୁମ୍ବଲେ, ଡାନିଏଲି ଭିଟ୍ଟୋରି, ବିରାଟ କୋହଲି, ସେନ ଓ୍ୱାଟସନ, ଫାପ ଡୁପ୍ଲେସିସ ପରି ଅଧିନାୟକ ନେତୃତ୍ୱ ନେଇଛନ୍ତି, କିନ୍ତୁ ସବୁଥର ମିଶନ ଫେଲ୍। ଏପରିକି ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି ବିରାଟଙ୍କ କ୍ୟାପ୍ଟେନ୍ସିରେ ବି ଟାଇଟଲ ଜିପାରିନଥିଲା RCB। କିନ୍ତୁ ସମ୍ଭବ କରି ଦେଖାଇଛନ୍ତି ପାଟିଦାର। ଟାଇଟଲ ଜିତିବା ପରେ ବିଜୟ ପାଇଁ ନିଜ ଟିମ୍ ଓ ବିରାଟ କୋହଲିଙ୍କୁ ଶ୍ରେୟ ଦେଇଛନ୍ତି।

RCB ଅଧିନାୟକ ରଜତ ପାଟିଦାର ଚଳିତ IPL ସିଜିନରେ ୧୫ ମ୍ୟାଚ୍ ଖେଳି ୧୯୨ ଷ୍ଟ୍ରାଇକ ରେଟରେ ୫୦୧ ରନ୍ କରିଛନ୍ତି। ଏହି ସିଜିନରେ ରଜତ ୪୨ ଛକା ମଧ୍ୟ ମାରିଛନ୍ତି। ରଜତ ପାଟିଦାର ମୋଟ ୨୮ ମ୍ୟାଚରେ RCBର ଅଧିନାୟକତ୍ୱ କରିଛନ୍ତି। ତାଙ୍କ ଅଧିନାୟତ୍ୱରେ ଆରସିବି ୨୦ଟି ମ୍ୟାଚ ଜିତିଥିବା ବେଳେ ୮ ମ୍ୟାଚ ହାରିଛି। ପ୍ରତିଭାଙ୍କୁ ଖୋଜି ଖୋଜି IPL ଏବେ ଜନ୍ମ ଦେଉଛି ନୂଆ ନୂଆ ଷ୍ଟାରଙ୍କୁ। ରଜତ ପାଟିଦାରଙ୍କ ପ୍ରଦର୍ଶନ ଦେଖି ଭାରତୀୟ କ୍ରିକେଟ ଦଳରେ BCCI ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।