ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ରେ ଏବେ ପ୍ରକୋପ କରୁଛି ବର୍ଷା। ଆକାଶରୁ ଲଗାତାର ଝରୁଥିବା ମୁଶଳଧାର ବର୍ଷା ମାୟାନଗରୀର ବେଗରେ ବ୍ରେକ୍ ଲଗାଇ ଦେଇଛି। କଥା କେବଳ ଏତିକିରେ ନାହିଁ ଭୀଷଣ ବର୍ଷା ଯୋଗୁ ସହର ଜଳମଗ୍ନ ହୋଇପଡିଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ତେବେ ଏହି ସଂକଟ କେବଳ ଭୂ-ଭାଗରେ ସୀମିତ ନାହିଁ, ଯେଉଁଠି ରେଳ ଓ ଅନ୍ୟ ବାହନ ଚଳାଚଳ ଅଟକି ଯାଇଛି, ଆକାଶରେ ବିମାନ ସେବା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ଇଣ୍ଡିଗୋ ଓ ଅକାସା ଏୟାରଲାଇନ୍ସ ସମେତ ଅନ୍ୟ ବଡ଼ ଏୟାରଲାଇନ କମ୍ପାନୀମାନେ ସେମାନଙ୍କ ଯାତ୍ରୀଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି।

ଖରାପ ପାଗ ଯୋଗୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରେ ସୋମବାର ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଅନୁନ୍ୟ ୧୭ଟି ଉଡାଣ ବାତିଲ ହୋଇଥିଲା। ସେହିପରି ୨୦୦ରୁ ଅଧିକ ଉଡାଣ ବିଳମ୍ବିତ ଥିଲା। ପାଣିପାଗ ବିଭାଗ ମୁମ୍ବାଇ ଓ ପୁଣେ ସମେତ ଆଖାପାଖ ଅଞ୍ଚଳ ପାଇଁ ହାଇଆଲର୍ଟ ଜାରି କରିଛନ୍ତି। ଭୀଷଣ ବର୍ଷା ଓ ଆକାଶରେ ଘନ ବାଦଲ ବିମାନ ଉଡାଣ ଉପରେ ବ୍ରେକ୍ ଲଗାଇ ଦେଇଛି। ଏହା ଛଡା ରନୱେ ଆଖପାଖରେ ପାଣି ଭରି ରହିବା, ଜୋର ରେ ପବନ ବହିବା ଓ ଭିଜିବିଲିଟି ଅଚାନକ ହ୍ରାସ ହେବା ଯୋଗୁ ବିମାନ ଅବତରଣ ଓ ଉଡାଣ ସମସ୍ୟା ଉପୁଜୁଛି।

ବିମାନ ଚଳାଚଳ ବ୍ୟହତ ହୋଇଥିବାରୁ ଏୟାରପୋର୍ଟ ଟର୍ମିନାଲରେ ଯାତ୍ରୀଙ୍କ ଭିଡ ବଢିବାରେ ଲାଗିଛି। ବିମାନ ଯାତାୟତ କରୁନଥିବାରୁ ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ତେବେ ଅପେକ୍ଷାରତ ଯାତ୍ରୀଙ୍କ ସହାୟତା ପାଇଁ ଗ୍ରାଉଣ୍ଡ ଓ କଷ୍ଟମର ସର୍ବିସ ଡେସ୍କ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି, ଯାହାଦ୍ୱାରା ଯାତ୍ରୀଙ୍କୁ ଅନ୍ୟ ରୁଟରେ ଟିକେଟ୍ ଅଥବା ରହିବାର ବ୍ୟବସ୍ଥା କରି ପାରିବେ। ଅନ୍ୟପଟେ ଦେଶର ସର୍ବ ବୃହତ୍ତ ଏୟାରଲାଇନ ଇଣ୍ଡିଗୋ ସୋସିଆଲ ମିଡିଆରେ ଯାତ୍ରୀଙ୍କୁ ସାବଧାନ କରି ଭୀଷଣ ବର୍ଷା ଯୋଗୁ ମୁମ୍ବାଇ ଓ ପୁଣେ ଯାତାୟାତ କରୁଥିବା ଉଡାଣ ପ୍ରଭାବିତ ହୋଇଛି। ଏଣୁ ଘରୁ ବାହାରିବା ପୂର୍ବରୁ ନିଜ ଉଡାଣର ଷ୍ଟାଟସ୍ ନିଶ୍ଚିତ ଯାଞ୍ଚ କରନ୍ତୁ ବୋଲି ପରାମର୍ଶ ଦେଇଛି।

ଇଣ୍ଡିଗୋ ବ୍ୟତୀତ ଅକାସା ଏୟାର ଓ ସ୍ପାଇସ୍ ଜେଟ୍ ଭଳି ବିମାନ କମ୍ପାନୀମାନେ ମଧ୍ୟ ସମାନ ଚେତାବନୀ ଜାରି କରିଛନ୍ତି। ଏଥିରେ ଖରାପ ପାଗର ପ୍ରଭାବ ଅନ୍ୟ ସହରଙ୍କୁ ସଂଯୁକ୍ତ କରୁଥିବା ଫ୍ଲାଇଟ ଉପରେ ପଡୁଥିବାର ସୂଚିତ କରିଛନ୍ତି। ତେବେ ବର୍ଷା ଯୋଗୁ କେବଳ ଏୟାରପୋର୍ଟରେ ସମସ୍ୟା ଉପୁଜିନି ବାହାରେ ମଧ୍ୟ ସମାନ ଅବସ୍ଥା। ମୁମ୍ବାଇ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ସବୁ ସଡ଼କ ପାଣିରେ ବୁଡି ରହିଛି। ଏଣୁ ରାସ୍ତାରେ ଦୀର୍ଘ ଜାମ ଲାଗି ରହିଛି। ଏୟାରପୋର୍ଟ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ନିଜ ଫ୍ଲାଇଟ୍ ଟାଇମର ୧ବା ୨ ଘଣ୍ଟା ପୂର୍ବରୁ ଘରୁ ବାହାରନ୍ତୁ। ଯାହାଦ୍ୱାରା ସେମାନେ ଠିକ୍ ସମୟରେ ଚେକ-ଇନ୍ କରିପାରିବେ।