ଭୁବନେଶ୍ୱର, ୧୯|୦୭: ରବିବାର ସାତ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। କିନ୍ତୁ ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖିଲା ରହିପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

୨୦ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ। ଅନ୍ୟ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୨୧ ଓ ୨୨ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଶୁକ୍ରବାର ମାଲକାନଗିରିରେ ୨୨.୪ମିମି, ଟିଟିଲାଗଡ଼ ରେ ୧୦ ଓ ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୯୨ମିମି, ଜଗତସିଂହପୁରରେ ୬୯, ନବରଙ୍ଗପୁରରେ ୫୩, କୋରାପୁଟରେ ୪୯.୬, ରାୟଗଡ଼ାରେ ୩୮ ଓ ମାଲକାନଗିରିରେ ୨୧.୨ ମିମି ବର୍ଷା ହୋଇଥିଲା। ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ସତର୍କ ସଙ୍କେତ ପାଖରେ ରହିଛି।