ଭୁବନେଶ୍ୱର, ୧୭|୦୭: ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ୧୯ ଓ ୨୦ ତାରିଖରେ ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଆସନ୍ତା ୨୪ ବା ୨୫ ତାରିଖରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ (ଆଇଏମଡି) ବିସ୍ତାରିତ ଆକଳନ ଜାରି କରିଛି।

ଆଇଏମଡି ଆକଳନ ଅନୁସାରେ, ୧୭ ତାରିଖ ବା ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି କୁହାଯାଇଛି। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ।

ଆଇଏମଡିର ବିସ୍ତାରିତ ଆକଳନ କହୁଛି, ୨୨ ତାରିଖ ଯାଏ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ୧୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଉ ଘନୀଭୂତ ହେବନି। ୨ ଦିନରେ ଏହା ଦୁର୍ବଳ ହୋଇଯିବ। ୨୩ରୁ ୨୯ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ସମୟରେ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପାଖାପାଖି ସ୍ବାଭାବିକ ଓ କିଛି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। କିନ୍ତୁ ସପ୍ତାହରେ ରାଜ୍ୟରେ ବଡ଼ ବର୍ଷା ଆଶଙ୍କା ନାହିଁ ।

ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ଓ ଭାରି ବର୍ଷା ଜାରି ରହିଛି। ପୁରୀରେ ୯୦ ମିମି ବର୍ଷା ରେକର୍ଡ ହୋଇଛି I ଅନୁଗୁଳରେ ୨୦୬ମିମି, ତାଳଚେରରେ ୧୯୫, ହୀରାକୁଦ, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୦୦, ନୟାଗଡ଼ରେ ୧୧୦, ବରଗଡ଼ ଓ ଦେବଗଡ଼ରେ ୯୭, ଟିଟିଲାଗଡ଼ ଓ କୋରାପୁଟରେ ୯୫, ସୋନପୁରରେ ୯୦, ସମ୍ବଲପୁର ଓ ଭୁବନେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ ହୋଇଛି।

ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀରେ ଜଳସ୍ତର ବଢୁଛି I ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭.୬୮ ମିଟର ରହିଛି। କିନ୍ତୁ ସତର୍କ ସଙ୍କେତଠାରୁ ଏହା ବହୁ ତଳେ ରହିଛି। ସେହିଭଳି ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବଢ଼ିଛି। ଏଠାରେ ଜଳସ୍ତର ୧୬.୬୨ ମିଟର ରହିଛି। ଏଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେକାର ଜଳସ୍ତର ପାଖାପାଖି ପହଞ୍ଚି ଗଲାଣି।