ଭୁବନେଶ୍ୱର, ୨୩/୦୯ : ବର୍ଷା ବଢ଼ିବାରେ ଲାଗିଛି । ଆସନ୍ତା ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ରହିବ ଦକ୍ଷିଣ ଓଡ଼ିଶାରେ। ଉପକୂଳ, ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ଲଗାଣ ବର୍ଷାକୁ ସାମ୍ନା କରିବ। ଦକ୍ଷିଣ ଓଡ଼ିଶାରେ ପବନ ବେଗ ୫୦-୬୦ କିମି ଛୁଇଁପାରେ। ବର୍ଷାକୁ ଦୃଷ୍ଟିରେ ରଖି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର, ନୟାଗଡ଼ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ଓ ମାଲକାନଗିରିରେ ୨୫ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।

ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇସାରିଛି। ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୨୧୦ କିମି ଦୂରରେ ରହିଛି। କଳିଙ୍ଗପଟ୍ଟନମରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିମି ଏବଂ ବିଶାଖାପାଟଣାର ପୂର୍ବରେ ୨୨୦ କିମି ଦୂରରେ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ- ବିଳମ୍ବିତ ରାତିରେ ଗଭୀର ଅବପାତ ବିଶାଖାପାଟଣା-ଗୋପାଳପୁର ମଝିରେ ସ୍ଥଳଭାଗ ଛୁଇଁପାରେ। ଶ୍ରୀକାକୁଲମ ନିକଟରେ ଏହା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ଅଛି। ସେତେବେଳକୁ ଏହା ପ୍ରଭାବରେ ୫୫-୬୫ କିମି ବେଗରେ ପବନ ବହିପାରେ। ପବନ ଝଟକା ୭୫ କିମି ବେଗ ଛୁଇଁପାରେ।

ସମ୍ଭାବ୍ୟ ଗତିପଥରୁ ଅନୁମାନ କରାଯାଉଛି, ଏହା ଦୀର୍ଘ ସମୟ ଧରି ଗଭୀର ଅବପାତ ଅବସ୍ଥାରେ ରହିବ। ସ୍ଥଳଭାଗ ଛୁଇଁବା ପରେ ଦିଗ ବଦଳାଇ ପାର୍ବତୀପୁରମ ନିକଟରେ ଘଷି ହୋଇ କୋରାପୁଟ ଆଡ଼କୁ ମୁହାଁଇବ। ୨୪ ତାରିଖ (ଗୁରୁବାର) ସନ୍ଧ୍ୟାବେଳକୁ ନାରାୟଣପାଟଣାରେ ଗଭୀର ଅବପାତ ଥିବା ଅନୁମାନ କରାଯାଉଛି ।

ପରବର୍ତ୍ତୀ ସମୟରେ ଏହାର ତୀବ୍ରତା କମିବ। ୨୫ ତାରିଖ ଦିନ ସାଢ଼େ ୧୧ଗବେଳକୁ ନବରଙ୍ଗପୁରର ଉମରକୋଟରେ ଅବପାତ ଅବସ୍ଥାରେ ଥାଇପାରେ । ପରେ କଳାହାଣ୍ଡିର ଭବାନୀପାଟଣା, ବଲାଙ୍ଗିରର କଣ୍ଟାବାଞ୍ଜି ଓ ନୂଆପଡ଼ା ଦେଇ ଛତିଶଗଡ଼କୁ ମୁହାଁଇପାରେ। ଆସନ୍ତା ୨୩, ୨୪ ଓ ୨୫ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ବୁଧବାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ୫୦- ୬୦ କିମି ବେଗରେ ପବନ ହୋଇପାରେ। ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କିଛି ଜାଗାରେ ବଜ୍ରପାତ ସହ ୫୦-୬୦ କିମି ପବନ ଆଶଙ୍କା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

କିଛି ଜାଗାରେ ୪୦-୫୦ କିମି ବେଗରେ ପବନ ଆଶଙ୍କା ରହିଛି। ଗୁରୁବାର ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ବି ବର୍ଷା ରହିବ। ଗୁରୁବାର ପବନ ବେଗ ୪୦ରୁ ୫୦ କିମି ରହିପାରେ। ଶୁକ୍ରବାର ବର୍ଷା ପ୍ରକୋପ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ଅଧିକ ରହିବ । ପବନ ବେଗ ୩୦-୪୦ କିମିକୁ ଖସିପାରେ। ଶନିବାର (୨୬ ତାରିଖ)ଠାରୁ ବର୍ଷା କ୍ରମଶଃ କମିବ।

Also Read :- Horoscope Today : ସେପ୍ଟେମ୍ବର ୨୩ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଲଗାଣ ବର୍ଷା ସ୍ଥିତିର ମୁକାବିଲା ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ନେଇ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଜଳ ସମ୍ପଦ ବିଭାଗ ସୂଚନା ଦେଇଛି, ବର୍ତମାନ ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି। ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ, ମାଲକାନଗିରିର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଅଗ୍ନିଶମ ସେବା ବାହିନୀ ସହ ୩୩ଟି ଓଡ୍ରାଫ ଟିମ୍ ମୁତୟନ ରହିଛନ୍ତି। ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଇତି ମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଦେଶୀ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି।