ଭୁବନେଶ୍ୱର, ୨୪/୦୯ : ଲଘୁଚାପ ପ୍ରଭାବରେ ରାଜଧାନୀରେ ଆଜି ପ୍ରବଳ ବର୍ଷା ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ଵରରେ ମୋଟ ୧୦୧ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ରାସ୍ତାରେ ଆଣ୍ଠୁଏ ପାଣି ଲହଡ଼ି ଖେଳିଛି।

ଗତକାଲି ତୁଳନାରେ ଭୁବନେଶ୍ବର ପ୍ରବଳ ଲଗାଣ ବର୍ଷା ହୋଇଛି I ବର୍ଷାରେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ରାସ୍ତା ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିଲା । ପାଣି ଜମିବା ଫଳରେ ଏହି ରାସ୍ତା ଦେଇ ଯିବା ଆସିବାରେ ଅସୁବିଧା ଉପୁଜିଥିଲା। ଟ୍ରାଫିକ ସମସ୍ୟା ଉପୁଜିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ରାଜମହଲରୁ ଗାଡ଼ି ଏଜି ଦେଇ ଛଡ଼ାଯାଇଥିଲା।

ଏହା ସହ ସହର ବ୍ୟବସାୟିକ ହବ କଟକରୋଡ୍ ଅବସ୍ଥା ବି ଶୋଚନୀୟ ହୋଇପଡ଼ିଥିଲା । ରସୁଲଗଡ କୋଚିଳେଇ ହାଟ ସାମ୍ନାରେ ପାଣି ଜମିଥିଲା । ବମିଖାଲ ରାସ୍ତାରେ ଡ୍ରେନ୍ କାମ ଯୋଗୁଁ ପାଣି ଖସିନଥିଲା । ଫଳରେ ରାସ୍ତା ଉପରେ ପାଣିର ସୁଅ ଚାଲିଥିଲା। ବାଇକ୍ ଆରୋହୀ, କାର ଚାଳକ ନାକେଦମ ହୋଇଥିଲେ।ସେହିପରି ଝାରପଡ଼ା ଶାନ୍ତିନଗର ଚିନ୍ତାମଣିଶୁର ପେଟ୍ରୋଲ ପମ୍ପ ନିକଟରେ ପାଣି ଜମି ରହିଥିଲା। ଖୋଦ୍ ବିଏମସି ଅଫିସ ଆଗ ଜନପଥ ମଧ୍ୟ ବାଦ୍ ପଡ଼ିନି । ସତ୍ୟନଗର ଶ୍ମଶାନ ଆଗରେ ପାଣି ଜମି ରହିଥିଲା। ସୌଭାଗ୍ୟନଗର ରାସ୍ତା ଓ ରସୁଲଗଡ ସତ୍ୟବିହାର ପାଣିରେ ଉବୁଟୁବୁ ହୋଇଛି। ଏନଏଚ୍ ମଧ୍ୟ ବାଦ୍ ପଡ଼ିନି । ସିଆର୍ପି ଏନଏଚ୍ ଉପରେ ଅଣ୍ଟାଏ ପାଣି ଜମିଥିଲା।

ପାହଳ ଏନଏଚ୍ ଓଭରବ୍ରିଜ୍ ଅଣ୍ଡରପାସରେ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ଷା ସାଙ୍ଗକୁ ଅଳ୍ପ ବେଗରେ ପବନ ହୋଇଥିଲା। ଏଥିରେ କିଛି ସ୍ଥାନରେ ଗଛ ଉପୁଡିଥିବା ଖବର ମିଳିଛି। ସେହିପରି ବିଭିନ୍ନ ଆଡ଼େ ଗଛ ଡାଳ ଭାଙ୍ଗି ପଡ଼ିଥିଲା । ବର୍ଷା ଓ ପବନ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ କାଟ ବି କରାଯାଇଥିଲା । ବିଏମସି ପକ୍ଷରୁ ୧୯ଟି ତଳିଆ ଅଞ୍ଚଳ ପାଣିରେ ବୁଡ଼ିଛି । ଏହି ସବୁ ଅଞ୍ଚଳରେ ବିଏମସି ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଇଛି। ଏହା ସହ ରାତି ଅଧିଆ ପର୍ଯ୍ୟନ୍ତ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।