ଭୁବନେଶ୍ବର ୨୨।୯: ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କି.ମି. ବେଗରେ ପଶ୍ଚିମ ଆଡ଼କୁ ଗତି କରି ୨୨ ସେପ୍ଟେମ୍ବର ୨୦୨୬ ସକାଳ ୮.୩୦ ମିନିଟ୍ ସମୟରେ ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି । ଏହା ଗୋପାଳପୁରର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କି.ମି., କଳିଙ୍ଗପଟ୍ଟନମ୍ ର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କି.ମି., ପୁରୀର ଦକ୍ଷିଣରେ ୨୧୦ କି.ମି. ଏବଂ ବିଶାଖାପାଟଣାର ପୂର୍ବରେ ୨୯୦ କି.ମି. ଦୂରରେ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବାର ବହୁ ସମ୍ଭାବନା ରହିଛି । କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଏହା ଏକ ଗଭୀର ଅବପାତ ରୂପେ ୨୩ ତାରିଖ ରାତିରୁ ୨୪ ସେପ୍ଟେମ୍ବର ୨୦୨୬ ଭୋର ମଧ୍ୟରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ ସେପ୍ଟେମ୍ବରରେ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ଏବଂ ୨୪ ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୫ ସେପ୍ଟେମ୍ବରରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୬ ସେପ୍ଟେମ୍ବରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩-୨୪ ସେପ୍ଟେମ୍ବର ପାଇଁ କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଥିରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୪-୨୫ ସେପ୍ଟେମ୍ବର ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ୟାନାମ୍ ଉପକୂଳରେ ଏବଂ ଉପକୂଳ ସଂଲଗ୍ନ ସମୁଦ୍ରରେ ଘଣ୍ଟାପ୍ରତି ୪୦-୫୦ କି.ମି. ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କି.ମି. ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ ହୋଇଯାଇଛି । ୨୨ ସେପ୍ଟେମ୍ବର ସନ୍ଧ୍ୟାରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦-୬୦ କି.ମି ଏବଂ ଝଟ୍‌କା ପବନର ବେଗ ୭୦ କି.ମି. ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ୨୨ ସେପ୍ଟେମ୍ବର ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦-୬୦ କି.ମି.ରୁ ଝଟକା ୭୦ କି.ମି. ଏବଂ ୨୩ ସେପ୍ଟେମ୍ବରରୁ ୨୪ ସେପ୍ଟେମ୍ବର ସନ୍ଧ୍ୟା ପର୍ଯ୍ୟନ୍ତ ଆହୁରି ବୃଦ୍ଧି ପାଇ ଘଣ୍ଟାପ୍ରତି ୫୫-୬୫ କି.ମି.ରୁ ଝଟକା ୭୫ କି.ମି. ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି । ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଅଛି। ମତ୍ସ୍ୟଜୀବୀମାନଙ୍କୁ ୨୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ, ସଂଲଗ୍ନ ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ହାରାହାରି ୧୩.୫ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇଠାରେ ସର୍ବାଧିକ ୭୮.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଋଷିକୂଲ୍ୟା ନଦୀ ସୋରଡ଼ାଠାରେ ୭୬.୮୩ ମିଟର (ବିପଦ ସଙ୍କେତ ୮୧.୯୯ ମିଟର), ମାଧବରିଡ଼ାଠାରେ ୫୫.୯୪ ମିଟର (ବିପଦ ସଙ୍କେତ ୬୦.୬୫ ମିଟର) ଏବଂ ପୁରୁଷୋତ୍ତମପୁରଠାରେ ୧୨.୧୮ ମିଟର (ବିପଦ ସଙ୍କେତ ୧୬.୮۴ ମିଟର) ରହିଛି। ବଂଶଧାରା ନଦୀ ଗୁଣୁପୁରଠାରେ ୮୦.୯୩ ମିଟର (ବିପଦ ସଙ୍କେତ ୮୪.୦୦ ମିଟର) ଏବଂ କାଶୀନଗରଠାରେ ୫୨.୯୩ ମିଟର (ବିପଦ ସଙ୍କେତ ୫୪.୬୦ ମିଟର) ରହିଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜଳାଶୟଗୁଡ଼ିକରେ ଉପଲବ୍ଧ ଜଳ ଧାରଣ କ୍ଷମତା ମଧ୍ୟରୁ ଉପର ଇନ୍ଦ୍ରାବତୀରେ ୮୩.୬%, ଉପର କୋଲାବରେ ୫୪.୫%, ବାଲିମେଳାରେ ୪୪.୪% ଏବଂ ମାଛକୁଣ୍ଡ (ଜଲାପୁଟ)ରେ ୬୩.୮% ରହିଛି ।

ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ଅଗ୍ନିଶମ ସେବା ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜଳସମ୍ପଦ ବିଭାଗ, ପୋଲିସ ଏବଂ ଦକ୍ଷିଣ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଂବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା, ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀକୁ ପୂର୍ବରୁ ମୁତୟନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରିର ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଅଗ୍ନିଶମ ସେବା ୟୁନିଟ୍‌ଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।

ଆଗାମୀ ଗଭୀର ଅବପାତ ପାଇଁ ମୋଟ୍ ୩୩ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରୁ ୨୪ଟି ଟିମ୍ ସଂବେଦନଶୀଳ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି । ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗୀରରେ ଗୋଟିଏ ଟିମ୍ ମୁତୟନ । ଏହା ବ୍ୟତୀତ, ୯ଟି ଓଡ୍ରାଫ୍ ଟିମ୍‌କୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଓଏସଏପି (OSAP) ୮ମ ବାଟାଲିୟନ, ଓଡ୍ରାଫ୍ ୟୁନିଟ୍‌ରେ ରିଜର୍ଭ ରଖାଯାଇଛି।

Also Read:- ଗଭୀର ଅବପାତର ରୂପ ନେବ ଅବପାତ, ୨୩ ରାତିରୁ ୨୪ ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍ !

ମେଡିକାଲ ସୁବିଧାଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ବର୍ଷା, ଜଳାଶୟକୁ ଜଳ ପ୍ରବେଶ ଏବଂ ଡ୍ୟାମ୍‌ର ଜଳସ୍ତର ଉପରେ କ୍ରମାଗତ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ମୁଖ୍ୟାଳୟରେ ରହି ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ଓ ଜିଲ୍ଲା ସ୍ତରରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମସ୍ତ ସମ୍ପୃକ୍ତ ବିଭାଗ ଏବଂ କ୍ଷେତ୍ରୀୟ ଅଧିକାରୀ/କର୍ମଚାରୀମାନଙ୍କୁ ଉଚ୍ଚ ସଜାଗତା ଅବଲମ୍ବନ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଜନତାଙ୍କୁ ସତର୍କ ରହିବା, ଜଳମଗ୍ନ, ତଳିଆ ଏବଂ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳକୁ ନ ଯିବା, ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବା ଏବଂ ରାଜ୍ୟ ସରକାର ଓ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ସରକାରୀ ସୂଚନା/ପରାମର୍ଶ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।