ଭୁବନେଶ୍ୱର,୧୮/୦୮ : ବର୍ଷା ପ୍ରକୋପ ସାମାନ୍ୟ କମିଛି। ହେଲେ ପାଣି ଖସୁନି। ବୈତରଣୀ ବିପଦ ସଙ୍କେତ ଉପରେ ଉଛୁଳୁଛି। ସାଳନ୍ଦୀ ମାଡ଼ି ଚାଲିଛି। ଜଳକା ବି ବିପଦ ସଙ୍କେତ ଉପରେ ଚାଲିଛି। ବୁଢ଼ାବଳଙ୍ଗ ଖସୁନି। ସୁବର୍ଣ୍ଣରେଖା ମଧ୍ୟ ବଢ଼ିବାରେ ଲାଗିଛି । ୩ ସପ୍ତାହ ଧରି ଉତ୍ତର ଓଡ଼ିଶା ବନ୍ୟା ଦୁର୍ଦ୍ଦଶାରେ ଛଟପଟ ହେଉଛି।

ପାଣିପାଗ ପୂର୍ବାନୁମାନ ଅନୁସାରେ ବର୍ଷା ପ୍ରକୋପ ମଙ୍ଗଳବାର ସକାଳ ଯାଏ ଅଧିକ ରହିବ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ। ତା'ପରଠାରୁ ଧୀରେ ଧୀରେ ବର୍ଷା ପ୍ରକୋପ କମି ପାରେ। ସମ୍ଭାବ୍ୟ ଲଘୁଚାପ ଦାନା ବାନ୍ଧିଲେ ପୁଣି ବର୍ଷା ବଢ଼ିବ। ଉତ୍ତର ଓଡ଼ିଶା ବନ୍ୟା ସ୍ଥିତିରେ ବିଶେଷ ସୁଧାର ନାହିଁ । ଯାଜପୁର ଓ ଭଦ୍ରକରେ ବେଳକୁ ବେଳ ଦୁର୍ଦ୍ଦଶା ବଢ଼ି ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ। ବନ୍ୟା ଅଞ୍ଚଳ ଦେଖିବା ସହ ବିପନ୍ନଙ୍କ ଦୁର୍ଦ୍ଦଶା ପଚାରି ବୁଝିବା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ସରକାରୀ ରିପୋର୍ଟ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୬ ଜିଲ୍ଲାର ୬୬ ବ୍ଳକର ୪୪୮ଟି ପଞ୍ଚାୟତ ଅନ୍ତର୍ଗତ ୧୩୦୪ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୬୪ଟି ୱାର୍ଡରେ ଏହା ପ୍ରଭାବ ପକାଇଛି। ୭ ଲକ୍ଷ ୮୫ ହଜାର ୧୯୯ ଲୋକେ ଏଥିରେ ପ୍ରଭାବିତ। ସନ୍ଧ୍ୟା ୬ଟା ସୁଦ୍ଧା ୨ ଲକ୍ଷ ୭୭ ହଜାର ୬୫୫ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ୧୨୬ଟି ଗାଁ ଏଯାଏଁ ଜଳବନ୍ଦୀ ରହିଛି।

ବନ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ୪୨ ହଜାର ୨୧୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୯୪୧ଟି ଘର ନଷ୍ଟ ହୋଇଛି। ୭୮୩ ମେଟ୍ରିକ ଟନ ଗୋ-ଖାଦ୍ୟ, ୧୯୫୦ କୁଇଣ୍ଟାଲ ଚୁଡ଼ା, ୨୦୩ କୁଇଣ୍ଟାଇ ଗୁଡ଼ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ୯୯ଟି ଟିମ୍ ନିୟୋଜିତ ହୋଇଛନ୍ତି।

ଭଦ୍ରକର ସ୍ଥିତି

ଭଦ୍ରକ ଜିଲ୍ଲାର ୪ଟି ବ୍ଳକରେ ପୁଣି ବନ୍ୟା ଜଳ ପଶିଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ଼ ଓ ୧୩୪ଟି ଗ୍ରାମ ପ୍ରଭାବିତ ଜଳମଗ୍ନ ରହିଛି। ପ୍ରାୟ ୨ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି। ୧ ଲକ୍ଷ ୭ହଜାର ୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁଲାଇ ୨୭ ତାରିଖରୁ ଜିଲ୍ଲାକୁ ବନ୍ୟା କବଳିତ କରି ରଖିଛି। ବହୁ ପରିବାର ନଦୀ ବନ୍ଧ ସହ ଉଚ୍ଚା ଜାଗାରେ ପଲିଥିନ ତଳେ ଜୀବନ ବିତାଉଛନ୍ତି ।

ଯାଜପୁରରେ ଦୁର୍ଦ୍ଦଶା

ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ୧୦ ବ୍ଳକର ୨,୮୪,୫୭୮ ଲୋକେ ପ୍ରଭାବିତ ହୋଇଥିବାବେଳେ ୭୭ ହଜାର ୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। କାଣୀ ଓ ବୈତରଣୀ ନଦୀର ବନ୍ଧରେ ଘାଇ ସୃଷ୍ଟି ହେବାରୁ ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା ବ୍ଳକରେ ଦୁର୍ଦ୍ଦଶା ଲାଗି ରହିଛି। ୧୮ ହଜାର ୬୪୨ ହେକ୍ଟର ଚାଷଜମି ଜଳମଗ୍ନ ରହିଛି। ସବୁଠୁ ବେଶି ସମସ୍ୟା ଭୋଗୁଛନ୍ତି ଦଶରଥପୁର ବ୍ଳକ ଅଞ୍ଚଳରେ। ବନ୍ୟା ଯୋଗୁ ୧୪୧ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ୬୮ଟି ଗ୍ରାମୀଣ ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି।

କେନ୍ଦ୍ରାପଡାରେ ସ୍ଥିତି ସଙ୍ଗୀନ

କେନ୍ଦ୍ରାପଡ଼ା ଜିଲ୍ଲାର ୯ ବ୍ଳକର ୧୨୦ଟି ପଞ୍ଚାୟତ ପାଣି ଘେରରେ ରହିଛି। ୨ ଲକ୍ଷ ଲୋକେ ବନ୍ୟା ଓ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ଅଳଭାରେ ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ଉପରେ ଚାଲିଛି। ପଟ୍ଟାମୁଣ୍ଡାଇ ବ୍ଳକର ନାହିଆଡିଆ ଗାଁରେ ରାସ୍ତାରେ ପାଣି ଚାଲିଛି। ନଦୀରେ ଜଳସ୍ତର କମିଥିଲେ ବି ବାଲେଶ୍ଵର ଜିଲ୍ଲାର ୯୭ଟି ପଞ୍ଚାୟତ ୪୫୩ ଗାଁ ପ୍ରଭାବିତ ହୋଇଛି। ୬୦ଟି ଗାଁ ଏବେ ବି ପାଣି ଘେରରେ ରହିଛି। ୨ ଲକ୍ଷ ୩ ହଜାର ୮୭୮ ଲୋକେ ବନ୍ୟା ପ୍ରଭାବିତ ହୋଇଛନ୍ତି। ୬୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି। ୬୯ଟି ଘର ନଷ୍ଟ ହୋଇଥିବାବେଳେ ୧୬ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କେନ୍ଦୁଝରରେ ୭୮ଟି ପଞ୍ଚାୟତର ୧୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ୯୫୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ମୟୂରଭଞ୍ଜର ୨୨ଟି ବ୍ଳକର ୧୨୬ଟି ଗାଁର ୨୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

ବୈତରଣୀ ଆଖୁଆପଦାରେ ରାତି ୮ଟାବେଳେ ୧୯.୨୦ ମିଟରରେ ପ୍ରବାହିତ ହେଉଥିଲା। ବିପଦ ସଙ୍କେତ ସ୍ତର ୧୮.୩୩ ମିଟର। ସନ୍ଧ୍ୟା ୬ଟାରେ ଆନନ୍ଦପୁରରେ ବିପଦ ସଙ୍କେତ (୩୮.୩୬ମି) ପାର୍ କରି ୩୯.୩୬ ମିଟରରେ ପ୍ରବାହିତ ହେଉଥିଲା। ଚମ୍ପୁଆରେ ଜଳସ୍ତର ୩୭୩.୭୨ ମିଟର ଥିଲା।

Also Read :- ଡ୍ରାଇଭରଙ୍କ ଆଖି ଲାଗିଗଲା, ଓଲଟି ପଡିଲା 'ଚକାଡୋଳା' ବସ୍ : ୨୦ ଆହତ

ପାଣିପାଗ ବିଭାଗ କହିଛି, ଅବପାତ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିଲା। ଏହା ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ବିହାର ଆଡ଼କୁ ଗତି କରୁଛି। ଏହା ପ୍ରଭାବରେ ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ଵର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ସକାଳ ଭିତରେ । ୧୮ ତାରିଖ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ପ୍ରବଳତର ଏବଂ ସମ୍ବଲପୁର, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ। ୧୯ରୁ ବଡ଼ ବର୍ଷା ସମ୍ଭାବନା କମ୍ ରହିଥିବା ବେଳେ ୨୧ବେଳକୁ ପୁଣି ବର୍ଷା ବଢ଼ିପାରେ ବୋଲି ଆକଳନ କରାଯାଇଛି ।