ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୫ଟି ରାଜ୍ୟର ୧୪ଟି ଜିଲ୍ଲା ଦେଇ ଯାଉଥିବା ୩ଟି ବହୁ-ଟ୍ରାକିଂ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ଚତୁର୍ଥ ଲାଇନ୍, କଟନୀ-ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଏବଂ ବିଳାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ୍ ରହିଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ମଧ୍ୟ ଏହି ପ୍ରକଳ୍ପରୁ ଉପକୃତ ହେବେ।

ଏହି ୩ଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନ ନେଟୱର୍କରେ ୬୫୬ କିଲୋମିଟର ରେଳ ଲାଇନ୍ ବୃଦ୍ଧି କରିବ। ଏହା ଫଳରେ ପ୍ରାୟ ୫୬ ଲକ୍ଷ ଲୋକ ବସବାସ କରୁଥିବା ୪,୭୯୦ଟି ଗାଁକୁ ଉନ୍ନତ ରେଳ ଯୋଗାଯୋଗ ମିଳିବ। ରେଳ ଲାଇନ୍ କ୍ଷମତା ବଢ଼ିବା ସହିତ ଟ୍ରେନ୍ ଚଳାଚଳରେ ଭିଡ଼ ହ୍ରାସ ଏବଂ ପରିଚାଳନା ଦକ୍ଷତାରେ ସୁଧାର ଆସିବ ବୋଲି କୁହାଯାଇଛି।

ପ୍ରକଳ୍ପଗୁଡ଼ିକ ଦେଶର ପ୍ରମୁଖ ଶିଳ୍ପ ଓ ମାଲ ପରିବହନ ମାର୍ଗକୁ ମଧ୍ୟ ସୁଦୃଢ଼ କରିବ। କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ ଭଳି ସାମଗ୍ରୀ ପରିବହନ ପାଇଁ ଏହି ରେଳପଥ ଗୁରୁତ୍ୱପୂର୍ଣ୍ଣ ହେବ। କ୍ଷମତା ବୃଦ୍ଧି ପରେ ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ସୃଷ୍ଟି ହେବ।

ରେଳ ସଂଯୋଗ ବଢ଼ିବା ଦ୍ୱାରା ତାରାତାରିଣୀ ମନ୍ଦିର, ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ, ଅମରକଣ୍ଟକ, ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟ, ରତନପୁର ମହାମାୟା ମନ୍ଦିର ସମେତ ଅନେକ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ଯୋଗାଯୋଗ ସୁବିଧା ଉନ୍ନତ ହେବ। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ୍ ଅନୁରୂପ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଯାତ୍ରୀ, ମାଲ ଓ ସେବାର ଦ୍ରୁତ ଏବଂ ବାଧାମୁକ୍ତ ଯାତାୟାତ ସହ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଲକ୍ଷ୍ୟ ରହିଛି।

Also Read: ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟିବ ନିବେଶ ସୁଅ, ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରେଳ ପରିବହନ ଅଧିକ ପରିବେଶ ଅନୁକୂଳ ହେବାରୁ ଏହି ପ୍ରକଳ୍ପ ଦେଶର ଜଳବାୟୁ ଲକ୍ଷ୍ୟ ପୂରଣରେ ମଧ୍ୟ ସହାୟକ ହେବ। ଆକଳନ ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୨ କୋଟି ଲିଟର ତୈଳ ଆମଦାନି ଏବଂ ପ୍ରାୟ ୬୨ କୋଟି କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇପାରେ। ଏହି କାର୍ବନ ହ୍ରାସ ପ୍ରାୟ ୨ କୋଟି ୪୮ ଲକ୍ଷ ଗଛ ଲଗାଇବା ସହ ସମାନ ବୋଲି ସରକାର କହିଛନ୍ତି।