ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ରେ କଥିତ ଅନିୟମିତତାକୁ ନେଇ ସୋମବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ଯେ ସିଇସିଙ୍କୁ ତ ଯିବାକୁ ପଡିବ, ହେଲେ ସେହି ସିଷ୍ଟମର ବି ‘ହିସାବ’ ହେବ ଯିଏ ତାଙ୍କ ଦ୍ୱାରା ଏହି କାମ କରାଇଛି। ରାହୁଲ ଗାନ୍ଧି ଦିଲ୍ଲୀ ଯମୁନା କୂଳ ବସ୍ତି ‘ବେଲା ଏଷ୍ଟେଟ’କୁ ଯାଇ ଏପରି ଅନେକ ଲୋକଙ୍କୁ ଭେଟିଛନ୍ତି ଯେଉଁମାନଙ୍କ ନାମ ଏସଆଇଆରରେ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି।

ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଅଞ୍ଚଳର ୭୨୮ ବୟଷ୍କ ଲୋକଙ୍କ ମଧ୍ୟରୁ ୭୨୭ ଜଣଙ୍କ ନାମ କାଟି ଦିଆଯାଇଛି। ରାହୁଲ ଗାନ୍ଧି ଲୋକଙ୍କୁ ଭେଟୁଥିବାର ଏକ ଭିଡିଓ ଏକ୍ସ ରେ ସେୟାର କରିଛନ୍ତି, ଏଥିରେ ସେ ଫୋନ ଯୋଗେ ଏସଡିଏମଙ୍କ ସହ କଥା ହେଉଥିବା ଦେଖା ଯାଉଛନ୍ତି। ଭିଡିଓରେ ରାହୁଲ ଏସଡିଏମଙ୍କୁ ଭୋଟର ଲିଷ୍ଟରୁ ଲୋକଙ୍କ ନାଁ କଟିବାର କାରଣ ସମ୍ପର୍କରେ ପଚାରୁଥିବାର ଦେଖାଯାଉଛନ୍ତି। ଏହି ବିଷୟକୁ ନେଇ କଂଗ୍ରେସ ନେତା ନିର୍ବାଚନ ଆୟୋଗଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ଓ କହୁଛନ୍ତି ‘ଜ୍ଞାନେଶ କୁମାର ତ ଯିବେ, ହେଲେ ତାଙ୍କ ଦ୍ୱାରା ଏହି କାମ କାରଇଥିବା ସିଷ୍ଟମର ମଧ୍ୟ ହିସାବ ହେବ’।

କଂଗ୍ରେସ ନେତା କହିଛନ୍ତି ଯେ ବେଲା ଏଷ୍ଟେଟରେ ଲୋକେ ଦୀର୍ଘ ଦଶନ୍ଧୀରୁ ରହି ଆସୁଛନ୍ତି। ସେମାନେ ୨୦୨୪ ଲୋକସଭା ଓ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ମଧ୍ୟ ଦେଇଛନ୍ତି। ୨୦୨୩ ମସିହାରେ ସେମାନଙ୍କ ଘର ଭାଙ୍ଗି ଦିଆଯାଇଥିଲା। ହେଲେ ସେମାନେ ଏଠାରୁ କେଉଁ ଆଡେ ଚାଲି ଯାଇ ନାହାନ୍ତି, ଏବେବି ଏହି ଅଞ୍ଚଳରେ ବସବାସ କରୁଛନ୍ତି। ରାହୁଲ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଏସଡିଏମଙ୍କୁ ଲୋକଙ୍କ ଘର ଥାଉ କି ନଥାଉ ସେମାନଙ୍କ ଭୋଟଦାନ ଅଧିକାର କେହି ଛଡାଇ ନେଇ ପାରିବେନି ବୋଲି ପ୍ରଶ୍ନ କରିଥିଲି। ନିଜେ ସିଇସି ଜ୍ଞାନେଶ କୁମାର କହିଛନ୍ତି ‘ହାଉସ୍ ନମ୍ବର ୦’’ ବେଘର ଲୋକଙ୍କ ପାଇଁ’। ଏହା ପରେ ବି ୭୨୭ ଜଣଙ୍କ ନାଁ କାଟି ଦିଆଯାଇଛି?

ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଏହା ଏସଆଇଆର ନୁହେଁ ଏହା ଭୋଟ ଚୋରିର ଉପାୟ। ଯେଉଁମାନଙ୍କ ପାଖରେ ପୂର୍ବରୁ ବି ବହୁତ କମ ଥିଲା ସେମାନଙ୍କଠାରୁ ସେମାନଙ୍କ ଏକମାତ୍ର ଶକ୍ତିକୁ ମଧ୍ୟ ଛଡାଇ ନିଆଯାଇଛି। ଦିଲ୍ଲୀର ନିର୍ବାଚନ ଅଧିକାରୀମାନେ ଗତ ଦିନରେ କହିଥିଲେ ଯେ ବେଲା ଏଷ୍ଟେଟର ଲୋକଙ୍କ ନାମ ଏଥି ପାଇଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି, ଯେହେତୁ ଅତୀତରେ ସେମାନଙ୍କ ଘର ଭାଙ୍ଗି ଦିଆଯାଇଥିଲା। ତେବେ ସେମାନଙ୍କ ଘର ନାହିଁ ବୋଲି ସେମାନେ ଭୋଟ ଦେଇ ପାରିବେନି ଏହା କେଉଁଠିକାର ନ୍ୟାୟ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।