ନୂଆଦିଲ୍ଲୀ ୫।୨: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। କହିଛନ୍ତି ମୋଦି ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ମିଥ୍ୟାର ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ରାହୁଲ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଉଲ୍ଲେଖ କରିଛନ୍ତି ମାତ୍ର କିଛି ପ୍ରଶ୍ନକୁ ଏତେ ଡର? ମୋଦିଜୀ ସତକୁ ଏତେ ଡରୁଛନ୍ତି ଯେ ମିଥ୍ୟାର ସାହାରା ନେଇଛନ୍ତି। ତେବେ ଠିକ୍ ଅଛି ମୁଁ ବି ସେଇଆ କରୁଛି ଯାହା ମୋତେ ଠିକ୍ ଲାଗୁଛି।

ରାଜ୍ୟସଭା ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୟୁପିଏ ସରକାରକୁ ଟାର୍ଗେଟ କରିଥିଲେ ଓ କହିଥିଲେ ଏନଡିଏ ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଯିଏ ଏକ ଦଶନ୍ଧୀରୁ ଅଧିକ ସମୟ ସରକାରରେ ଅଛି, ଅତୀତର ଭୁଲ ସୁଧାରିବାରେ ବ୍ୟତୀତ କରିଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ଦଳ କକ୍ଷ୍ୟତ୍ୟାଗ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ୧୦୦ ମିନିଟ୍ ର ଭାଷଣରେ ଗାନ୍ଧି ପରିବାରର କେତେକ ସଦସ୍ୟଙ୍କ ଉଲ୍ଲେଖ କରିଛନ୍ତି ଓ ସେମାନେ ମହାତ୍ମା ଗାନ୍ଧିଙ୍କ ସାଙ୍ଗିଆ (ଟାଇଟେଲ) ଚୋରାଇ ନେଇଥିବାର ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଭାଷଣରେ କହିଛନ୍ତି ଯେ କିଛି ଲୋକଙ୍କ ପାଇଁ ଚୋରି କରିବା ସେମାନଙ୍କ ପାରିବାରିକ ପେଷା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଭ୍ୟାସଗତ ଚୋରମାନେ ଜଣେ ଗୁଜରାଟି ମହାତ୍ମା ଗାନ୍ଧିଙ୍କ ସାଙ୍ଗିଆକୁ ବି ଚୋରେଇ ନେଲେ। ତେବେ ରାହୁଲ ତାଙ୍କ ଟ୍ୱିଟରେ ବିଶେଷ କିଛି ଉଲ୍ଲେଖ କରି ନଥିଲେ ହେଁ କେବଳ ଏତିକି ଲେଖିଛନ୍ତି ଯାହା ଉଚିତ ଭାବିଲି ତାହା ଲେଖିଲି। ତେବେ ଏହା ପୂର୍ବରୁ ଗତ କାଲି ପ୍ରଧାନମନ୍ତ୍ରୀ ମୋଦି ସଂସଦ ଆସିବେନି ବୋଲି ରାହୁଲ ଉଲ୍ଲେଖ କରିଥିଲେ। କହିଥିଲେ କାରଣ ସେ ଡରି ଯାଇଛନ୍ତି ଓ ସତ୍ୟକୁ ସାମ୍ନା କରିବାକୁ ଚାହୁଁ ନାହାନ୍ତି।