ବଲାଙ୍ଗୀର ୦୭।୧୧ : ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସରକାରୀ କଲେଜର ଅଧ୍ୟକ୍ଷ। ବଲାଙ୍ଗୀର ସରକାରୀ ଆଇଟିଆଇ କଲେଜର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅତିଥି ପ୍ରଶିକ୍ଷକଙ୍କ ଚାକିରି ଜାରି ରଖିବା ଓ ନିୟମିତ ଦରମା ପ୍ରଦାନ କରିବା ପାଇଁ ଦାବି କରିଥିଲେ ୩୦ ହଜାର ଟଙ୍କାର ଲାଞ୍ଚ। ଲାଞ୍ଚ ଟଙ୍କା ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ଫ୍ଲାଟ୍ରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।

ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ କଲେଜର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ଅତିଥି ପ୍ରଶିକ୍ଷକ ଭାବେ ଚାକିରି ଜାରି ରଖିବା ଏବଂ ନିୟମିତ ଦରମା ପାଇବାର ବ୍ୟବସ୍ଥା କରିଦେବା ପାଇଁ ଜଣେ ପ୍ରଶିକ୍ଷକଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଅଧ୍ୟକ୍ଷଙ୍କଠାରୁ ଲାଞ୍ଚ ବାବଦ ୩୦ ହଜାର ଟଙ୍କା ଜବତ କରାଯାଇଛି। କେବଳ ଜଣେ ପ୍ରଶିକ୍ଷକ ନୁହେଁ, ଅନୁଷ୍ଠାନର ଅନ୍ୟ ୭ ଜଣ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରାଇଦେବା ନାଁରେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ନେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଟଙ୍କା ନଦେଲେ ଚାକିରିରୁ ବାହାର କରିଦେବାକୁ ଅଧ୍ୟକ୍ଷ ଧମକ ଦେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆଉ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଅଧ୍ୟକ୍ଷଙ୍କୁ ଧରିଥିଲା ଭିଜିଲାନ୍ସ।

ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଅଧ୍ୟକ୍ଷଙ୍କ ସହ ଜଡ଼ିତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ବଲାଙ୍ଗୀର ସ୍ଥିତ ତାଙ୍କ ସରକାରୀ ବାସଭବନ ସମେତ ଅନ୍ୟ ଠିକଣା ଏବଂ ରାଉରକେଲାର ହମିରପୁର ସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ରାଉରକେଲା ଫ୍ଲାଟ୍ରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି। ଏହି ଟଙ୍କାର ଉତ୍ସ ସମ୍ପର୍କରେ ମଧ୍ୟ ତଦନ୍ତ କରୁଛି ଭିଜିଲାନ୍ସ।

Also Read:-Amitabh Bachchan: ବିଗ୍‌ ବିଙ୍କୁ ପୁଣି ଟାର୍ଗେଟ, ବିଗ୍-ବି’ଙ୍କ ଘର ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨/୨୦୨୬ ରୁଜୁ ହୋଇଛି। ନଭେମ୍ବର ୬ ତାରିଖରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ କୋର୍ଟ ଚାଲାଣ କରିବା ପାଇଁ ଭିଜିଲାନ୍ସ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଲାଞ୍ଚ କାରବାର ସହ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଜବତ ଟଙ୍କାର ଉତ୍ସ କ’ଣ, ସେ ଦିଗରେ ତଦନ୍ତ ଜାରି ରହିଛି।