ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଝାଡଖଣ୍ଡ ରାଜଧାନୀ ରାଞ୍ଚୀରେ ପ୍ରଦର୍ଶନରତ ଛାତ୍ରଙ୍କ ଉପରେ ହୋଇଥିବା ଲାଠି ମାଡ଼କୁ ନେଇ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି ‘ଝାଡଖଣ୍ଡରେ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରେ ବଳ ପ୍ରୟୋଗ ଭୁଲ, ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ ଲାଗି ଛାତ୍ରଙ୍କ ଅଧିକାର ରହିଛି ଓ ଆଲୋଚନା ମାଧ୍ୟମରେ ସମାଧାନର ବାଟ କଢା ଯାଇ ପାରିବ। ରାହୁଲ କହିଛନ୍ତି ଯେ ଝାଡ଼ଖଣ୍ଡ ସରକାରଙ୍କୁ ଛାତ୍ରଙ୍କ କଥା ଶୁଣିବାକୁ ପଡିବ ଓ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ କାଢିବାକୁ ପଡିବ’।

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ଝାଡଖଣ୍ଡ ଛାତ୍ରଙ୍କ ଲାଗି ଆମର ବାର୍ତ୍ତା ସ୍ପଷ୍ଟ , ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରୁଥିବା ଛାତ୍ରଙ୍କ ଉପରେ ହିଂସାତ୍ମକ ଆକ୍ରମଣକୁ ବିରୋଧ କରୁଛୁ’। ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡରେ ଜେଏମଏମ, କଂଗ୍ରେସ ଓ ଆରଜେଡିର ମେଣ୍ଟ ସରକାର ରହିଛି। ତେବେ ରାହୁଲ ଗାନ୍ଧି ନିକଟରେ ଦିଲ୍ଲୀ ଜନ୍ତର-ମନ୍ତରରେ ହୋଇଥିବା ଛାତ୍ରଙ୍କ ଉପରେ ଲାଠିମାଡ଼କୁ ନେଇ ପ୍ରଶ୍ନ ଉଠାଉଛନ୍ତି ଓ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜବାବ ଦାବି କରୁଛନ୍ତି। ଏଥିରେ ଝାଡଖଣ୍ଡ ଲାଠିଚାର୍ଜ ଘଟଣା ପରେ କଂଗ୍ରେସ ଉପରେ ବିଜେପି ପ୍ରଶ୍ନ ଉଠାଉଥିଲା ଯେ ପ୍ରସଙ୍ଗରେ ରାହୁଲ ଚୁପ କାହିଁକି? ଯାହାର ଜବାବ ରାହୁଲ ଗାନ୍ଧି ରଖିଛନ୍ତି।

ସନ୍ଧ୍ୟା ପାଖାପାଖି ୬ଟା ବେଳେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଅମିତ ଶାହଙ୍କୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଯୁବବର୍ଗଙ୍କ ଉପରକୁ ଗୁଳି ଚଳାଇବାର ଅଧିକାର କିଏ ଦେଲା ଏହା ପ୍ରଥମରୁ ମୋର ପ୍ରଶ୍ନ ରହି ଆସିଛି । ଶାହ ସ୍ପଷ୍ଟ କରନ୍ତୁ ଯେ ଏଥି ପାଇଁ ସେ ଆଦେଶ ଦେଇଥିଲେ ନା ନା? ଯଦି ଏହି ସୂଚନା ନେଇ ସେ ଅଜ୍ଞ ଥିଲେ, ତେବେ ସେ ଅଯୋଗ୍ୟ ଓ ଏହି ପଦରେ ସେ ରହିବା ଉଚିତ ନୁହେଁ। ରାହୁଲ ଗାନ୍ଧି କହିଛନ୍ତି ଯେ ‘ଅମିତ ଶାହ ପ୍ରଥମେ ଏହା ସ୍ପଷ୍ଟ କରନ୍ତୁ ସେ ଲାଠି ଚାର୍ଜ ପାଇଁ ଆଦେଶ ଦେଇଥିଲେ କି? ତା ପରେ ଯାଇ ଚର୍ଚ୍ଚା ହୋଇ ପାରିବ’। ୧୫ ଦିନ ହେଲା ସେମାନଙ୍କ ମଧ୍ୟରୁ କେହି ବି ସଦନକୁ ଆସିବାକୁ ସାହସ କରୁ ନାହାନ୍ତି। ନା ଗୃହମନ୍ତ୍ରୀ ଅମିତ ଶାହ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେହି ହେଲେ ଗୃହରେ ରହିବାକୁ ସାହସ କରୁନାହାନ୍ତି। ତେବେ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀର କିଛି ସମୟ ପୂର୍ବରୁ ଝାଡଖଣ୍ଡ ଘଟଣା ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିଲେ।

ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଝାଡଖଣ୍ଡରେ ଛାତ୍ର ପ୍ରତିଯୋଗୀତା ପରୀକ୍ଷାରେ ଅନିୟମିତତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ଏଥି ପାଇଁ ସେମାନେ ଆଜି ବିଧାନସଭା ପହଞ୍ଚିଛନ୍ତି। ବିରୋଧ ପ୍ରଦର୍ଶନ କାଳରେ ଛାତ୍ର ପୋଲିସର କେତେକ ବାରିକେଡ ଭାଙ୍ଗି ଦେଇଛନ୍ତି। ଛାତ୍ରଙ୍କ ବିରୋଧରେ ପୋଲିସ ୱାଟର କ୍ୟାନନ ବ୍ୟବହାର କରିବା ସହ ଲାଠି ଚାର୍ଜ ଓ ଲୁହବୁହା ବାସ୍ପ ପ୍ରୟୋଗ କରିଛି।