ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି । NEET UG ପ୍ରଶ୍ନପତ୍ର ଲିକ୍ ଏବଂ ବାତିଲ ହେବା ଘଟଣାକୁ ନେଇ ଉତକ୍ଷୀପ୍ତ ହୋଇଉଠିଛନ୍ତି କଂଗ୍ରେସ ସାଂସଦ । ସେ କହିଛନ୍ତି, ୨୨ ଲକ୍ଷ ପିଲାଙ୍କ ପରିଶ୍ରମ, ତ୍ୟାଗ ଏବଂ ସ୍ବପ୍ନକୁ ଭ୍ରଷ୍ଟ ବିଜେପି ସରକାର ନଷ୍ଟ କରିଦେଇଛି । ପେପର ଲିକ୍, ସରକାରୀ ବିଫଳତା ଏବଂ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବାଜିରେ ଲଗାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ନେଇ ଏଭଳି କହିଲେ ରାହୁଲ

ରାହୁଲ ଗାନ୍ଧୀ କହିଛନ୍ତି ଯେ, ପିଲାମାନଙ୍କ ଶିକ୍ଷା ପାଇଁ କେତେ ଜଣ ପିତା ଋଣ ନେଇଥିଲେ, କିଛି ମାଆମାନେ ସେମାନଙ୍କର ଅଳଙ୍କାର ବିକ୍ରି କରିଥିଲେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ରାତିସାରା ଜାଗ୍ରତ ହୋଇ ପ୍ରସ୍ତୁତି କରିଥିଲେ। କିନ୍ତୁ ପ୍ରତିବଦଳରେ ସେମାନେ ଯାହା ପାଇଲେ ତାହା ହେଉଛି ପେପର ଲିକ୍ ଏବଂ ବିଶୃଙ୍ଖଳା। ସେ ଏହାକୁ କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଯୁବପିଢ଼ିଙ୍କ ଭବିଷ୍ୟତ ଲାଗି ଏକ ‘ଅପରାଧ’ ବୋଲି କହିଛନ୍ତି।

Also Read: NEET- UG ପରୀକ୍ଷା ବାତିଲ, ପେପର ଲିକ୍ର ଖୋଳତାଡ କରିବ CBI, ସାନି ପରୀକ୍ଷା କେବେ ହେବ, ସୂଚନା ଦେଲା NTA

ମାଫିଆଙ୍କ ଉପରେ ବର୍ଷିଲେ

କଂଗ୍ରେସ ନେତା କହିଛନ୍ତି ଯେ, ପ୍ରତି ଥର ପେପର ମାଫିଆ ଖସିଯାଉଛନ୍ତି । ସଚ୍ଚୋଟ ଛାତ୍ରଛାତ୍ରୀମାନେ ଏହାର ପରିଣାମ ଭୋଗୁଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ିବ

ରାହୁଲ ଗାନ୍ଧୀ କହିଛନ୍ତି ଯେ, ପରୀକ୍ଷା ବାତିଲ ହେବା ପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଥରେ ମାନସିକ ଚାପ, ଆର୍ଥିକ ବୋଝ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେବେ। ସେ ପ୍ରଶ୍ନ କରିଛନ୍ତି ଯେ, ଯଦି କଠିନ ପରିଶ୍ରମ ବଦଳରେ ଟଙ୍କା ଏବଂ ପ୍ରଭାବ ସେମାନଙ୍କ ଭବିଷ୍ୟତ ନିର୍ଣ୍ଣୟ କରେ, ତେବେ ଶିକ୍ଷାର ଅର୍ଥ କ'ଣ ? ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ସରକାରଙ୍କ ତଥାକଥିତ ‘ଅମୃତକାଳ’ ଦେଶର ଯୁବପିଢ଼ିଙ୍କ ପାଇଁ ‘ବିଷକାଳ’ ପାଲଟିଛି ।