ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି ଯେ ମୋଦି ସରକାର ଦେଶରେ ଦୁଇଟି ସିଷ୍ଟମ କରିଛନ୍ତି। ଏଥିରୁ ଗୋଟିଏ ହାତଗଣତି ବିଲେନିୟରଙ୍କ ଲାଗି ହୋଇଥିବା ବେଳେ ଅନ୍ୟଟି ବାକି ସମସ୍ତଙ୍କ ଲାଗି। ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)କୁ ଆକ୍ଷେପ କରି ରାହୁଲ କହିଛନ୍ତି ଯେ ‘ଏହା ନେତା-କମ୍ପାନୀ ଲୁଟ୍ ଟ୍ରିବ୍ୟୁନାଲ’। ବ୍ୟାଙ୍କ ଓ ଫାଇନାନସିଆଲ ଇନିଷ୍ଟିଚ୍ୟୁସନ ସାଧାରଣ ନାଗରିକଙ୍କ ସହ କଡ଼ା ବ୍ୟବହାର କରୁଥିବା ଦେଖୁଥିଲେ ହେଁ ଟ୍ରିବ୍ୟୁନାଲ କିଛି ଖାସ ବିଲେନିୟରଙ୍କ ସହ ଉତ୍ତମ ବ୍ୟବହାର କରୁଛନ୍ତି।

ଏନସିଏଲଟି ଦ୍ୱାରା ୨୨,୦୦୦ କୋଟି ଟଙ୍କା ଡିଫଲ୍ଟଲୋନର ୯୯.୯୭% କ୍ଷମା କରିଦେବା ଓ ଏହାକୁ ମାତ୍ର ୬.୫ କୋଟି ଟଙ୍କାରେ ସମାଧାନ କରିବା ନେଇ ପ୍ରତିକ୍ରିୟାରେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ଜନତାଙ୍କ ପଇସାର ପୁରାକୁ ପୁରା ଲୁଟ। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଲେଖିଛନ୍ତି ଯଦି କୌଣସି ଚାଷୀ ୫୦,୦୦୦ ଟଙ୍କା ସୁଝି ନପାରୁଛି ବ୍ୟାଙ୍କ ତାର ଚାଷ ଜମି ନିଲାମ କରିଦେଉଛନ୍ତି। ସେହିପରି ଯଦି କୌଣସି ବେତନ ଭୋଗୀ କର୍ମଚାରୀ ବ୍ୟାଙ୍କର ଋଣ ଇଏମଆଇ ଖିଲାଫ କରୁଛି ବ୍ୟାଙ୍କ ଏଜେଣ୍ଟ ତାଙ୍କ ଦ୍ୱାରକୁ ପହଞ୍ଚି ଯାଉଛି, ଗରିବ ପିଲାଙ୍କ ପାଠ ପଢା ପାଇଁ ଋଣ ମିଳି ପାରୁନି ହେଲେ କିଛି ଖାସ ବନ୍ଧୁଙ୍କ ଲାଗି ବ୍ୟାଙ୍କର ପଇସା ପ୍ରାଇଭେଟ ପ୍ରପର୍ଟି ପାଲଟି ଯାଇଛି। ଯେତେ ଇଛା ନେଇଯାଅ ଓ ଯେତିକି ପାରୁଛ ଦିଅ ବୋଲି ଉଲ୍ଲେଖ କରିଛନ୍ତି।

ଏପରି ସେଟେଲମେଟ୍ ଲାଗି ବ୍ୟାଙ୍କିଙ୍ଗ ଟର୍ମ ‘ହେୟାର କଟ୍’ର ଉଲ୍ଲେଖ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟାରାମ ରମେଶ କହିଛନ୍ତି ଯେ ଏହା ବାସ୍ତବରେ ‘ହେୟାର କଟ୍’ ନୁହେଁ ବରଂ ପୁରା ମସ୍ତକ ମୁଣ୍ଡନ ଓ ଏହା ଇନସଲଭେନ୍ସୀ ଓ ବ୍ୟାଙ୍କରପସୀ କୋଡ ୨୦୧୬ର ଉପହାସ କରୁଛି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା ଦାବି କରିଛନ୍ତି ଯେ ଅର୍ଥମନ୍ତ୍ରୀ ୧୨ ବର୍ଷର ତଥ୍ୟ ଆଣନ୍ତୁ ଯେଉଁଥିରେ ଏନସିଏଲଟି ହେୟାରକଟ୍ ରେ କେତେକୋଟି ଟଙ୍କା ଲୁଟେଇଛନ୍ତି। ସୂରଜେୱାଲା କହିଛନ୍ତି ଯେ ହେୟାର କଟ ନାମରେ ମୋଦି ସରକାର ଏନସିଏଲଟି ମାଧ୍ୟମରେ ଜନତା ଓ ବ୍ୟାଙ୍କ ପଇସା ଲୁଟ ହେବାକୁ ଦେଉଛନ୍ତି।

ସେ କହିଛନ୍ତି ଏହି ତଥ୍ୟ ୧୦ଲକ୍ଷ କୋଟି ଟଙ୍କାର ମଧ୍ୟ ଅଧିକ ହୋଇପାରେ। ଏହା କେବଳ ମୁଁ ଅନ୍ଦାଜରେ ନୁହେଁ ଏ ବାବଦେ ମୋ ପାଖରେ କିଛି ସୂଚନା ଥିବା କଥା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି ଯେ ଆପଣ ୫୦,୬୦, ୭୦,୮୦, ୯୦ ଓ ଏବେ ୯୯ % କିପରି ହେୟାର କଟ କରିବେ? ଯଦି ଏତେ ଋଣ କ୍ଷମା ଦେବାର ଅଛି ତେବେ ଏନସିଏଲଟି କାର୍ଯ୍ୟାନୁଷ୍ଠାନ କାହିଁକି କରୁଛନ୍ତି? ଏହା ହେୟାର କଟ ଆଢୁଆଳାରେ ଉଦ୍ୟୋଗପତିଙ୍କୁ ଋଣ କ୍ଷମା କରିବାର ଏକ ଯୋଜନା ବୋଲି ସୂରଜେୱାଲା କହିଛନ୍ତି।