ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିରୋଧୀ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯାଇଛି । ନୂଆଦିଲ୍ଲୀର ଆକାଶବାଣୀ ଭବନ ସମ୍ମୁଖରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଏହି ସମୟରେ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ରଖିଛି । ଏହି ଦୁଇ ନେତାଙ୍କ ବ୍ୟତୀତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ଅଟକ ରଖିଛି ଦିଲ୍ଲୀ ପୁଲିସ । 

ଅଟକ ହୋଇଥିବା ଅନ୍ୟ ବରିଷ୍ଠ ନେତାମାନଙ୍କ ମଧ୍ୟରେ ସାଂସଦ ପବନ ଖେଡ଼ା, କେ.ସି. ବେଣୁଗୋପାଳ ଏବଂ ଅମରିନ୍ଦର ସିଂହ ରାଜା ୱାରିଂ ପ୍ରମୁଖ ସାମିଲ । ଏହି ପ୍ରତିବାଦସ୍ଥଳରୁ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ନୂଆଦିଲ୍ଲୀର DCP ସଚିନ ଶର୍ମା ନିଜେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହା ପୂର୍ବରୁ ଆକାଶବାଣୀ ଭବନ ବାହାରୁ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ୍‌ଙ୍କ ସମେତ ଅନେକ ଯୁବ କଂଗ୍ରେସ ଓ NSUI ନେତାଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଥିଲା।

ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟ 'ନିର୍ବାଚନ ସଦନ' ଅଭିମୁଖେ ପଦଯାତ୍ରା କରୁଥିବା ବିରୋଧୀ ନେତାମାନଙ୍କୁ ପୁଲିସ ଅଟକାଇବାରୁ ସେମାନେ ଆକାଶବାଣୀ ଭବନ ସମ୍ମୁଖରେ ଧାରଣାରେ ବସିଥିଲେ।  ଭୋଟର ତାଲିକାର ସୂତନ୍ତ୍ର ବ୍ୟାପକ ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ବିରୋଧରେ ବିରୋଧୀ ଦଳଗୁଡ଼ିକ  ‘ଗଣତନ୍ତ୍ର ବଞ୍ଚାଓ’ ଆନ୍ଦୋଳନ ଜୋରଦାର କରିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି ଯେ, ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏବଂ ଗଣତନ୍ତ୍ରର ସୁରକ୍ଷା ନହେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ।

ସେହିପରି ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନିର୍ବାଚନ କମିଶନରମାନେ ବିରୋଧୀ ନେତାଙ୍କୁ ଭେଟି ସେମାନଙ୍କ ଆଶଙ୍କା ଓ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଦେଶର ନିର୍ବାଚନ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ, ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଏକ ଖବରକୁ 'ପ୍ରେସ ଇନ୍‌ଫରମେସନ୍ ବ୍ୟୁରୋ'ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଖଣ୍ଡନ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧାରଣା ହଟାଇବା ପାଇଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯୋଗାଯୋଗ କରିଥିବା ନେଇ କିଛି ସୋସିଆଲ ମିଡିଆ ପେଜ୍‌ରେ ଦାବି କରାଯାଉଥିଲା। PIB ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଗୁଜବ ବୋଲି କହିଛି । ଏହା ସହ କୌଣସି ଅପ୍ରମାଣିତ ଖବର ଉପରେ ବିଶ୍ୱାସ ନକରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛି ପିଆଇବି।