ନୂଆଦିଲ୍ଲୀ : ପାର୍ଟି ବଦଳାଇବା ପରେ ପ୍ରଥମ ଗଣମାଧ୍ୟମ ବୟାନ ଦେଇଛନ୍ତି ରାଘବ ଚଢା। ଏଥିରେ ସେ ଆମ ଆଦମୀ ପାର୍ଟି (ଆପ) ଛାଡି ବିଜେପିରେ ଯୋଗ ଦେବା ପାଇଁ ତାଙ୍କ ନିଷ୍ପତ୍ତିକୁ ଘୋଡେଇଛନ୍ତି। ସେ ତାଙ୍କ ପୂର୍ବ ପାର୍ଟିକୁ ‘ବିଷାକ୍ତ କାର୍ଯ୍ୟସ୍ଥଳ’ଓ ସେ ଯେଉଁ ସଙ୍ଗଠନରେ ଯୋଗ ଦେଇଥିଲେ ଏବେ ସେହି ସଙ୍ଗଠନ ଆଉ ପୂର୍ବାବସ୍ଥାରେ ନାହିଁ ବୋଲି କହିଛନ୍ତି। ୩୭ ବର୍ଷ ବୟଷ୍କ ରାଜ୍ୟସଭା ସାଂସଦ ଦଳବଦଳକୁ ନେଇ ଗଣମାଧ୍ୟମ ପ୍ରଶ୍ନର ସମ୍ମୁଖୀନ ହେବା ପରେ ଇଂଷ୍ଟାଗ୍ରାମ ଭିଡିଓ ମାଧ୍ୟମରେ ମୁହଁ ଖୋଲିଛନ୍ତି।

ଆଉ ଆଗପରି ନାହିଁ ଆପ
ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚିତ କରି ଚଢା କହିଛନ୍ତି ଯେ ପାର୍ଟି ସମୟ ସହିତ ବଦଳି ଯାଇଛି। ସେ କହିଛନ୍ତି ଯେ ଆଜି ପାର୍ଟି ଆଉ ପୁରୁଣା ପାର୍ଟି ହୋଇ ନାହିଁ। ଆଜି ଏହି ପାର୍ଟିରେ କାମ କରିବାର ପରିବେଶ ଅତ୍ୟନ୍ତ ଖରାପ। ଏଠାରେ ଆପଣଙ୍କୁ କାମ କରିବାକୁ ରୋକା ଯାଉଛି। ସଂସଦରେ ଆପଣଙ୍କୁ କଥା କୁହାଇ ଦିଆଯାଉନି। ସେ ନିଜକୁ ଆପର ଜଣେ ସଂସ୍ଥାପକ ସଦସ୍ୟ ବୋଲି କହିବା ସହ ମୁଁ ରାଜନୀତିକୁ କ୍ୟାରିୟର କରିବାକୁ ଆସିନଥିଲି ବୋଲି କହିଛନ୍ତି। ମୁଁ ମୋ ଯୁବାବସ୍ଥାର ୧୫ ବର୍ଷ ଏହି ପାର୍ଟିକୁ ମୋ ସ୍ୱେଦ ଓ ରକ୍ତରେ ଛିଞ୍ଚିଛି। ମୁଁ ପାର୍ଟିରେ ଦିନକୁ ଦିନ ଏକୁଟିଆ ହୋଇ ପଡୁଥିଲି ମୁଁ ନିଜକୁ ଠିକ୍ ବ୍ୟକ୍ତି ବୋଲି ଅନୁଭବ କରୁଥିଲି ହେଲେ ଭୁଲ ପାର୍ଟିରେ ଥିଲି।

ଜାଣନ୍ତୁ ରାଘବ ଚଢାଙ୍କ ଥ୍ରୀ-ଡି କ’ଣ?
ସେ କହିଛନ୍ତି ଯେ ମୁଁ ପଦକ୍ଷେପ ନେବା ପୂର୍ବରୁ ବିଭିନ୍ନ ବିକଳ୍ପ ଉପରେ ବିଚାର କରିଥିଲି। କାରଣ ଆପର ଅନ୍ୟ ୬ ସାଂସଦ ଅଶୋକ କୁମାର ମିତ୍ତଲ, ହରଭଜନ ସିଂହ, ସନ୍ଦୀପ କୁମାର ପାଠକ, ବିକ୍ରମଜିତ୍ ସିଂହ ସାହାଣୀ, ଶ୍ୱାତୀ ମଲିୱାଲ ଓ ରାଜିନ୍ଦର ଗୁପ୍ତା ମଧ୍ୟ ପାର୍ଟି ଛାଡି ଏପ୍ରିଲ ୨୪ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ଏବେ ଚଢାଙ୍କୁ ମିଶାଇ ୭ ସାଂସଦ ବିଜେପିର ୧୧୩ ସଦସ୍ୟଙ୍କ ମଧ୍ୟରେ ଗଣା ହେଉଛନ୍ତି।ତେବେ ସେ ଚାପ ଓ ଭୟ କାରଣରୁ ପାର୍ଟି ଛାଡିଦେଲେକି ବୋଲି ପ୍ରଶ୍ନର ଜବାବରେ କହିଛନ୍ତି ଯେ ଏହା ନିରାଶା (ଡିସାପଏଣ୍ଟମେଣ୍ଟ), ମୋହଭଙ୍ଗ (ଡିସେଞ୍ଚମେଣ୍ଟ) ଓ ଘୃଣା (ଡିସଗଷ୍ଟ) ଯୋଗୁ ହୋଇଛି।

ମୁଁ ଭୁଲ ହୋଇପାରେ ସମସ୍ତେ ଭୁଲ ନୁହନ୍ତି
ସେ ଏହା ବି ତର୍କ ଦେଇଛନ୍ତି ଯେ ଏପରି ବ୍ୟାପକ ଇସ୍ତଫା ପାର୍ଟି ଭିତରେ ଏକ ବ୍ୟାପକ ସମସ୍ୟା ଆଡକୁ ଇଶାରା କରୁଛି। ସେ କହିଛନ୍ତି ଜଣେ ବ୍ୟକ୍ତି ଭୁଲ ହୋଇ ପାରେ, ୨ ଜଣ ଭୁଲ ହୋଇ ପାରନ୍ତି ହେଲେ ୭ ଜଣ କେବେ ଭୁଲ ହୋଇ ପାରିବେନି। ଚଢା ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପରୁ ଦୂରେଇ ଯିବା ସାର୍ବଜନିକ ଜୀବନରୁ ଦୂରେଇବା ନୁହେଁ। ସେ ନିଜକୁ ରାଜନୈତିକ ରୂପେ ସକ୍ରିୟ ରଖିବେ ଓ ଜନତାଙ୍କ ସମସ୍ୟା ଉଠାଇବେ ବୋଲି କହିଛନ୍ତି। ଏବେ ତ ଏହି ପ୍ରସଙ୍ଗ ସବୁ ଉଠାଇବା ଆହୁରି ସହଜ ହେବ ବୋଲି ସେ କହିଛନ୍ତି।

Also Read..ପ୍ରଭାବିତ କରିପାରିଲାନି ଚା’ର ଅଫର୍; ଦଳର ହାତ ଛାଡ଼ିଲେନି ପଞ୍ଜାବରେ AAPର ଏକମାତ୍ର ସାଂସଦ