ନୂଆଦିଲ୍ଲୀ: ରାଘବ ଚଢା ଏବଂ ଅନ୍ୟ ୬ ଜଣ ରାଜ୍ୟସଭା ସାଂସଦ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ୭ ବିଦ୍ରୋହୀ ସାଂସଦଙ୍କୁ ବିଜେପିରେ ସାମିଲ ପାଇଁ ସୋମବାର ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ମଞ୍ଜୁରି ଦେଇଛନ୍ତି । ଏହାରି ମଧ୍ୟରେ ପଞ୍ଜାବରେ ଆପ୍ର ଏକମାତ୍ର ସାଂସଦ ସନ୍ଥ ବଲବୀର ସିଂହ ସିଚେଓ୍ବାଲ ବଡ଼ ଖୁଲାସା କରିଛନ୍ତି । ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ, ସେ କାହିଁକି ଆପ୍ ଛାଡ଼ିଲେ ନାହିଁ ଏବଂ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀରେ ସାମିଲ ହେଲେ ନାହିଁ କହିଛନ୍ତି ।

ସେ ଦାବି କରିଛନ୍ତି, ତାଙ୍କୁ ରାଘବ ଚଢ଼ା ଫୋନ୍ କରିଥିଲେ, ସାଙ୍ଗ ହୋଇ ଚା’ ପିଇବାକୁ ଅଫର ବି ଦେଇଥିଲେ । ତଥାପି, ବିଦ୍ରୋହୀ ସାଂସଦଙ୍କ ସହ ହାତ ମିଳାଇ ନଥିଲେ ବଲବୀର ସିଂହ । ସେପଟେ ଅନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯେଉଁ ଦିନ ୭ ବିଧାୟକ ଆପ୍ ଛାଡ଼ି ବିଜେପିରେ ସାମିଲ ହେବାର ଥିଲା, ସେଦିନ ମଧ୍ୟ ବଲବୀରଙ୍କୁ ଅଫର ଆସିଥିଲା । ଟ୍ରାଇବ୍ୟୁନକୁ ପ୍ରତିକ୍ରିୟା ଦେଇ ସିଚେଓ୍ବାଲ କହିଛନ୍ତି, ତାଙ୍କୁ ‘ଆଜାଦ ଗ୍ରୁପ’ରେ ସାମିଲ ହେବାକୁ ବିକ୍ରମଜିତ ସିଂହ ଫୋନ୍ କରିଥିଲେ ।

ବିକ୍ରମଜିତ ସିଂହ ସିଚେଓ୍ବାଲଙ୍କୁ ଫୋନ୍ କରି କହିଥିଲେ, ଆପ୍ ଛାଡ଼ିବାକୁ ଅନ୍ୟ ସାଂସଦମାନେ ରାଜି ହୋଇଯାଇଛନ୍ତି । ଆପଣ (ବଲବୀର ସିଂହ) ମଧ୍ୟ ଆଜାଦ ଗ୍ରୁପରେ ସାମିଲ ହୁଅନ୍ତି । କିନ୍ତୁ ସେ ମନା କରିଦେଇଥିଲେ ବୋଲି ବଲବୀର ସିଂହ ଗଣମାଧ୍ୟମକୁ କହିଛନ୍ତି । ତେବେ ସାଂସଦମାନେ ହଠାତ ଆପ୍ ଛାଡ଼ିଦେବା ଘଟଣା ତାଙ୍କୁ ମର୍ମାହତ କରିଛି ବୋଲି ସେ କହିଛନ୍ତି । ଏହା ସହ ବଲବୀର ସିଂହ, ସାଂସଦଙ୍କ ଏଭଳି ପଦକ୍ଷେପକୁ ନିନ୍ଦା କରି କହିଛନ୍ତି, ସେମାନେ ଦଳକୁ ଧୋକା ଦେଇଛନ୍ତି ।

ପରିବେଶ ପ୍ରେମୀ ସିଚେଓ୍ବାଲ

ସିଚେୱାଲ ୨୦୦୦ ଦଶକର ପ୍ରାରମ୍ଭରେ ପବିତ୍ର କାଳୀ ବେନ ନଦୀକୁ ସଫା ଏବଂ ପୁନରୁଦ୍ଧାର କରିବା ପାଇଁ ପ୍ରସିଦ୍ଧି ହାସଲ କରିଥିଲେ । ୨୦୨୨ ମସିହାରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସିଚେୱାଲଙ୍କ ଦୀର୍ଘ ଜନସେବା ରାଜନୈତିକ ପ୍ରତିଷ୍ଠାନରେ ତାଙ୍କୁ ସ୍ଥାନ ଦେଇଥିଲା। ସେ ଗୁରୁ ନାନକ ଦେବଙ୍କ ସହିତ ଜଡିତ ପଞ୍ଜାବର ଐତିହାସିକ କାଳୀ ବେନ ନଦୀକୁ ପୁନରୁଦ୍ଧାର କରି ନିଜର ପରିଚୟ ସୃଷ୍ଟି କରିଥିଲେ।