ନୂଆଦିଲ୍ଲୀ: ଯାହା ପୂର୍ବରୁ ଆକଳନ କରାଯାଉଥିଲା ତାହା ହେଲା। ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା। ରାଜ୍ୟସଭା ସାଂସଦ ରାଘବ ଚଢ଼ା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଶୁକ୍ରବାର ଆପ୍‌ରୁ ଇସ୍ତଫା ଦେଇଛନ୍ତି। ଏବଂ ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ରାଘବ ଚଢା କହିଛନ୍ତି ଯେ ତାଙ୍କ ସହିତ ଆପର ଦୁଇ ତୃତୀୟାଂଶ ନେତା ଦଳ ଛାଡ଼ିଛନ୍ତି। ଆଶ୍ଚର୍ଯ୍ୟକର କଥା ହେଲା ଏମାନଙ୍କ ସହ ସ୍ୱାତୀ ମାଲିୱାଲ ଓ କ୍ରିକେଟରରୁ ନେତା ସାଜିଥିବା ହରଭଜନ ସିଂହ ମଧ୍ୟ ଆପ୍‌ରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

ରାଜ୍ୟସଭାରେ ଦୁର୍ବଳ ହେଲା ଆପ୍‌

ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ। ଏବେ ୭ ଜଣ ଛାଡି ଦେବା ପରେ ଆପ୍ ପାଖରେ ଆଉ ମାତ୍ର ୩ ଜଣ ସାଂସଦ ସଞ୍ଜୟ ସିଂହ (ଦିଲ୍ଲୀ), ଏନଡି ଗୁପ୍ତା (ଦିଲ୍ଲୀ) ଏବଂ ଜଳ କର୍ମୀ ବଲବୀର ସିଂହ ସିଚେୱାଲ (ପଞ୍ଜାବ) ରହିଛନ୍ତି। ରାଘବ ଚଢା, ସନ୍ଦୀପ ସିଂହ ଏବଂ ଅଶୋକ ମିତ୍ତଲ ଖୁବ୍ ଶୀଘ୍ର ବିଜେପି ସଭାପତି ନୀତିନ ନବୀନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବରେ ଯୋଗ ଦେବେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।

Also Read- ‘ଟିଏମସିର ଦୀପ ଲିଭିଯିବ..’: ପଶ୍ଚିମବଙ୍ଗରେ ପରିବର୍ତ୍ତନ ନିଶ୍ଚିତ କହିଲେ ମୋଦି

ଆପ୍‌ ଛାଡ଼ି ବେଜେପିରେ ମିଶିବାକୁ ଥିବା ଅନ୍ୟ ସାଂସଦମାନେ ହେଲେ-  ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ବିକ୍ରମଜିତ୍ ସାହାଣୀ। ଏମାନେ ସମସ୍ତେ ଆଉ କିଛି ସମୟ ପରେ ବିଜେପି ଅଧ୍ୟକ୍ଷ ନୀତୀନ ନବୀନଙ୍କ ସାକ୍ଷାତ କରି ଔପଚାରିକ ଭାବେ ବିଜେପିରେ ଯୋଗ ଦେବେ।

​​​​​​​ସାମ୍ବାଦିକ ସମ୍ମିଳନୀରେ କ'ଣ କହିଲେ ଚଢା ?
​​​​​​​ଏନେଇ ଆପ୍ ସାଂସଦ ଚଢା କହିଛନ୍ତି "ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ, ରାଜ୍ୟସଭାରେ ଥିବା ଆପ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଭାରତର ସମ୍ବିଧାନର ବ୍ୟବସ୍ଥା ବ୍ୟବହାର କରି ବିଜେପିରେ ମିଶିବୁ।"

ଚଢା ଆହୁରି କହିଥିଲେ ଯେ ଆପ, ଯାହାକୁ ମୁଁ ମୋର ରକ୍ତ ଏବଂ ଝାଳ ଦେଇ ପାଳି ଥିଲି ଏବଂ ମୋର ଯୌବନର ୧୫ ବର୍ଷ ଦେଇଥିଲି, ତାହା ଏବେ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୀତିଶାସ୍ତ୍ରରୁ ବିଚ୍ୟୁତ ହୋଇଛି। ଏହି ଦଳ ଆଉ ଦେଶର ସ୍ୱାର୍ଥରେ କାମ କରେ ନାହିଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରେ। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ଆପରୁ ନିଜକୁ ଅଲଗା କରୁଛି ଏବଂ ଲୋକଙ୍କ ନିକଟତର ହେଉଛି।