ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଅଶ୍ଳୀଳ, ମାନହାନିକର ଏବଂ AI-ମାନିପୁଲେଟେଡ୍ କଣ୍ଟେଣ୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

କ'ଣ କହିଲେ କୋର୍ଟ?

ବିଚାରପତି ସୁବ୍ରମଣ୍ୟମ୍ ପ୍ରସାଦଙ୍କ ସିଙ୍ଗଲ୍ ବେଞ୍ଚ୍ ରାଘବ ଚଢ଼ାଙ୍କ ପିଟିସନ୍ ଶୁଣାଣି କରି ଅନଲାଇନ୍‌ରେ ଥିବା କିଛି ନିର୍ଦ୍ଦିଷ୍ଟ ମାନହାନିକର ପୋଷ୍ଟକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକ 'ଅଶ୍ଳୀଳ ଓ ସ୍ପଷ୍ଟ' ଏବଂ ଏହା ଯୁକ୍ତିଯୁକ୍ତ ସମାଲୋଚନାର ସୀମା ଲଙ୍ଘନ କରିଛି। ରାଘବ ଚଢ଼ାଙ୍କ ଓକିଲମାନେ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଏକ ସୁଚିନ୍ତିତ ଓ ପେଡ୍  ଅଭିଯାନ ଜରିଆରେ କିଛି ଏଜେନ୍ସି ମାଧ୍ୟମରେ ସାଂସଦଙ୍କ ସମ୍ମାନ ହାନି କରିବା ପାଇଁ ଏହି ମିଥ୍ୟା ପ୍ରଚାର କରାଯାଉଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାଟି 'ପର୍ସନାଲିଟି ରାଇଟ୍ସ' ସହ ଜଡ଼ିତ ନୁହେଁ। କୋର୍ଟ କେବଳ ୫ଟି ନିର୍ଦ୍ଦିଷ୍ଟ ଦଲିଲ୍/ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ଅନ୍ୟଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ ମାନହାନିକର ବୋଲି ମନେ ହୋଇନାହିଁ।

ରାଘବ ଚଢ଼ାଙ୍କ ପକ୍ଷ

 ତାଙ୍କ ଓକିଲମାନେ ଏହି ରାୟକୁ ଏକ "ସ୍ୱାଗତଯୋଗ୍ୟ ପଦକ୍ଷେପ" ବୋଲି କହିଛନ୍ତି। ସେମାନଙ୍କ ମତରେ, ବାକ୍ ସ୍ୱାଧୀନତା ନାମରେ କେହି ମଧ୍ୟ ପେଡ୍ ଅଭିଯାନ ଚଳାଇ ଚରିତ୍ର ସଂହାର କରିପାରିବେ ନାହିଁ। ଶୁଣାଣି ସମୟରେ ମେଟା ପକ୍ଷରୁ କୁହାଯାଇଥିଲା ଯେ, ସାଂସଦ ଯେଉଁ ସ୍କ୍ରିନ୍‌ସଟ୍‌ଗୁଡ଼ିକୁ ପ୍ରମାଣ ଭାବେ ଦର୍ଶାଇଛନ୍ତି, ସେଗୁଡ଼ିକ ମଧ୍ୟରୁ ଅନେକ ସାଧାରଣ ଖବରକାଗଜର ରିପୋର୍ଟ ଅଟେ। ଏହି ରାୟ ଅନଲାଇନ୍ ମାନହାନି ମାମଲାରେ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।