ନୂଆଦିଲ୍ଲୀ: ମିଳିତ ଜାତିସଂଘର ପରବର୍ତ୍ତୀ ମହାସଚିବ ଚୟନ ପ୍ରକ୍ରିୟା ଉପରେ ସାରା ବିଶ୍ୱର ନଜର ରହିଛି । ବର୍ତ୍ତମାନର ମହାସଚିବ ଏଣ୍ଟୋନିଓ ଗୁଟେରସଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷରେ ସରିବାକୁ ଯାଉଛି । ଜାନୁଆରୀ ୧, ୨୦୨୭ରୁ ଜାତିସଂଘକୁ ଏକ ନୂଆ ନେତୃତ୍ୱ ମିଳିବ । ଏହି ଦୌଡ଼ରେ ସବୁଠାରୁ ଆଗରେ ଥିବା ପ୍ରାର୍ଥୀ ମାରିଆ ଫର୍ଣ୍ଣାଣ୍ଡା ଏସପିନୋସା ନିକଟରେ ମିଳିତ ଜାତିସଂଘ ସାଧାରଣ ସଭାରେ ନିଜର ଭିଜନ୍ ଉପସ୍ଥାପନ କରିଛନ୍ତି ।

ଜାତିସଂଘ ମହାସଚିବ ପଦ ପାଇଁ ଦୌଡ଼ରେ ୪ ଜଣ ମହିଳାଙ୍କ ସମେତ ମୋଟ ୬ ଜଣ ପ୍ରାର୍ଥୀ ଅଛନ୍ତି । ଏହି ଦୌଡ଼ରେ ଇକ୍ୱାଡୋରର ମାରିଆ ଫର୍ଣ୍ଣାଣ୍ଡା ଏସପିନୋସା ସବୁଠାରୁ ଆଗରେ ଅଛନ୍ତି । ବିଶ୍ୱ ଏବେ ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନିଶ୍ଚିତତା ଭଳି ବଡ଼ ସଙ୍କଟ ଦେଇ ଗତି କରୁଥିବାରୁ ଏହି ନୂଆ ନେତୃତ୍ୱ ଚୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କିଏ ଏହି ମାରିଆ ଫର୍ଣ୍ଣାଣ୍ଡା ଏସପିନୋସା ?

ମାରିଆ ଫର୍ଣ୍ଣାଣ୍ଡା ଏସପିନୋସା ହେଉଛନ୍ତି ଇକ୍ୱାଡୋରର ଜଣେ ଅଭିଜ୍ଞ କୂଟନୀତିଜ୍ଞ ଏବଂ ରାଜନେତ୍ରୀ । ସେ ପୂର୍ବରୁ ଇକ୍ୱାଡୋରର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଏହା ସହିତ ସେ ଜାତିସଂଘ ସାଧାରଣ ସଭାର ସଭାପତି ମଧ୍ୟ ରହିସାରିଛନ୍ତି । ଆଣ୍ଟିଗୁଆ ଏବଂ ବାର୍ବୁଡା ତାଙ୍କ ନାମକୁ ଆନୁଷ୍ଠାନିକ ଭାବେ ସମର୍ଥନ କରିସାରିଛନ୍ତି ।

“ବିଶ୍ୱକୁ ଭାଷଣ ନୁହେଁ, ପରିଣାମ ଦରକାର”

ଜାତିସଂଘରେ ସଦସ୍ୟ ଦେଶଗୁଡ଼ିକର ପ୍ରଶ୍ନର ଉତ୍ତର ଏସପିନୋସା କହିଛନ୍ତି ଯେ, ଆଜି ବିଶ୍ୱକୁ କେବଳ ଆଦର୍ଶବାଦୀ କଥା ନୁହେଁ, ବରଂ ପ୍ରକୃତ ଫଳାଫଳ ଦରକାର । ତାଙ୍କ ମତରେ ଜାତିସଂଘ ଏମିତି ଏକ ସଂଗଠନ ହେବା ଉଚିତ ଯାହା ସଙ୍କଟକୁ ଆଗୁଆ ଚିହ୍ନି ପାରିବ, ତୁରନ୍ତ ପଦକ୍ଷେପ ନେବ ଏବଂ ବିଶ୍ୱବାସୀଙ୍କ ଭରସା ଜିତିପାରିବ ।

ମାରିଆଙ୍କ ଭିଜନ୍

  • ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବା
  • ବିକାଶର ଗତିକୁ ତ୍ୱରାନ୍ୱିତ କରିବା
  • ଡିଜିଟାଲ୍ ଏବଂ ଶକ୍ତି ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା
  • ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ ସମୟ ବ୍ୟବଧାନକୁ କମାଇବା
  • ଜାତିସଂଘର ବିଶ୍ୱସନୀୟତାକୁ ପୁନର୍ବାର ମଜଭୁତ କରିବା

ଅନ୍ୟ କେଉଁମାନେ ଦୌଡ଼ରେ ଅଛନ୍ତି ?

ଏସପିନୋସାଙ୍କ ବ୍ୟତୀତ ଏହି ପଦ ପାଇଁ ଆହୁରି ୫ ଜଣ ଦାବିଦାର ଅଛନ୍ତି । ଏହି ତାଲିକାରେ ଅନ୍ତର୍ଜାତୀୟ ଆଟୋମିକ୍ ଏନର୍ଜି ଏଜେନ୍ସିର ମହାନିର୍ଦ୍ଦେଶକ ରାଫେଲ୍ ଏମ୍.ଗ୍ରୋସି, ଚିଲିର ପୂର୍ବତନ ରାଷ୍ଟ୍ରପତି ମିଶେଲ ବେଚଲେଟ୍, କୋଷ୍ଟାରିକାର ପୂର୍ବତନ ଉପରାଷ୍ଟ୍ରପତି ରେବିକା ଗ୍ରୀନସ୍ପେନ ଏବଂ ସେନଗେଲର ପୂର୍ବତନ ରାଷ୍ଟ୍ରପତି ମ୍ୟାକି ସେଲ୍ ସାମିଲ ଅଛନ୍ତି । ବିଶ୍ୱର ବିଭିନ୍ନ ପ୍ରମୁଖ ସଙ୍କଟ ସମୟରେ ଜାତିସଂଘର ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିବାରୁ, ଆଗାମୀ ମହାସଚିବଙ୍କ ଦାୟିତ୍ୱ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।