ମୁମ୍ବାଇ ୦୧।୦୯; ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ହରର୍ ଫିଲ୍ମ 'ରାଜ୍'ର। ସେହି ଭୟଙ୍କର ଭୂତକୁ ଆପଣ ନିଶ୍ଚୟ ମନେ ରଖିଥିବେ। ଯିଏ ପରଦାରେ ଦର୍ଶକଙ୍କୁ ଡରାଇଥିଲା! ଫିଲ୍ମ 'ରାଜ୍'ର ସୁପରହିଟ୍ ଗୀତ "ଆପକେ ପ୍ୟାର୍ ମେଁ ହମ ସବରନେ ଲଗେ"ରେ ଯୁବପିଢ଼ିଙ୍କୁ ଆକର୍ଷିତ କରିଥିବା ଏହି ଅଭିନେତ୍ରୀ ଆଜି ଗ୍ଲାମର୍ ଦୁନିଆଠୁ ବହୁ ଦୂରରେ ଜୀବନ ବିତାଉଛନ୍ତି।

ସେହି ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ମାଳିନୀ ଶର୍ମା । ଆଜି ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କିନ୍ତୁ ଏଥର କାରଣ କୌଣସି ଫିଲ୍ମ ନୁହେଁ, ବରଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡ଼ର ଚମକଦମକ ଠାରୁ ଦୂରେଇ ରହି ଏକ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଜୀବନ ବିତାଉଥିବାର କାହାଣୀ।

ମଡେଲିଂରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ମାଳିନୀ, ବମ୍ବେ ଭାଇକିଙ୍ଗ୍ସର "କ୍ୟା ସୁରତ ହେ" ଏବଂ ମିକା ସିଂହଙ୍କ "ସାୱନ୍ ମେ ଲଗ୍ ଗୟି ଆଗ" ଭଳି ପ୍ରସିଦ୍ଧ ମ୍ୟୁଜିକ୍ ଭିଡିଓ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ। ପରେ ୨୦୦୨ ମସିହାରେ ଆସିଥିବା ହରର୍ ଥ୍ରୀଲର୍ 'ରାଜ୍' ତାଙ୍କୁ ରାତାରାତି ଷ୍ଟାର୍ କରି ଦେଇଥିଲା। କିନ୍ତୁ ସଫଳତାର ଶୀର୍ଷରେ ଥାଇ ମଧ୍ୟ ସେ ହଠାତ୍ ବଲିଉଡର ଚମକଦମକ ସ୍କ୍ରିନରୁ ନିଜକୁ ଦୂରେଇ ନେଇଥିଲେ।

ବଲିଉଡକୁ ଅଲବିଦା କହିସାରିବା ପରେ, ମାଳିନୀ ବର୍ତ୍ତମାନ ପୁଣେ ନିକଟସ୍ଥ ସହ୍ୟାଦ୍ରି ପାହାଡ଼ରେ 'ଦି ସ୍ଲୋ ଲୋକାଲ୍' ନାମକ ଏକ ସୁନ୍ଦର ଫାର୍ମଷ୍ଟେ ଚଲାଉଛନ୍ତି। ଏକ ଅନନ୍ୟ ପ୍ରୟାସ ମାଧ୍ୟମରେ ଜୈବିକ କୃଷି, ପ୍ରାକୃତିକ ଖାଦ୍ୟ ଏବଂ ହସ୍ତଶିଳ୍ପକୁ ଆପଣେଇଛନ୍ତି। ନିଜ ଜମିରେ ପନିପରିବା ଚାଷ କରିବା ସହ ସେ ଏକ ସବୁଜ ଜଙ୍ଗଲ ମଧ୍ୟ ସୃଷ୍ଟି କରିଛନ୍ତି। ହେଲେ ସୋସିଆଲ ମିଡିଆରେ ଯେତେବେଳେ ଲୋକେ ତାଙ୍କୁ 'ରାଜ୍' ଗାର୍ଲ ଭାବରେ ଚିହ୍ନିପାରିଲେ, ସେତେବେଳେ ଇଣ୍ଟରନେଟ୍ରେ ପ୍ରେମ ଓ ଶୁଭେଚ୍ଛାର କହବାରେ ଲୋକେ ଥକିନଥିଲେ। ଲୋକଙ୍କ ଏଭଳି ଅପାର ଭଲପାଇବା ଦେଖି ମାଳିନୀ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଭାବପ୍ରବଣ ହୋଇପଡ଼ିଛନ୍ତି।

ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ ଏକ ଭିଡିଓ ଜାରି କରି ମାଳିନୀ କହିଛନ୍ତି ଯେ, "ମୁଁ ଏହା ଆଦୌ ଆଶା କରି ନଥିଲି, ମୋ ପାଖରେ ଭାବନା ପ୍ରକାଶ କରିବାକୁ ଶବ୍ଦ ନାହିଁ।" ତେବେ ଏହି ମେସେଜ୍ ମଧ୍ୟରେ ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ କ୍ୟୁଟ୍ ଅନୁରୋଧ ମଧ୍ୟ ରଖିଛନ୍ତି। ତାଙ୍କର ଫାର୍ମଷ୍ଟେଟି ବହୁତ ଛୋଟ ହୋଇଥିବାରୁ ଅନବରତ ଆସୁଥିବା ଫୋନ୍ କଲ୍ ପରିଚାଳନା କରିବା କଷ୍ଟକର ହେଉଥିବାରୁ, ସେ ସମସ୍ତଙ୍କୁ କଲ୍ ପରିବର୍ତ୍ତେ ହ୍ୱାଟ୍ସଆପ୍ରେ ମେସେଜ୍ କରିବାକୁ ଅନୁରୋଧ କରିଛନ୍ତି।

ବିତିଯାଇଛି ୨୩ ବର୍ଷ! ଆଉ ଏହି ଦୀର୍ଘ ବ୍ୟବଧାନ ପରେ ମାଳିନୀଙ୍କୁ ପୁଣି ଥରେ କ୍ୟାମେରାରେ ଦେଖିବାକୁ ମିଳିଛି। ପରଦାରେ ଯିଏ ଦର୍ଶକଙ୍କୁ ଭୟଭୀତ କରିଥିଲେ, ଆଜି ସେହି ମାଳିନୀ ପ୍ରକୃତିର ନିଛାଟିଆ କୋଳରେ ଏକ ଶାନ୍ତିପୂର୍ଣ୍ଣ ଓ ସାଧାରଣ ଜୀବନଯାପନ କରୁଛନ୍ତି।ସେ "ଦି ସ୍ଲୋ ଲୋକାଲ ଡାଏରିଜ୍" ଜରିଆରେ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ ଜୀବନଶୈଳୀ ସେୟାର କରୁଛନ୍ତି। ବିନା କୌଣସି ମେକଅପ୍ ରେ, ପ୍ରକୃତିର ନିକଟତର ହୋଇ ତାଙ୍କର ଏହି ନୂତନ ଅବତାର ପ୍ରଶଂସକଙ୍କୁ ପୁଣିଥରେ ସେହି ପୁରୁଣା ଦିନଗୁଡ଼ିକର ସ୍ମୃତି ମନେ ପକାଇ ଦେଇଛି। ତେବେ ବର୍ଷ ବର୍ଷ ପରେ ମଧ୍ୟ ଦର୍ଶକଙ୍କ ମନରେ ତାଙ୍କ ପାଇଁ ଥିବା ଏହି ଭଲପାଇବା ପ୍ରମାଣ କରେ ଯେ ପ୍ରକୃତ କଳାକାର କେବେବି ଲୋକଙ୍କ ହୃଦୟରୁ ହଜିଯାଆନ୍ତି ନାହିଁ!