ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ଓକିଲଙ୍କ ଫିଲ୍ମ ଦେଖିବା ପ୍ରଥମେ ଆଇନଗତ ଲଢେଇ ପରେ ପିଭିଆର ସିନେମାଜକୁ ୭୫,୦୦୦ କ୍ଷତିପୂରଣ ଜରିମାନା ଲାଗିଛି । ପିଭିଆରକୁ ୭୫,୦୦୦ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଓକିଲ ଜଣକ ରାତି ୧୦ଟା ୩୫ ମିନିଟରେ ଆରମ୍ଭ ହେବାକୁ ଥିବା ଶୋ’ ପାଇଁ ଦୁଇଟି ଟିକେଟ୍ ବୁକ୍ କରିଥିଲେ । ସେ ସମୟ ଅନୁସାରେ ଫିଲ୍ମ ଆରମ୍ଭ ହେବ ବୋଲି ଭାବି ନିଜ ସିଟରେ ଆଗରୁ ବସିଯାଇଥିଲେ । କିନ୍ତୁ, ସ୍କ୍ରିନ୍‌ରେ ବିଜ୍ଞାପନ ଏବଂ ଟ୍ରେଲର୍ ଚାଲିଲା ଏବଂ ଫିଲ୍ମ ନିର୍ଦ୍ଧାରିତ ସମୟଠାରୁ ୧୭ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା । ଏହି ବିଳମ୍ବ ପାଇଁ ତାଙ୍କର ପ୍ରାୟ ଗୋଟିଏ ଘଣ୍ଟା ନଷ୍ଟ ହୋଇଗଲା ଏବଂ ସେ ରାତି ୨ଟା ପରିବର୍ତ୍ତେ ଭୋର ୩ଟାରେ ଘରେ ପହଞ୍ଚିଥିଲେ ।

ସେ କହିଥିଲେ ଯେ ଏହି ବିଳମ୍ବ କୌଣସି ଛୋଟମୋଟ ଅସୁବିଧା ନଥିଲା । ଗୋଟିଏ ଘଣ୍ଟା ବିଳମ୍ୱରେ ଘରେ ପହଞ୍ଚିବା ଯୋଗୁ ଅନ୍ୟ ଯୋଜନା ସବୁ ଫେଲ୍ ମାରିଥିଲା । ସେ ଯୁକ୍ତି ଦର୍ଶାଇଥିଲେ ଯେ ପିଭିଆର ଏହି ଅତିରିକ୍ତ ମିନିଟଗୁଡ଼ିକୁ ପ୍ରକୃତ ଜନସେବା ସମ୍ବନ୍ଧୀୟ ବିଷୟବସ୍ତୁ ପରିବର୍ତ୍ତେ ବ୍ୟବସାୟିକ ବିଜ୍ଞାପନ ଦେଖାଇବା ପାଇଁ ବ୍ୟବହାର କରୁଥିଲା । ଏହା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିୟମର ଉଲ୍ଲଂଘନ ଥିଲା । ଓକିଲ ଜଣକ ଏହି ମାମଲାକୁ ହାଇଦ୍ରାବାଦ ଜିଲ୍ଲା ଗ୍ରାହକ ବିବାଦ ନିବାରଣ ଆୟୋଗ ସମ୍ମୁଖରେ ରଖିଥିଲେ ଏବଂ କ୍ଷତିପୂରଣ ସହିତ ଆଇନଗତ ଖର୍ଚ୍ଚ ମଧ୍ୟ ଦାବି କରିଥିଲେ ।

PVR କ’ଣ ଯୁକ୍ତି ଦେଇଥିଲା ?

ବିଳମ୍ୱରେ ଫିଲ୍ମ ଆରମ୍ଭକୁ ପିଭିଆଇ ଅସ୍ୱୀକାର କରିନଥିଲା । ସେମାନଙ୍କର ସେଫଇ ନିଜ ବ୍ୟବସାୟ ଚଳାଇବାର ଅଧିକାର ଉପରେ ଆଧାରିତ ଥିଲା । ସିନେମା ଚେନ୍ ଆୟୋଗଙ୍କୁ ଜଣାଇଥିଲେ ଯେ ବିଜ୍ଞାପନ, ଟ୍ରେଲର୍ ଏବଂ ଜନସେବା ସମ୍ବନ୍ଧୀୟ ଫିଲ୍ମ ଦେଖାଇବା ସେମାନଙ୍କ ବ୍ୟବସାୟ କରିବାର ଅଧିକାରର ଅଂଶ, ଯାହା ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଜି) ଅଧୀନରେ ସୁରକ୍ଷିତ । ସେମାନେ ସୁପ୍ରିମକୋର୍ଟଙ୍କର ଏକ ପୁରୁଣା ରାୟର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ସିନେମା ହଲ୍‌ ଏକ ବ୍ୟକ୍ତିଗତ ସମ୍ପତ୍ତି ଏବଂ ଏହାର ମାଲିକ ଏହାକୁ ଚଳାଇବାର ନିୟମ ସ୍ଥିର କରିପାରିବେ ।

ପିଭିଆର କହିଥିଲା ଯେ ଫିଲ୍ମ ପୂର୍ବରୁ ଦେଖାଯାଇଥିବା ବିଷୟବସ୍ତୁ ଜନହିତ ସହିତ ଥିଲା, କାରଣ ଏଥିରେ ସାକ୍ଷରତା, କୃଷି, ମହିଳା କଲ୍ୟାଣ ଏବଂ ସ୍ୱଚ୍ଛତା ଅଭିଯାନ ଭଳି ବିଷୟଗୁଡ଼ିକୁ ସାମିଲ କରାଯାଇଥିଲା । ସେମାନେ ଯୁକ୍ତି କରିଥିଲେ ଯେ ଏଥିମଧ୍ୟରୁ କୌଣସି କଥାକୁ ସେବାରେ ତ୍ରୁଟି ବୋଲି ଗ୍ରହଣ କରାଯାଇପାରିବ ନାହିଁ ଏବଂ ଆୟୋଗଙ୍କୁ ଅଭିଯୋଗକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ।

ଆୟୋଗଙ୍କ ରାୟ

ଆୟୋଗ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । ଆୟୋଗ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ସ୍ମାରକପତ୍ରକୁ ଉଦ୍ଧୃତ କରିଥିଲା, ଯେଉଁଥିରେ ଏହିପରି ପବ୍ଲିକ୍ ସର୍ଭିସ୍ କଣ୍ଟେଣ୍ଟ୍ କେତେ ସମୟ ପର୍ଯ୍ୟନ୍ତ ଦେଖାଯାଇପାରିବ ସ୍ପଷ୍ଟ ଭାବରେ କୁହାଯାଇଛି । ସେହି ମେମୋରାଣ୍ଡମ୍ ଅନୁଯାୟୀ, ଅନୁମୋଦିତ ପବ୍ଲିକ୍ ସର୍ଭିସ୍ ଫିଲ୍ମର ଅବଧି ସର୍ବାଧିକ ଦୁଇ ମିନିଟ୍ ସ୍ଥିର କରାଯାଇଛି । ସେଗୁଡ଼ିକୁ ଫିଲ୍ମ ଆରମ୍ଭ ହେବାର ଦଶ ମିନିଟ୍ ପୂର୍ବରୁ କିମ୍ବା ଇଣ୍ଟରଭାଲ୍ ସମୟରେ ଦେଖାଯିବା କଥା, ତା’ଠାରୁ ଅଧିକ ସମୟ ନୁହେଁ । ଏହି ଆଧାରରେ, ଆୟୋଗ ପିଭିଆରକୁ କ୍ଷତିପୂରଣ ବାବଦକୁ ୨୦,୦୦୦ ଟଙ୍କା, ମାମଲା ଖର୍ଚ୍ଚ ପାଇଁ ୫,୦୦୦ ଟଙ୍କା ଏବଂ ଦଣ୍ଡାତ୍ମକ କ୍ଷତିପୂରଣ ଭାବରେ ୫୦,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ୫୦,୦୦୦ ଟଙ୍କା ଅଭିଯୋଗକାରୀଙ୍କୁ ସିଧାସଳଖ ଦେବା ପରିବର୍ତ୍ତେ ଜିଲ୍ଲା ଗ୍ରାହକ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ପଡ଼ିବ ।