ନୂଆଦିଲ୍ଲୀ: ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏକ କାର୍ଯ୍ୟକ୍ରମରେ ଚଳିତବର୍ଷ ୟୁରୋପୀୟ କାଉନସିଲ ବୈଠକରେ ଋଷିଆର ଉପସ୍ଥିତି ତାଙ୍କୁ ବରଦାସ୍ତ କରିବାକୁ ପଡିବନି ବୋଲି କହିବା ତାଙ୍କୁ ମହଙ୍ଗା ପଡିଛି। ଋଷିଆ ସହିତ ପୋଲାଣ୍ଡର ଇତିହାସ ଦେଖିଲେ ଟସ୍କଙ୍କ ଏହି ଭାବନା ଆଶ୍ଚର୍ଯ୍ୟଜନକ ନୁହେଁ, ହେଲେ ଟସ୍କଙ୍କ ଟିପ୍ପଣୀ ଉପରେ ଋଷିଆର ପ୍ରତିକ୍ରିୟା ବାସ୍ତବିକ ଚିନ୍ତାଜନକ। ଋଷିଆ ସରକାରୀ ପ୍ରତ୍ୟକ୍ଷ ନିବେଶ କୋଷର ସିଇଓ ତଥା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିବେଶ ଓ ଆର୍ଥିକ ସହଯୋଗ ବିଶେଷ ଦୂତ କିରିଲ ଦିମିତ୍ରିଭ ତୁରନ୍ତ ଟସ୍କଙ୍କ ଜବାବ ଦେଇଛନ୍ତି ଓ କହିଛନ୍ତି ‘ଦୁଇ ମାସ ପରେ ପୁଣି ଭେଟିବା’।

ଦିମିତ୍ରିଭ କହିଛନ୍ତି ଯେ ବିମାନ ଉଦ୍ୟୋଗ ପାଇଁ ପର୍ଯ୍ୟାପ୍ତ ଏଟିଏଫ ସଞ୍ଚୟ କରି ରଖିଥାଅ, ନଚେତ ଦୁଇ ମାସ ପରେ ଇନ୍ଧନ ଭିକ ମାଗିବାକୁ ଋଷିଆ ଦୌଉଡିବାକୁ ପଡିପାରେ। ୟୁରୋପ ତାର ଜେଟ୍ ଇନ୍ଧନର ପାଖାପାଖି ୭୫ ପ୍ରତିଶତ ମଧ୍ୟପ୍ରାଚ୍ୟରୁ ଆମଦାନୀ କରିଥାଏ, ଯାହା କୌଣସି ଅନ୍ୟ ପରିବହନ ଇନ୍ଧନଠାରୁ ଅଧିକ ନିର୍ଭରତା ଅଟେ। ଗ୍ରୀଷ୍ମ ଋତୁରେ ୟୁରୋପରେ ଏୟାରଲାଇନ ଚାହିଦା ଚରମରେ ଥାଏ। ଏଣୁ ୟୁରୋପୀୟ ରିଫାଇନାରୀ ପୁରା କ୍ଷମତାରେ କାମ କରୁଥିଲେ ମଧ୍ୟ ଏବେ ଘରୋଇ ଚାହିଦା ପୂରଣ କରିବାକୁ ସକ୍ଷମ ହେଉ ନାହାନ୍ତି। ଏଣୁ ଅନ୍ତର୍ଜାତୀୟ ଉର୍ଜ୍ଜା ଏଜେନ୍ସୀ ମାସିକ ରିପୋର୍ଟରେ ଜୁନ ସୁଦ୍ଧା ୟୁରୋପରେ ଜେଟ୍ ଇନ୍ଧନର ଭୌତିକ ଅଭାବକୁ ନେଇ ଚେତାବନୀ ଦେଇଛନ୍ତି।

ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପୂର୍ବରୁ ୟୁରୋପକୁ ମସ୍କୋର ଇନ୍ଧନ ରପ୍ତାନୀ ଢେର ଅଧିକ ଥିଲା। ତେବେ ୟୁରୋପୀୟ ସଂଘର କଟକଣା ଓ ଋଷିଆକୁ ଜାଣିଶୁଣି ଏକଘରକିଆ କରାଯିବା ଯୋଗୁ ଏହି ସମ୍ଭାବିତ ଜୀବନ ରେଖାକୁ କାଟି ଦିଆଯାଇଥିଲା। ଋଷିଆର ବର୍ଚସ୍ୱକୁ ଦୁର୍ବଳ କରିବା ଲାଗି ସହଯୋଗୀ ୟୁକ୍ରେନକୁ ସମର୍ଥନ କରିବା ୟୁରୋପୀୟ ସଂଘକୁ ଏବେ ମହଙ୍ଗା ପଡୁଛି। ୟୁରୋପୀୟ ସଂଘର ରଣନୀତି ଗଣିତ ଋଷିଆକୁ ଠିକ୍ ସେହି ସମୟରେ ଏକଘରକିଆ କରିଦେଇଛି ଯେତେବେଳେ ଇନ୍ଧନର ବିବିଧ ସ୍ରୋତକୁ କାୟମ ରଖିବା ପାଇଁ ତା ନିକଟରେ ପର୍ଯ୍ୟାପ୍ତ ବିକଳ୍ପ ଥିଲା।

ଯୁକ୍ରେନ ଲାଗି ଋଷିଆ ଇନ୍ଧନ ଯୋଗାଣକୁ ଅଟକାଇ ୟୁରୋପ ଭୌଗଳିକ ରୂପେ ପାଖରେ ଥିବା ବିକଳ୍ପକୁ ସମାପ୍ତ କରିଦେଇଛି। ଏହା ଠିକ୍ ସେହି ସମୟରେ ହୋଇଛି ଆମେରିକା ଓ ଇସ୍ରାଏଲର ଇରାନ ଆକ୍ରମଣ କରିଛନ୍ତି। ଫଳରେ ମଧ୍ୟପ୍ରାଚ୍ୟରୁ ତୈଳ ଯୋଗାଣ ୟୁରୋପକୁ ବନ୍ଦ ହୋଇଯାଇଛି। ଏଥିରେ ଦିମିତ୍ରିଭଙ୍କ ଜବାବ ଭବିଷ୍ୟ ସୂଚକ ସାବ୍ୟସ୍ତ ହୋଇ ପାରେ। ଗ୍ରୀଷ୍ମ ଋତୁ ଯେତିକି ପାଖେଇ ଆସୁଛି ୟୁରୋପ ପାଇଁ ଇନ୍ଧନ ସଂକଟ ସେତିକି ଘନଉଛି। ଏଥିରେ ୟୁରୋପୀୟ ନେତା ଏବେ ସେହି ସମ୍ପର୍କକୁ ପୁନର୍ବିଚାର କରିବା ଲାଗି ଅସହଜ ସ୍ଥିତିରେ ଦେଖୁଛନ୍ତି ଯେଉଁ ସମ୍ପର୍କକୁ ଭାଙ୍ଗି ସେମାନେ ଉତ୍ସବ ପାଳନ କରିଥିଲେ।

ଏବେ ସେମାନେ ଇନ୍ଧନ ଯୋଗାଣ ପାଇଁ ମସ୍କୋ ସହ ସମ୍ପର୍କ କରିବାକୁ ବାଧ୍ୟ ହୋଇ ପାରନ୍ତି ଯାହା ସେମାନଙ୍କୁ ଏକଦା ନିର୍ବାଧ ମିଳୁଥିଲା। ଋଷିଆକୁ ଭଲ ପାଉନଥିବା ଡୋନାଲ୍ଡ ଟସ୍କ ମଞ୍ଚରେ ଋଷୀୟ ପ୍ରତିନିଧି ନଥିବାରୁ ବେଶ୍ ଆଶ୍ୱସ୍ତି ଲାଭ କରିଛନ୍ତି ସତ ହେଲେ ବ୍ରୋସେଲସ୍ ରେ ତାଙ୍କ ସହଯୋଗୀ ଯଦି ତାଙ୍କ ଲାଗି ଜେଟ୍ ଇନ୍ଧନର ବିକଳ୍ପ ସ୍ରୋତ ସୁରକ୍ଷିତ କରି ନ ପାରନ୍ତି ତାଙ୍କୁ ବି ମସ୍କୋ ସହିତ ବୁଝାମଣା କରିବାକୁ ପଡିପାରେ। ତେବେ ଏଥି ପାଇଁ ସେତେବେଳେ ତାଙ୍କ ବିମାନରେ ମସ୍କୋ ପହଞ୍ଚିବା ଲାଗି ତୈଳ ଥିବା ଦରକାର।