ନୂଆଦିଲ୍ଲୀ: ଦିଲ୍ଲୀରେ ପୁଟିନଙ୍କ ଦମଦାର ଏଣ୍ଟ୍ରି। ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କ ଗସ୍ତ ଯେତିକି ଚର୍ଚ୍ଚାରେ ନାହିଁ, ତାଠାରୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କର ସୁରକ୍ଷା ବ୍ୟବସ୍ଥା ଓ ଅତ୍ୟାଧୁନିକ ଆର୍ମର୍ଡ କାର୍ ବା ଅସ୍ତ୍ର ଖଚ୍ଚିତ କାର ଅରୁସ୍ ସେନାଟ୍ (Aurus Senat)। ସାଧାରଣତଃ କୌଣସି ଦେଶର ରାଷ୍ଟ୍ରମୁଖ୍ୟ ବିଦେଶ ଯାତ୍ରା କଲେ ଗନ୍ତବ୍ୟ ଦେଶରେ ସ୍ଥାନୀୟ ସରକାରୀ ଗାଡ଼ି ବ୍ୟବହାର କରନ୍ତି। ହେଲେ ପୁଟିନ୍ ଏ କ୍ଷେତ୍ରରେ ଅଲଗା।

ପୁଟିନ ଯେଉଁ ଦେଶକୁ ଯାଆନ୍ତି, ନିଜର ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ନିଜର ଅସ୍ତ୍ର ଖଚ୍ଚିତ କାର୍କୁ ମଧ୍ୟ ସାଙ୍ଗରେ ନେଇଯାଆନ୍ତି। ପୁଟିନଙ୍କ କଷ୍ଟମାଇଜ୍ଡ ପ୍ରେସିଡେନ୍ସିଆଲ୍ ବିମାନକୁ ମଧ୍ୟ ଫ୍ଲାଇ କ୍ରେମିଲିନ ବା ‘ଉଡନ୍ତା କ୍ରେମଲିନ୍’ ବୋଲି କୁହାଯାଏ। ଏହି ବିମାନ ସହ ତାଙ୍କର ଆର୍ମର୍ଡ ଅରୁସ ସେନାଟ ଲିମୋଜିନ୍ ମଧ୍ୟ ଭାରତରେ ପହଞ୍ଚିଛି।

ଅରୁସ ସେନାଟ୍: ସୁରକ୍ଷାର ଚଳନ୍ତା ଦୁର୍ଗ

ଅରୁସ୍ ସେନାଟ୍କୁ ବିଶ୍ୱର ସବୁଠାରୁ ଗୋପନୀୟ ଓ ଅତ୍ୟଧିକ ସୁରକ୍ଷିତ ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ଦେଖାଯାଏ। ରୁଷର ଶୀର୍ଷ ନେତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ଲିମୋଜିନ୍କୁ ଡିଜାଇନ୍ କରାଯାଇଛି। ଏହାକୁ ଅରୁସ ମୋଟର୍ସ ନିର୍ମାଣ କରିଛି। ଏହା ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ। ଏଥିରେ ରୁଷର ରାଜ୍ୟ ଗବେଷଣା ସଂସ୍ଥା ନାମୀ (NAMI), ସେଲେର୍ସ ଜେଏସ୍ସି (Sollers JSC) ଏବଂ ୟୁଏଇର ତାୱାଜୁନ୍ ହୋଲ୍ଡିଂ (Tawazun Holding)ର ଶେୟାର ରହିଛି।

୨୦୧୮ରେ ରୁଷର ‘କୋର୍ଟେଜ୍ କାର୍ଯ୍ୟକ୍ରମ’ ଅଧୀନରେ ଏହି କାର୍କୁ ଲଞ୍ଚ କରାଯାଇଥିଲା। ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା ସରକାରୀ ବ୍ୟବହାର ପାଇଁ ରୁଷର ନିଜସ୍ୱ ଲଗଜୁରୀ ଓ ଅସ୍ତ୍ର ଖଚ୍ଚିତ ଗାଡ଼ି ବିକଶିତ କରିବା। ଏହାର ଡିଜାଇନରେ ସୋଭିଏତ୍ ଯୁଗର ZIS-110 ଲିମୋଜିନର ଛାପ ମଧ୍ୟ ଦେଖିବାକୁ ମିଳେ। ପୁଟିନଙ୍କ ପାଇଁ ତିଆରି ସଂସ୍କରଣରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବାବେଳେ, ଏହାର ସିଭିଲିଆନ୍ ଭର୍ସନ୍ ମଧ୍ୟ ବଜାରରେ ମିଳେ। ଏହାର ବାର୍ଷିକ ଉତ୍ପାଦନ ପ୍ରାୟ ୧୨୦ଟି କାର୍ରେ ସୀମିତ ରହିଛି। ଏହାର ମୂଲ୍ୟ ପ୍ରାୟ ୧୮ ମିଲିୟନ୍ ରୁବଲ୍, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨.୫ କୋଟି ଟଙ୍କା ବୋଲି କୁହାଯାଏ।

ଇଞ୍ଜିନ୍ ଶକ୍ତି ମଧ୍ୟ କମ୍ ନୁହେଁ

ସୁରକ୍ଷା ସହ ଏହି ଗାଡ଼ିର ପାୱାର୍ ମଧ୍ୟ ଚମତ୍କାର। ଅରୁସ ସିନେଟାରେ ରହିଛି ୪.୪ ଲିଟର୍ ଟ୍ୱିନ୍-ଟର୍ବୋ V8 ଇଞ୍ଜିନ୍, ଯାହା ସହ ହାଇବ୍ରିଡ୍ ସିଷ୍ଟମ୍ ଯୋଡ଼ାଯାଇଛି। ଏହା ପ୍ରାୟ ୫୯୮ ହର୍ସପାୱାର୍ ଶକ୍ତି ଏବଂ ୮୮୦ ଏନଏମ ଟର୍କ ଉତ୍ପାଦନ କରିପାରେ।

Also Read- BRICS Summit 2026: ଇରାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ମୋଦୀ: ଉଠାଇଲେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ,ଶାନ୍ତି ପାଇଁ ଆଲୋଚନକୁ ଗୁରୁତ୍ୱ

୯-ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହ ଯୋଡ଼ାଯାଇଥିବା ଏହି ବିଶାଳ ଲିମୋଜିନ୍ର ସର୍ବାଧିକ ବେଗ ପ୍ରାୟ ୧୬୦ କିଲୋମିଟର ପ୍ରତି ଘଣ୍ଟା। ଏହା ୦ରୁ ୧୦୦ କିମି ପ୍ରତି ଘଣ୍ଟା ବେଗ ହାସଲ କରିବାକୁ ପ୍ରାୟ ୯ ସେକେଣ୍ଡ ସମୟ ନିଏ। ଗାଡ଼ିଟିର ଲମ୍ବ ପ୍ରାୟ ୫,୬୩୦ ମିଲିମିଟର୍, ପ୍ରସ୍ଥ ୨,୦୦୦ ମିଲିମିଟର୍ ଏବଂ ହ୍ୱିଲ୍ବେସ୍ ୩,୩୦୦ ମିଲିମିଟର୍।

କାହିଁକି ନିଜ କାର୍କୁ ଏତେ ଗୁରୁତ୍ୱ ଦିଅନ୍ତି ପୁଟିନ୍?

ପୁଟିନଙ୍କ ପାଇଁ ଆରୁସ ସିନେଟ କେବଳ ଏକ ଲଗଜୁରୀ କାର୍ ନୁହେଁ। ଏହା ତାଙ୍କର ଚଳନ୍ତା ସୁରକ୍ଷା କବଚ। ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ପାଳନ କରିବା ଭଳି ଭାବରେ ଏହାକୁ ଇଞ୍ଜିନିୟର୍ କରାଯାଇଛି।

ଗାଡ଼ିରେ ବୁଲେଟ୍ପ୍ରୁଫ୍ ସୁରକ୍ଷା ସହ ବିସ୍ଫୋରଣଜନିତ ଆକ୍ରମଣରୁ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିଛି। ଏଥିରେ ଆକ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ଲେନ୍ ଡିପାର୍ଚର୍ ୱାର୍ଣ୍ଣିଂ, ଇଲେକ୍ଟ୍ରୋନିକ୍ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଓ ଆଧୁନିକ ବ୍ରେକିଂ ସିଷ୍ଟମ୍ ଭଳି ସୁବିଧା ମଧ୍ୟ ରହିଛି।

ଭିତରପଟେ ଏହି କାର୍ରେ ରହିଛି ପ୍ରିମିୟମ୍ ଲେଦର୍ ସିଟ୍, ଉଚ୍ଚମାନର କାଠର ଫିନିସ୍ ଏବଂ ଆଧୁନିକ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍। ଅତ୍ୟଧିକ ଥଣ୍ଡା କିମ୍ବା କଠିନ ପାଣିପାଗରେ ମଧ୍ୟ ଏହି କାର୍ କାର୍ଯ୍ୟକ୍ଷମ ରହିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।

ଏହି କାରଣରୁ ବିଦେଶ ଗସ୍ତ ସମୟରେ ମଧ୍ୟ ପୁଟିନ୍ ଅନ୍ୟ ଦେଶର ସରକାରୀ ଗାଡ଼ି ଅପେକ୍ଷା ନିଜର ଅରୁସ ସିନାଟ ଉପରେ ଅଧିକ ଭରସା କରନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଚୀନ୍ରେ ଏସସିଓ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କ ସହ ଏହି ଅରୁସ ସିନେଟରେ ଯାତ୍ରା କରିଥିଲେ। ସେତେବେଳେ ମଧ୍ୟ ଏହି ଅସ୍ତ୍ର ଖଚ୍ଚିତ ଲିମୋଜିନ୍ ବେଶ୍ ଚର୍ଚ୍ଚାରେ ରହିଥିଲା