ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଶୁକ୍ରବାର ଦ୍ୱିପାକ୍ଷିକ ବୈଠକ ହୋଇଛି। ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସହ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଚର୍ଚ୍ଚା ହୋଇଛି।

ଇରାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗ ଉଠାଇଥିଲେ। ସୂଚନା ଅନୁସାରେ, ମୋଦୀ କହିଥିଲେ ଯେ ସମୁଦ୍ରପଥରେ ଯାତାୟାତ କରୁଥିବା ନାବିକମାନଙ୍କ ସୁରକ୍ଷା ଓ ନିରାପତ୍ତା ଭାରତର ସର୍ବୋଚ୍ଚ ପ୍ରାଥମିକତା ରହିବ।

ମଧ୍ୟପ୍ରାଚ୍ୟ ସଙ୍କଟର ଏକ ସ୍ଥାୟୀ ସମାଧାନ ପାଇଁ ଭାରତ ଆଲୋଚନା ଓ କୂଟନୀତିକୁ ଆଗକୁ ବଢ଼ିବାର ସବୁଠାରୁ ପ୍ରଭାବଶାଳୀ ମାର୍ଗ ଭାବେ ଗୁରୁତ୍ୱ ଦେଇଛି। ଏଥିସହ ଭାରତ ନିଜର ଶକ୍ତି ଓ ଇନ୍ଧନ ସୁରକ୍ଷାକୁ ମଧ୍ୟ ଏକ ପ୍ରମୁଖ ଚିନ୍ତା ଭାବେ ଦର୍ଶାଇଛି। ଯୋଗାଣ ସାମଗ୍ରୀ ବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନିରାପଦ ସମୁଦ୍ରପଥ ନିଶ୍ଚିତ କରିବା ଉପରେ ମଧ୍ୟ ଭାରତ ଜୋର ଦେଇଛି।

ରାଷ୍ଟ୍ରପତି ହେବା ପରେ ପେଜେଶକିଆନଙ୍କର ଏହା ପ୍ରଥମ ଭାରତ ଗସ୍ତ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଥିବା ସମୟରେ ତାଙ୍କର ଏହି ଗସ୍ତ ହେଉଛି। ଆମେରିକା ପକ୍ଷରୁ ଇରାନ ଉପରେ ସର୍ବାଧିକ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ‘ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’ ଆରମ୍ଭ କରାଯାଇଥିବା ପରିପ୍ରେକ୍ଷୀରେ ଏହି ଗସ୍ତ ହେଉଛି।

ପେଜେଶକିଆନ୍ ବ୍ରିକ୍ସର ଆର୍ଥିକ ସ୍ଥିରତା ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ମତରେ, ବ୍ରିକ୍ସ ବ୍ୟାଙ୍କର ଉଦ୍ଦେଶ୍ୟ ହେଉଛି ଦେଶଗୁଡ଼ିକୁ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତାରୁ ମୁକ୍ତ କରିବା ଏବଂ ଆମେରିକାର ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା।

BRICS ଦେଶ ମଧ୍ୟରେ ଜାତୀୟ ମୁଦ୍ରାରେ ବାଣିଜ୍ୟ ଉପରେ ଜୋର

ଶୁକ୍ରବାର ବ୍ରିକ୍ସ ବିଜନେସ୍ ଫୋରମ୍ରେ ଉଦ୍ବୋଧନ ଦେଇ ପେଜେଶକିଆନ୍ କହିଥିଲେ ଯେ ବିଶ୍ୱ ଏକ ଜଟିଳ ସମୟ ଦେଇ ଗତି କରୁଛି। ଭୂ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ପରସ୍ପର ମଧ୍ୟରେ ବାଣିଜ୍ୟ କରିବା ସମୟରେ ନିଜ ନିଜ ଜାତୀୟ ମୁଦ୍ରା ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ କଟକଣାକୁ ମଧ୍ୟ ପେଜେଶକିଆନ୍ ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ, କୌଣସି ଦେଶ ଯେପରି ଆର୍ଥିକ ଉପକରଣ ଉପରେ ଏକଚାଟିଆ ନିୟନ୍ତ୍ରଣ ରଖି ଅନ୍ୟ ଦେଶର ବୈଧ ବାଣିଜ୍ୟକୁ ବାଧା ଦେଇପାରିବ ନାହିଁ, ସେଥିପାଇଁ ବ୍ରିକ୍ସକୁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ହେବ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ୍ ସୋସିଆଲ ମିଡିଆରେ ପେଜେଶକିଆନଙ୍କୁ ଭାରତରେ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଇରାନ ମଧ୍ୟରେ ସଭ୍ୟତାଗତ ସମ୍ପର୍କ ରହିଛି, ଯାହା ଦୃଢ଼ ସାଂସ୍କୃତିକ ଓ ଲୋକ-ଲୋକ ସମ୍ପର୍କରେ ପ୍ରତିଫଳିତ ହୋଇଥାଏ। ବ୍ରିକ୍ସର ଅଂଶୀଦାର ଭାବେ ଉଭୟ ଦେଶ ସାଧାରଣ ପ୍ରଗତି ଓ ସମୃଦ୍ଧିରେ ଯୋଗଦାନ କରୁଛନ୍ତି।

Also Read-ବ୍ରିକ୍ସ ବ୍ୟବସାୟ ମଞ୍ଚରୁ ପିୟୂଷ ଗୋୟଲଙ୍କ ବଡ଼ ଆହ୍ୱାନ: ସ୍ଥାନୀୟ ମୁଦ୍ରାରେ କାରବାର ଓ ତତ୍କାଳ ପେମେଣ୍ଟ ସିଷ୍ଟମ୍କୁ ଯୋଡ଼ିବାକୁ ଦେଲେ ପ୍ରସ୍ତାବ

ଅଗଷ୍ଟ ୩୧ରେ ପରସ୍ପରକୁ ଭେଟିଥିଲେ ମୋଦୀ-ପେଜେଶକିଆନ୍

ଏହା ପୂର୍ବରୁ ଅଗଷ୍ଟ ୩୧ରେ କିର୍ଗିଜସ୍ତାନର ବିଶକେକ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଇରାନ ରାଷ୍ଟ୍ରପତି ପେଜେଶକିଆନଙ୍କୁ ଭେଟିଥିଲେ। ସେହି ସମୟରେ ମୋଦୀ କହିଥିଲେ ଯେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରେ।

ସେହି ବୈଠକରେ ପେଜେଶକିଆନ୍ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କର ଉପଯୋଗ କରି ସଂଘର୍ଷରତ ପକ୍ଷଗୁଡ଼ିକୁ ହିଂସାରୁ ଦୂରେଇ ନେବା ସହ ପୁଣିଥରେ ଆଲୋଚନା ଟେବୁଲକୁ ଫେରାଇ ଆଣିବାରେ ଭାରତ ଭୂମିକା ନେଉ ବୋଲି ଅନୁରୋଧ କରିଥିଲେ।