ପୁରୀ: ସ୍ପା ସେଣ୍ଟର ଉପରେ ପୋଲିସର ଚଢ଼ାଉ। ପୁରୀ ଚକ୍ରତୀର୍ଥ ରୋଡ୍‌ ଥିବା ‘ଦି ଟ୍ରାଭେଲର୍ସ’ ସ୍ପା ସେଣ୍ଟରରେ ସମୁଦ୍ରକୂଳ ଥାନା ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ୩ ଜଣ ଗ୍ରାହକ, ୨ ଜଣ ପୀଡ଼ିତା ଏବଂ ସ୍ପା ସେଣ୍ଟରର ମ୍ୟାନେଜରଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ଅନୁଯାୟୀ, ଉକ୍ତ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ଯୋଜନାବଦ୍ଧ ଭାବେ ସେଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘଟଣାସ୍ଥଳରୁ ୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି।

ଏହି ଘଟଣାକୁ ନେଇ ସମୁଦ୍ରକୂଳ ଥାନାରେ କେସ୍ ନଂ ୩୮୨/୨୬ ରୁଜୁ କରାଯାଇଛି। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପଟେ ଅଟକ ଥିବା ପୀଡ଼ିତାମାନଙ୍କ ସୁରକ୍ଷା ଏବଂ ଆବଶ୍ୟକୀୟ ସହାୟତା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ପୁରୀରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସହରରେ ଚାଲୁଥିବା ସ୍ପା ସେଣ୍ଟରଗୁଡ଼ିକର କାର୍ଯ୍ୟକଳାପ ଉପରେ ପୋଲିସର ନଜରଦାରୀ ବଢ଼ାଇବା ସହ ଏଭଳି ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।