ପୁରୀ ୧୦।୦୬ : ରଥଯାତ୍ରା ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପୁରୀ ଆସିବାକୁ ଥିବା ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ। ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ପୁରୀ ସହରରେ ଥିବା ଉଭୟ ପାର୍ଶ୍ଵର କୋଠା ଗୁଡ଼ିକୁ ରଙ୍ଗ ଦିଆଯିବା କାର୍ଯ୍ୟ କରାଯାଉଛି।

ଫିକା ଗୋଲାପି ରଙ୍ଗରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକୁ ରଙ୍ଗ ଦିଆଯାଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏଭଳି ପଦକ୍ଷେପ ନିଆଯାଇଛି। ରଙ୍ଗ କାର୍ଯ୍ୟ ପାଇଁ ପିକେଡିଏ ପକ୍ଷରୁ ଚାରୋଟି ଟିମ୍ ଗଠନ କରାଯାଇଛି। ଶ୍ରୀମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ, ମର୍ଚ୍ଚିକୋଟ ଛକ ଠାରୁ ବଳଗଣ୍ଡି ଛକ ଏବଂ ବଳଗଣ୍ଡି ଛକ ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ତିନୋଟି ଟିମ୍ ଏହି ରଙ୍ଗ ଦେବା କାର୍ଯ୍ୟ କରୁଛନ୍ତି।

Also Read:-ମମତାଙ୍କୁ ଆଉ ଏକ ଝଟକା, ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସୁସ୍ମିତା

ସେହିପରି ମେଡିକାଲ ଛକ ଠାରୁ ଅଠରନଳା ଯାଏଁ ଥିବା ଉଭୟ ପାର୍ଶ୍ଵର କୋଠା କୁ ଅନ୍ୟ ଏକ ଟିମ୍ ଫିକା ଗୋଲାପି ରଙ୍ଗ ଦେଉଛନ୍ତି। ଏଥିପାଇଁ ୨ କୋଟି ୩୫ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି। ପ୍ରାୟ ୪୦ ପ୍ରତିଶତ ରଙ୍ଗ କାର୍ଯ୍ୟ ସରିଥିବା ବେଳେ ଖୁବଶୀଘ୍ର ଏହା ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ତେବେ କିଭଳି ଚାଲିଛି ରଙ୍ଗ କାର୍ଯ୍ୟ ସେନେଇ ପିକେଡିଏର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ପୁରୀର ସିନିୟର୍ ରିପୋର୍ଟର ଚନ୍ଦ୍ରଶେଖର ପାତ୍ର।